July 13, 2025

ଲଘୁଚାପଜନିତ ପ୍ରବଳ ବର୍ଷା ନେଇ ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

 

ଭୁବନେଶ୍ୱର:  ଲଘୁଚାପଜନିତ ପ୍ରବଳ ବର୍ଷା ନେଇ ରାଜ୍ୟରେ ସତର୍କତା ଜାରି କରାଯାଇଛି। ଆଜି ଅତି ପ୍ରବଳ ବର୍ଷା ନେଇ ରାଜ୍ୟର ୬ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ, ବରଗଡ଼ ଓ ଅନୁଗୁଳ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ ଜାରି ହୋଇଛି ।

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହୁଥିବାରୁ ଆସନ୍ତା ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବା ଲାଗି ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି।

ଅନ୍ୟପକ୍ଷେ  ବର୍ଷା ମୁକାବିଲା  ପାଇଁ ବିଏମସି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ତଳିଆ ଅଞ୍ଚଳରେ ବର୍ଷାଜଳ ନିଷ୍କାସନ ପାଇଁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ୨୭ଟି ସମ୍ବେଦନଶୀଳ ସ୍ଥାନକୁ ଫୋକସରେ ରଖାଯାଇଛି। ଭୁବନେଶ୍ୱରରେ ୧୦ଟି ମୁଖ୍ୟ ଡ୍ରେନ୍ କାମ ସରିଛି।  ୩ଟି ଲିଙ୍କ୍ ଡ୍ରେନରୁ ୨ଟିର କାମ ସରିଥିବାବେଳେ ବାକି କାମ ଆସନ୍ତା ୧୫ ତାରିଖରେ ସରିବ ବୋଲି କହିଛନ୍ତି ବିଏମସି କମିଶନର ସଂଜୟ ସିଂ।

ସୂଚନାଥାଉ କି, ଲଘୁଚାପ ପ୍ରଭାବରେ କୋରାପୁଟ ଜିଲ୍ଲାରେ ଆରମ୍ଭ ହୋଇଛି ବର୍ଷା । ଏପଟେ ଜିଲ୍ଲାର ତଳୁଆ ଅଞ୍ଚଳ, ଜଳ ଭଣ୍ଡାର ଓ ନଦୀ ତଟବର୍ତ୍ତୀ ଅଞ୍ଚଳରେ ଲୋକଙ୍କ ସୁରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପମାନ ନିଆଯାଇଛି । ସମସ୍ତ ବ୍ଲକର ବିଡିଓ ଏବଂ ତହସିଲଦାରଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ରହିଛି ।

ଏପଟେ ଭଦ୍ରକ ଜିଲ୍ଲା ପ୍ରଶାସନ ମଧ୍ୟ ପ୍ରସ୍ତୁତି ଆରମ୍ଭ କରି ଦେଇଛି । ସମସ୍ତ ସହରାଞ୍ଚଳରେ ଯେମିତି ବର୍ଷା ଜଳ ନିଷ୍କାସନରେ ସମସ୍ୟା ନହୁଏ, ସେଥିପାଇଁ ସ୍ବତନ୍ତ୍ର ଦୃଷ୍ଟି ରହିଥିବା କହିଛନ୍ତି ଜିଲ୍ଲାପାଳ।  ବର୍ଷା ଜଳ ନିଷ୍କାସନ ପାଇଁ ପାଣି ପମ୍ପ ବ୍ୟବସ୍ଥା କରାଯାଇଛି।  ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ଆଲର୍ଟ ରହିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

 

Spread the love