October 18, 2024

Satya News

odia news channel

ନାସାର ‘ମୁନ୍‌ ମିଶନ’ ପ୍ରକ୍ରିୟା ଆରମ୍ଭ, ମଣିଷ ବଦଳରେ ଯିବେ ୩ଟି ପିତୁଳା

 

ଡେସ୍କ: ଆମେରିକୀୟ ଗବେଷଣା ସଂସ୍ଥା ନାସା ଚନ୍ଦ୍ରକୁ ମଣିଷ ପଠାଇବା ଲାଗି ପ୍ରକ୍ରିୟା ଆରମ୍ଭ କରିଛି। ‘ନାସା’ର ସବୁଠାରୁ ଶକ୍ତିଶାଳୀ ରକେଟ୍‌ ‘ରକେଟ ସ୍ପେଶ୍‌ ଲଞ୍ଚ ସିଷ୍ଟମ’ ମାଧ୍ୟମରେ ଉତ୍‌କ୍ଷେପଣ ପ୍ରକ୍ରିୟା ଆରମ୍ଭ ହେବ। ଏହା ‘ନାସା’ର ‘ଆର୍ଟିମିସ୍‌ ମିଶନ’। ଏହା ଦ୍ବାରା ଦୀର୍ଘ ୫୦ ବର୍ଷ ପରେ ‘ନାସା’ ଚନ୍ଦ୍ର ପୃଷ୍ଠକୁ ପୁନଃ ମାନବ ପ୍ରେରଣ କରିବ। ଆମେରିକାର ଫ୍ଲୋରିଡାସ୍ଥିତ କେନେଡ଼ି ମହାକାଶ କେନ୍ଦ୍ରରୁ ଲଞ୍ଚ୍‌ କରାଯିବ।

ଏହି ଏସଏଲଏସର ଲମ୍ବ ୯୮ ମିଟର। ଏହା ଦ୍ବାରା ପୃଥିବୀଠାରୁ ବହୁଦୂରରେ ଅବସ୍ଥିତ ଓରିଓନ ନାମକ ଏକ ଟେଷ୍ଟ କ୍ୟାପସୁଲ୍‌ ପର୍ଯ୍ୟନ୍ତ ପଠାଯିବ। ଏହା ୬ ସପ୍ତାହ ଚନ୍ଦ୍ର କକ୍ଷରେ ଭ୍ରମଣ କରିବ। ଏହା ପ୍ରଥମ ମହାକାଶ ମିଶନ, ଯେଉଁଥିରେ କୌଣସି ମହାକାଶ ଯାତ୍ରୀ ପ୍ରେରଣ କରାଯାଉ ନାହିଁ। ଯଦି ଏହି ମିଶନ ସଫଳ ରହେ ତେବେ ଏହାଦ୍ବାରା ମହାକାଶକୁ ଯାତ୍ରୀ ପଠାଇବା ସଫଳ ହେବ। ଯଦି ଏଥିରେ କୌଣସି ବାଧା ନ ଉପୁଜେ ତେବେ ୨୦୨୪ ସୁଦ୍ଧା ଚନ୍ଦ୍ର ପୃଷ୍ଠରେ ମାନଦବ ପୁନଃ ପାଦ ଥାପି ପାରିବ। ‘ଆର୍ଟିମିସ୍‌’ ‘ନାସା’ର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ମିଶନ।

ଚଳିତ ବର୍ଷ ଡିସେମ୍ବରରେ ଆପୋଲୋ-୧୭ ମହାକାଶ ଯାନ ଚନ୍ଦ୍ର ପୃଷ୍ଠକୁ ପଠାଇବାର ୫୦ ବର୍ଷ ପୂରଣ କରୁଛି। ଶେଷଥର ପାଇଁ ଏହି ଯାନରେ ମାନବ ଚନ୍ଦ୍ର ପୃଷ୍ଠରେ ପାଦ ଥାପି ଥିଲା । ସେହିଦିନଠାରୁ ଏପର୍ଯ୍ୟନ୍ତ ଅନ୍ୟ କୌଣସି ଦେଶର ମହାକାଶଚାରୀ ଚନ୍ଦ୍ର ପୃଷ୍ଠରେ ପାଦ ଥାପି ନାହାନ୍ତି। ‘ଆର୍ଟିମିସ୍‌’ ଜରିଆରେ ନୂଆ କାରୀଗରୀ କୌଶଳ ପ୍ରୟୋଗ କରି ‘ନାସା’ ପୁନଃ ଚନ୍ଦ୍ରପୃଷ୍ଠକୁ ମାନବ ପଠାଇବାକୁ ଲକ୍ଷ୍ୟ ରଖିଛି। ‘ଆର୍ଟିମିସ୍‌’ ହେଉଛି ୟୁନାନୀ ଦେବତା ଆପୋଲୋର ଯାଆଁଳା ଭଉଣୀ। ତେଣୁ ଏହି ମିଶନର ନାମ ‘ଆର୍ଟିମିସ୍‌’ ରଖାଯାଇଛି। ଆମେରିକୀୟମାନେ ଚନ୍ଦ୍ରକୁ ଦେବୀ ବୋଲି ମାନନ୍ତି। ୨୦୩୦ ପରେ କିମ୍ବା କିଛି ବର୍ଷ ପୂର୍ବରୁ ମଙ୍ଗଳ ପୃଷ୍ଠରେ ମାନବ ପଠାଇବାକୁ ଲକ୍ଷ୍ୟ ରଖିଛି। ଆପୋ​ଲୋ ମିଶନର ରକେଟ ‘ସୈଟର୍ଣ୍ଣ-୫ ଠାରୁ ‘ଆର୍ଟିମିସ୍‌ ମିଶନ’ର ରକେଟ ଢେର ଶକ୍ତିଶାଳୀ। ଏହା ମହାକାଶ ଯାତ୍ରୀଙ୍କୁ କେବଳ ବହୁଦୂର ନେଇଯିବ ତାହା ନୁହେଁ, ଏଥିରେ ଅଧିକ ସାମଗ୍ରୀ ମଧ୍ୟ ନିଆଯାଇ ପାରିବ। ଫଳରେ ମହାକାଶ ଯାତ୍ରୀମାନେ ଅଧିକ ସମୟ ମହାକାଶରେ ରହି ପାରିବେ।

Spread the love