September 19, 2024

Satya News

odia news channel

ସଂଶୟରେ ଅଭିବୃଦ୍ଧି ଲକ୍ଷ୍ୟ ପୂରଣ

 

ଭୁବନେଶ୍ୱର : କୋଭିଡ ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିଲେ ହେଁ ଏହାର ଗତି ଏବେବି ଅସ୍ଥିର ରହିଛି। ତେବେ କଟକଣା ହଟିବା ଏବଂ ଟିକାକରଣ ହାର ବଢ଼ିବା ସହିତ ଅର୍ଥନୀତି ଚଳଚଞ୍ଚଳ ହେବା କାରଣରୁ ଜାତୀୟସ୍ତରରେ ଅଭିବୃଦ୍ଧି ହାର ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ୧୩.୫ ପ୍ରତିଶତରେ ପହଞ୍ଚିଛି ଯାହାକୁ ଏକ ରେକର୍ଡଭାବେ ଧରାଯାଉଛି। ଜାତୀୟସ୍ତରର ଅଭିବୃଦ୍ଧି ଊର୍ଦ୍ଧ୍ବମୁଖୀ ହେବା ଅବସରରେ ଏବେ ଓଡ଼ିଶା ଅର୍ଥନୀତି ବିଷୟ ଚର୍ଚ୍ଚାକୁ ଆସିଛି। ଓଡ଼ିଶା ଅର୍ଥନୀତି ସର୍ଭେ ତଥ୍ୟ ଅନୁସାରେ ଗତ କିଛି ବର୍ଷ ଧରି ଓଡ଼ିଶାର ଅଭିବୃଦ୍ଧି ହାର ଜାତୀୟ ହାରଠୁ ଆଗରେ ରହୁଛି। ୨୦୨୦-୨୧ରେ ଓଡ଼ିଶା ଅର୍ଥନୀତି ଅଭିବୃଦ୍ଧି ହାର ବିଯୁକ୍ତ ୫.୩କୁ ଖସିଥିଲା।। କିନ୍ତୁ କୋଭିଡ ସଂକ୍ରମଣ ଦୂର ପରେ ଅଭିବୃଦ୍ଧି ହାର ୨୦୨୧-୨୨ ରେ ୧୦.୧ ପ୍ରତିଶତରେ ପହଞ୍ଚିଛି। ଏହା ଜାତୀୟ ଅଭିବୃଦ୍ଧି ହାର ( ୮.୮%)ଠାରୁ ଆଗରେ ରହିଛି ବୋଲି ଏଥିରେ ଦର୍ଶାଯାଇଛି।
କିନ୍ତୁ ରାଜ୍ୟରେ ସାମଗ୍ରିକ ଅଭିବୃଦ୍ଧି ହାର ଜାତୀୟ ହାରଠୁ ଆଗରେ ଥିଲେ ହେଁ ବିକାଶରେ ତାରତମ୍ୟ ରହିଛି। ମୁଣ୍ଡ ପିଛା ଆୟ, ନିଯୁକ୍ତି କ୍ଷେତ୍ରରେ ଓଡ଼ିଶା ଜାତୀୟ ହାରଠୁ ପଛରେ ରହିଛି। ଜିଡିପିକୁ କୃଷିର ଅବଦାନ ବର୍ଷକୁ ବର୍ଷ କମୁଛି। ଏକଦା ଅନ୍ୟାନ୍ୟ କ୍ଷେତ୍ରଠାରୁ ଜିଡିପି ଅଭିବୃଦ୍ଧିରେ ଆଗରେ ଥିବା କୃଷି ଏବେ ସେବା ଓ ଶିଳ୍ପ ପରେ ତୃତୀୟ ସ୍ଥାନକୁ ଖସିଆସିଛି। ୨୦୨୧-୨୨ରେ ରାଜ୍ୟ ଅର୍ଥନୀତିକୁ ସେବାରୁ ୩୯.୮୮, ଶିଳ୍ପରୁ ୩୯.୫୧ ଏବଂ କୃଷିରୁ ୨୦ ପ୍ରତିଶତ ଅବଦାନ ରହୁଛି। ଏସବୁ ସତ୍ତ୍ୱେ କୃଷି କ୍ଷେତ୍ର ଉପରେ ଏବେ ସର୍ବାଧିକ ୪୮ପ୍ରତିଶତ ଶ୍ରମଶକ୍ତି ନିର୍ଭର କରୁଥିବାବେଳେ ଶିଳ୍ପ କ୍ଷେତ୍ରରେ ଏହା ୨୭ ଓ ସେବାରେ ୨୫ ପ୍ରତିଶତରେ ସୀମିତ ରହିଛି। ଏଥିରୁ ସ୍ପଷ୍ଟ ଯେ କୃଷି ଉପରେ ନିର୍ଭରଶୀଳ ଶ୍ରମଶକ୍ତିର ଆୟ ଅପେକ୍ଷାକୃତ କମ୍‌।
ବଜେଟ ପୂର୍ବରୁ ବିଧାନସଭାରେ ଉପସ୍ଥାପିତ ଓଡ଼ିଶା ଅର୍ଥନୀତି ସର୍ଭେ ୨୦୨୧-୧୧ରେ ଆକଳନ କରାଯାଇଥିଲା ଯେ ମୌସୁମୀ ସ୍ୱାଭାବିକ ରହିଲେ, ତୈଳ ଦରରେ ସ୍ଥିରତା, ଯୋଗାଣ ଧାରା ଅବ୍ୟାହତ ଏବଂ କୋଭିଡ ସଂକ୍ରମଣ ଭୟ ନରହିଲେ ୨୦୨୨-୨୩ ଆର୍ଥିକ ବର୍ଷରେ ଓଡ଼ିଶାର ଅଭିବୃଦ୍ଧି ହାର ୯ରୁ ୯.୫ ପ୍ରତିଶତରେ ପହଞ୍ଚିବ। କିନ୍ତୁ ଏବେ କୋଭିଡ ଭୟ ନଥିଲେ ବି ଯୋଗାଣ ବ୍ୟବସ୍ଥା ଅସ୍ଥିର ରହିଛି। ମୌସୁମୀ ବର୍ଷାରେ ଅନିୟମିତତା କାରଣରୁ ରାଜ୍ୟରେ ଭୟଙ୍କର ବନ୍ୟା ପରିସ୍ଥିତି ଅଧା ଓଡ଼ିଶାରୁ ଭାତହାଣ୍ଡିକୁ ଉଜାଡ଼ି ଦେଇଛି। କୃଷି ଅର୍ଥନୀତି ଏହାଦ୍ୱାରା ସାଂଘାତିକ ଭାବେ ବାଧାପ୍ରାପ୍ତ ହେବାକୁ ଯାଉଛି। ଏହାଛଡ଼ା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ତଥା ବଜାର ଦରରେ ମାତ୍ରାଧିକ ବୃଦ୍ଧି ପାଇଛି। ଲୋକଙ୍କ କ୍ରୟ ଶକ୍ତି କମି କମି ଯାଉଛି। ମୁଦ୍ରାସ୍ଫୀତି ତେଜିବାରେ ଲାଗିଛି। ଏଥର ଖରିଫ ଉତ୍ପାଦନ ଲକ୍ଷ୍ୟ ପୂରଣ କରିବାର ଆଶା ମଧ୍ୟ କ୍ଷୀଣ। ତେଣୁ ଏସବୁ ପ୍ରସଙ୍ଗ ଅଭିବୃଦ୍ଧିର ବାଟ ଓଗାଳିବ ବୋଲି ଅର୍ଥନୀତିଜ୍ଞ ଭବିଷ୍ୟବାଣୀ କଲେଣି।
ବିଶେଷକରି ଜଳବାୟୁରେ ପରିବର୍ତ୍ତନ ସହିତ ଅନିୟମିତ ମୌସୁମୀ ବର୍ଷା କୃଷି କ୍ଷେତ୍ରକୁ ଉଜାଡ଼ିଥିବାବେଳେ ଅନ୍ୟାନ୍ୟ କ୍ଷେତ୍ର ଉପରେ ମଧ୍ୟ ଏହାର ପରୋକ୍ଷ ପ୍ରଭାବ ପଡ଼ିବା ଯଥେଷ୍ଟ ଆଶଙ୍କା ରହିଛି। ତେଣୁ ଅଭିବୃଦ୍ଧି ହାର ଖସିଲେ ସାମଗ୍ରିକ ଭାବେ ଅର୍ଥନୀତି ଉପରେ ଏହାର ଗଭୀର ପ୍ରଭାବ ପଡ଼ିବା ସହିତ ରାଜ୍ୟରେ ନିଯୁକ୍ତି କ୍ଷେତ୍ର ଆହୁରି ସଙ୍କୁଚିତ ହେବାର ସମ୍ଭାବନା ରହିଛି।
ସୂଚନାଯୋଗ୍ୟ ଯେ ଭାରତର ଅଭିବୃଦ୍ଧି ହାର ୨୦୧୯-୨୦ରୁ ୨୦୨୧-୨୨ ଭିତରେ (କେବଳ କୋଭିଡ ବର୍ଷ ୨୦୨୦-୨୧କୁ ଛାଡ଼ିଦେଲେ) ୧.୬ପ୍ରତିଶତ ଥିବାବେଳେ ଓଡ଼ିଶାର ଅଭିବୃଦ୍ଧି ହାର ଥିଲା ୪.୨ ପ୍ରତିଶତ। ଜାତୀୟ ହାରଠୁ ଅଭିବୃଦ୍ଧିରେ ଆଗରେ ରହିବା ପଛର ପ୍ରମୁଖ କାରଣ ହେଲା
ଏଠାରେ ନିର୍ମାଣ ଓ ଶିଳ୍ପ କ୍ଷେତ୍ରରେ (୧୪%) ଏବଂ ଖଣିଜରେ (୧୮%) ଦ୍ରୁତ ଅଭିବୃଦ୍ଧି ଘଟିଥିଲା।
ସରକାରୀ ହିସାବ କହୁଛି କେବଳ କୋଭିଡ ବ୍ୟାପିଥିବା ଗୋଟିଏ ବର୍ଷକୁ ଛାଡ଼ିଦେଲେ ୨୦୧୭ରୁ ୨୦୨୨ ମଧ୍ୟରେ ରାଜ୍ୟର ହାରାହାରି ଅଭିବୃଦ୍ଧି ହାର ୯.୨ପ୍ରତିଶତ ରହିଛି। ରାଜ୍ୟର ମୁଣ୍ଡ ପିଛା ଆୟ ୨୦୧୬ରୁ ୨୦୨୨ ମଧ୍ୟରେ ୧୧.୬ ପ୍ରତିଶହ ହାରରେ ବଢ଼ିଥିିବାବେଳେ ଜାତୀୟସ୍ତରରେ ଏହି ହାର ୮ପ୍ରତିଶିତ ଥିଲା। ଦ୍ରୁତ ଆର୍ଥିକ ଅଭିବୃଦ୍ଧି, ପୁଞ୍ଜିନିବେଶ ଓ ନିଯୁକ୍ତି ସୃଷ୍ଟି ଯୋଗୁଁ ଏହା ସମ୍ଭବ ହୋଇପାରିଛି ବୋଲି କୁହାଯାଇଥିଲା। ମାତ୍ର ଅର୍ଥନୀତି ସର୍ଭେ ରିପୋର୍ଟ କହୁଛି ଓଡ଼ିଶାରେ ବେକାରୀ ହାର ଜାତୀୟ ହାରଠୁ ଅଧିକ ରହିଛି।
ଉଲ୍ଲେଖଯୋଗ୍ୟ ବିଷୟ ହେଲା ରାଜ୍ୟରେ କୋଭିଡ ବର୍ଷରେ ୨୦୨୦-୨୧ରେ ମୁଣ୍ଡ ପିଛା ଆୟ ଥିଲା ବିଯୁକ୍ତ ୦.୯ପ୍ରତିଶତ। କିନ୍ତୁ ଅର୍ଥନୀତି ଚଳଚଞ୍ଚଳ ହେବା ପରେ ୨୦୨୧-୨୨ରେ ମୁଣ୍ଡ ପିଛା ଆୟ ୧୬.୮ପ୍ରତିଶତକୁ ବଢ଼ିଛି। ରାଜ୍ୟରେ ମୁଣ୍ଡ ପିଛା ଆୟ ୨୦୧୧-୧୨ରେ ୪୮,୪୯୯ଟଙ୍କାରୁ ୨୦୨୧-୨୨ ସୁଦ୍ଧା ୧୦ ବର୍ଷରେ ୧,୨୭,୩୮୩ଟଙ୍କାକୁ ବଢ଼ିଛି। କିନ୍ତୁ ଏହି ସମୟ ଭିତରେ ଭାରତର ମୁଣ୍ଡ ପିଛା ଆୟ ୨୦୧୧-୧୨ରେ ୬୩, ୪୬୨ଟଙ୍କାରୁ ୨୦୨୧-୨୨ ସୁଦ୍ଧା ୧,୫୦,୩୨୬ ଟଙ୍କାରେ ପହଞ୍ଚିଛି। ତେଣୁ ରାଜ୍ୟରେ ମୁଣ୍ଡ ପିଛା ଆୟ ବଢୁଥିଲେ ହେଁ ଏହା ଏବେବି ଜାତୀୟ ହାରଠୁ ପଛରେ ରହିଛି। ସେହିପରି ବେକାରୀ ହାର ଜାତୀୟସ୍ତରରେ ୪.୮ପ୍ରତିଶତ ଥିବାବେଳେ ଓଡ଼ିଶାରେ ୬.୨ପ୍ରତିଶତ ରହିଛି।

Spread the love