July 13, 2025

ଜମ୍ମୁ ଓ କଶ୍ମୀରର ସୋପୋର୍‌ରେ ଆତଙ୍କଦାଦୀ ଆକ୍ରମଣ ୨ ପୁଲିସ ସହିଦ; ୨ ସାଧାରଣ ନାଗରିକ ନିହତ

 

ଜମ୍ମୁ: ଆଜି ଜମ୍ମୁ ଓ କଶ୍ମୀରର ବାରମୂଳା ଜିଲ୍ଲା ଅନ୍ତର୍ଗତ ସୋପୋର ସହରରେ ଆତଙ୍କବାଦୀମାନେ ଆକ୍ରମଣ କରିବାରୁ ଦୁଇଜଣ ପୁଲିସ କର୍ମଚାରୀ ସହିଦ ହୋଇଛନ୍ତି ଓ ଦୁଇଜଣ ସାଧାରଣ ନାଗରିକ ମଧ୍ୟ ନିହତ ହୋଇଥିବା କଥା ପୁଲିସ କହିଛି। ଏହି ଘଟଣାରେ ଅନ୍ୟ ତିନିଜଣ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ରୁଟିନ୍‌ ସିକ୍ୟୁରିଟି ଡିୟୁଟି କରୁଥିବା ସମୟରେ ଆଜି ଉତ୍ତର କଶ୍ମୀରର ସୋପୋର ସହରର ମୁଖ୍ୟ ଛକ ଆରାମପଡ଼ାରେ ପୁଲିସ ଓ ‘ସିଆର୍‌ପିଏଫ୍‌’ର ମିଳିତ ଟିମ୍‌ ଉପରକୁ ସନ୍ଦିଗ୍ଧ ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ସହିଦ ପୁଲିସ କର୍ମଚାରୀମାନେ ଥିଲେ ପାଟ୍ରୋଲ୍‌ ପାର୍ଟିର ଅଂଶବିଶେଷ।

ପୁଲିସ ଇନ୍‌ସ୍ ପେକ୍ଟର୍‌ ଜେନେରାଲ୍‌ ବିଜୟ କୁମାର କହିଛନ୍ତି, ଏହି ଆକ୍ରମଣ ଘଟଣାରେ ଦୁଇଜଣ ପୁଲିସ ସହିଦ ଓ ଦୁଇଜଣ ସାଧାରଣ ନାଗରିକ ନିହତ ହୋଇଛନ୍ତି। ଅନ୍ୟ ତିନିଜଣ ଆହତ ପୁଲିସ କର୍ମଚାରୀଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ଆତଙ୍କବାଦୀମାନଙ୍କୁ ଧରିବା ଲାଗି ସମ୍ପ୍ରତି ସମ୍ପୃକ୍ତ ଅଞ୍ଚଳକୁ କର୍ଡନ୍‌ କରାଯାଇଛି। ନିଜେ ଘଟଣାସ୍ଥଳରେ ପହଞ୍ଚିଥିବା କଥା ମଧ୍ୟ କୁମାର ସୂଚନା ଦେବା ସହ ଆକ୍ରମଣକାରୀଙ୍କୁ ଧରିବା ଲାଗି ଅଭିଯାନ ଆରମ୍ଭ ହୋଇଥିବା କଥା କହିଛନ୍ତି।

Spread the love