July 13, 2025

କେବେ ଦାଉ ଦାଉ ଜଳିବ ତନ୍ଦୁର ଭାଟି?

 

ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋର ବେହେରା ଢାବା। ଆଉ କଟକ ଗୋପାଳପୁରର ବିଜୟ ଢାବା ସହରରେ ପ୍ରାୟତଃ ପରିଚିତ।ପୂର୍ବରୁ ହରଦମ ଗହଳି ଲାଗୁଥିବା ଦ୍ୱୈତନଗରୀର ଏ ଢାବା ଦୁଇଟି ଏବେ ଖାଁ ଖାଁ। ତନ୍ଦୁରୀ, ମଟନ ଓ ମୁଡ଼ିଘାଣ୍ଟ ପାଇଁ ବେଶ୍ ନାଁ କମାଇଥିବା ବେହେରା ଢାବାର ତ ତନ୍ଦୁର ଭାଟିରେ ତ ବର୍ଷେ ହେଲା ନିଆଁ ଲାଗିନି। ହଣ୍ଡାରେ ଧୂଳି ଜମିଗଲାଣି। ୫୦ରୁ ଅଧିକ ଆଇଟମ୍ ହେଉଥିବା ଏହି ଢାବାରେ ଏବେ ଅତି ବେଶିରେ ୬-୭ଟି ଆଇଟମ ବନୁଛି। କର୍ମଚାରୀ ସଂଖ୍ୟା ବି ୫୦ରୁ ଖସି ୨୨ରେ। କଟକଣା ପାଇଁ ବସି ଖାଇବାର ସୁଯୋଗ ନଥିବାରୁ ଗ୍ରାହକ ଗୋଟିଏ ଦିଟା ଆଇଟମ୍‌ର ପାର୍ସଲ ଧରି ପଳାଉଛନ୍ତି।

ସେହିପରି ୧୨୦ ଷ୍ଟାଫ୍‌ରେ ଚାଲୁଥିବା ବିଜୟ ଢାବା ଏବେ ମାତ୍ର ୧୮ ଜଣରେ ଚାଲିଛି। ଯେଉଁଠି ଖାଇବାକୁ ପ୍ରତିଦିନ ହଜାର ହଜାର ଲୋକଙ୍କ ଭିଡ଼ ଜମୁଥିଲା, ସେଠି ଏବେ ୩୦ରୁ ୪୦ ପାର୍ସଲରେ ସୀମିତ ରହୁଛି ବେପାର। ଏନ୍ଏଚ୍‌ରେ ଚାଲୁଥିବା ଟ୍ରକ୍ ଭରସାରେ ଢାବା ଖୋଲୁଥିଲେ ବି ବହୁ ଡ୍ରାଇଭର, ହେଲ୍ପର ନିଜେ ରୋଷେଇ କରି ଖାଉଛନ୍ତି।
ଓଡ଼ିଶାର ଏନ୍ଏଚ୍ ଓ ରାଜ୍ୟ ସଡ଼କ କଡ଼ରେ ପାଖାପାଖି ହଜାରେ ଢାବା ଅଛି। ଏସବୁ ଢାବା ଉପରେ ନିର୍ଭର କରି ଜୀବନ ବିତାଉଛନ୍ତି ୪୦ରୁ ୫୦ ହଜାର କର୍ମଚାରୀଙ୍କ ପରିବାର। ଏବେ ସମସ୍ତଙ୍କ ଅପେକ୍ଷା- କେବେ ଯିବ ଏ କାଳ ମହାମାରୀ। କେବେ ଢାବାରେ ବସି ପୁଣି ଖାଇବା ଅର୍ଡର ଦେବେ ଲୋକେ, ପୁଣି କେବେ ଦାଉ ଦାଉ ଜଳିବ ତନ୍ଦୁର ଭାଟି।

 

Spread the love