February 15, 2026

ଅଟୋ ଚାଳକଙ୍କ ପାଇଁ କାଳ ହେଲା କରୋନା

 

ଭୁବନେଶ୍ୱର(ବିବର୍ତ୍ତନ ପଣ୍ଡା) ମହାମାରୀ କରୋନା ସମଗ୍ର ବିଶ୍ୱର ଆର୍ଥିକ ସ୍ଥିତି ଖରାପ୍ କରିଥିବା ବେଳେ, ନିମ୍ନ ମଧ୍ୟବିତ୍ତ ଓ ଖଟିଖିଆ ଲୋକଙ୍କ ମେରୁଦଣ୍ଡ ଉପରେ ଯେମିତି ଶକ୍ତ ପ୍ରହାର କରିଛି । ପ୍ରଥମ ଲହର ପରେ ଦ୍ଵିତୀୟ ଲହର ତାଲା ବନ୍ଦର ପ୍ରଭାବ  ଲୋକଙ୍କ ପାଇଁ ଅନେକ ଯନ୍ତ୍ରଣା ଆଣିଦେଇଛି । ଅନେକ ମହାମାରୀ ପାଇଁ ନିଜ ବେଉସା ବଦଳାଇଥିବା ବେଳେ, ଅନେକ ଲୋକ ନୂଆ ଆଶା ନେଇ ବସିରହିଛନ୍ତି । ତେବେ ଏଭଳି ସ୍ଥିତି ରେ ଅଟୋ ଚାଳକଙ୍କ କଥା ନକହିବା ଭଲ।

ରାଜଧାନୀ ଛାତି ଉପରେ ପରିବାର ସହ ବସବାସ କରିବା କେତେ ବ୍ୟୟସାପେକ୍ଷ ତାହା ଊଣା ଅଧିକେ ପ୍ରାୟ ସଭିଙ୍କୁ ଜଣା । ଆଉ ଏ ମହାମାରୀ ଏବଂ ତାଲା ବନ୍ଦ ସ୍ଥିତିରେ ସବୁକିଛି ଠପ୍ ହୋଇଥିବା ବେଳେ ଏକ ଅଟୋ ଚାଳକର ସ୍ଥିତି ଥରେଅନୁମାନ କରନ୍ତୁ । ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଉର୍ମିଳା ନାୟକ, ବୟସ ପାଖାପାଖି ୫୫ ଛୁଇଁଲାଣି। ପରିବାର କହିଲେ ନିଜ ଝିଅ ଜ୍ୱାଇଁଙ୍କ ସହ ଭୁବନେଶ୍ୱର ବିଶ୍ଵେଶ୍ୱର ବସ୍ତିରେ ବସବାସ କରନ୍ତି। ସମ୍ବଳ କହିଲେ ଋଣରେ କରିଥିବା ଅଟୋ । ଅଟୋ ଦୀର୍ଘ ଦିନ ଧରି ପଡି ରହିଛି , ଚକରେ କଳଙ୍କି ବି ଲାଗିଗଲାଣି। ଉର୍ମିଳାଙ୍କ ଜ୍ୱାଇଁ ଅଟୋ ଚଲେଇଲେ ଘରେ ଚୁଲି ଜଳେ। ମାସିକ ଘର ଖର୍ଚ୍ଚ, ଉର୍ମିଳାଙ୍କ ପାଇଁ ଔଷଧ ସହ ଅଟୋ ଋଣ କିସ୍ତି ବି ସୁଝିବାକୁ ଅଛି । ଦୀର୍ଘଦିନ ଧରି ଅଟୋ ଚଳାଚଳ କରୁନଥିବାରୁ କଷ୍ଟ ଆହୁରି ବଢ଼ିଯାଇଛି। ଅଟୋ ବନ୍ଦ ହେବା ପରେ ଜ୍ୱାଇଁ ମଜୁରୀ କାମ କଲେ ଘରେ ଚୁଲି ଜଳୁଛି। କରୋନା ଯେଉଁ ଯନ୍ତ୍ରଣା ଦେଇଯାଇଛି ସେଥିରେ ଅଣ୍ଟା ସଳଖି ଛିଡ଼ା ହେବା ଏମାନଙ୍କ ଲାଗି ମୁସ୍କିଲ ହୋଇ ପଡ଼ିଛି।
Spread the love