September 19, 2024

Satya News

odia news channel

ଡିଏଭି ପୋଖରୀପୁଟରେ ୧୦୬ ମେଧାବୀ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧନା

 

ଭୁବନେଶ୍ୱର: ଡିଏଭି ପୋଖରୀପୁଟର ଦଶମ ଓ ଦ୍ୱାଦଶ ଶ୍ରେଣୀରେ ୯୫ ପ୍ରତିଶତରୁ ଉର୍ଦ୍ଧ୍ଵ  ନମ୍ବର ପ୍ରାପ୍ତ କରିଥିବା ମୋଟ ୧୦୬ (ଦଶମ-୭୩, ଦ୍ୱାଦଶ-୩୩) ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଭବ୍ୟ ସମାରୋହରେ ଆଇଆଇଏମ୍‍ର ନିର୍ଦ୍ଦେଶକ ପ୍ରଫେସର ଯଶୋବନ୍ତ ଜେନା ଯୋଗଦାନ କରି ମାତାପିତା ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଯଥୋଚିତ ସମ୍ମାନ ପ୍ରଦର୍ଶନ କରି ଶିକ୍ଷାନୁଷ୍ଠାନର ସମ୍ମାନ ରକ୍ଷା କରିବା ପ୍ରତ୍ୟେକ ବିଦ୍ୟାର୍ଥୀର ଧ୍ୟେୟ ହେବା ଉଚିତ ବୋଲି କହିଥିଲେ ।

ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଦ୍ୱାରା ପରିବେଷିତ ଚିତ୍ତାକର୍ଷକ ସମୂହଗାନ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍ ଡକ୍ଟର ଅରୁଣ କୁମାର ରଥ ସ୍ଵାଗତ ପରିଚୟ ପ୍ରଦାନ କରିବା ସହ ମାନବିକ ମୂଲ୍ୟବୋଧ, କଠୋର ପରିଶ୍ରମ ତଥା ଭବିଷ୍ୟତରେ ଆଦର୍ଶ ବ୍ୟକ୍ତିରୂପେ ନିଜକୁ ପ୍ରତିଷ୍ଠିତ କରିବା ନିମନ୍ତେ ଉଦ୍‍ବୋଧନ ଦେଇଥିଲେ । ନିଷ୍ଠା, ଏକାଗ୍ରତା ଓ ସାହସ ଦ୍ଵାରା ଡିଏଭି ଅନୁଷ୍ଠାନକୁ ସମଗ୍ର ରାଜ୍ୟରେ ସ୍ଵତନ୍ତ୍ର ସ୍ଥାନରେ ଉପନୀତ କରିବାରେ ବିଦ୍ୟାର୍ଥୀ, ଶିକ୍ଷକ-ଶିକ୍ଷୟିତ୍ରୀ ତଥା ଅଭିଭାବକଙ୍କର ସହଯୋଗ ଅତ୍ୟନ୍ତ ପ୍ରଶଂସାଯୋଗ୍ୟ ବୋଲି କହିଥିଲେ ।

ବିଦ୍ୟାଳୟର ଅଧ୍ୟକ୍ଷା ତଥା ଡିଏଭି ଅନୁଷ୍ଠାନ ସମୂହର ସହ ଆଞ୍ଚଳିକ ନିର୍ଦ୍ଦେଶିକା ଡ. ସୁଜାତା ଅନୁଷ୍ଠାନର ସଫଳତା ବିବରଣୀ ପ୍ରଦାନ କରି ବିଦ୍ୟାର୍ଥୀ ତଥା ଅଭିଭାବକମାନଙ୍କୁ ଶୁଭେଚ୍ଛା ଜ୍ଞାପନ ସହ ସେମାନଙ୍କର ଉତ୍ତରୋତ୍ତର ଅଭିବୃଦ୍ଧି କାମନା କରିଥିଲେ । ପ୍ରତିଭାଧାରୀ ବିଦ୍ୟାର୍ଥୀ ନୃତ୍ୟଶିଳ୍ପୀଙ୍କ ଚିତ୍ତାକର୍ଷକ ନୃତ୍ୟ ଏହି ବର୍ଣ୍ଣାଢ୍ୟ ପରିବେଶକୁ ମୁଖରିତ କରିଥିଲା ।

ଏହି ଭବ୍ୟ କାର୍ଯ୍ୟକ୍ରମରେ ଡିଏଭି ଅନୁଷ୍ଠାନ ସମୂହର ନିର୍ଦ୍ଦେଶକ ଡ. କେ.ସି ଶତପଥୀ, ଡିଏଭି ଚନ୍ଦ୍ରଶେଖରପୁରର ପରିଚାଳନା ସମିତିର ଭାଇସ୍ ଚେୟାରମ୍ୟାନ୍‍ ଶତର ଚନ୍ଦ୍ର ମିଶ୍ର, ଡିଏଭି କଳିଙ୍ଗନଗର ପରିଚାଳନା ସମିତିର ଚେୟାରମ୍ୟାନ୍‍ ମଦନ ମୋହନ ପଣ୍ଡା , ଡିଏଭି ପୋଖରୀପୁଟର ମ୍ୟାନେଜର ଡକ୍ଟର ଭାଗ୍ୟବତୀ ନାୟକ, ଡିଏଭି ୟୁନିଟ୍‌- ୮ ଅଧ୍ୟକ୍ଷା ଈପ୍‌ସିତା ଦାସ , ଡିଏଭି କଳିଙ୍ଗନଗର ଅଧ୍ୟକ୍ଷ ବିପିନ କୁମାର ସାହୁଙ୍କ ସମେତ ଡିଏଭି ଅନୁଷ୍ଠାନର ସମସ୍ତ ଅଧ୍ୟକ୍ଷ ଅଧ୍ୟକ୍ଷା ତଥା ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସାଂସ୍କୃତିକ ବିଭାଗର ମୁଖ୍ୟ ଶିକ୍ଷୟିତ୍ରୀ ସାରଦା ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love