କଟକ: ସରକାରଙ୍କ ନିଷ୍ପତିରେ ହସ୍ତକ୍ଷେପ କରିବାକୁ ମନା କଲେ ହାଇକୋର୍ଟ । ପୁରୀ ଛଡ଼ା ଅନ୍ୟ ସ୍ଥାନରେ ରଥଯାତ୍ରା ହେବନି ବୋଲି ରାଜ୍ୟ ସରକାର ନିଷ୍ପତି ନେଇଥିଲେ । ହେଲେ ସରକାରଙ୍କ ଏହି ନିଷ୍ପତିକୁ ବିରୋଧ କରି ବିଭିନ୍ନ ସଂଗଠନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତେବେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଯାହା ବି ନିଷ୍ପତି ନେଇଛନ୍ତି ସେଥିରେ ହାଇକୋର୍ଟ ହସ୍ତକ୍ଷେପ କରିବେନି ବୋଲି ସିଧାସଳଖ ମନା କରିଦେଇଛନ୍ତି ।
ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି କେନ୍ଦ୍ରାପଡ଼ା ଓ ଭଟଲୀରେ ରଥଯାତ୍ରା ପାଇଁ ହାଇକୋର୍ଟରେ ମାମଲା ହୋଇଥିଲା । କେନ୍ଦ୍ରାପଡ଼ା ପାଇଁ ୪ଟି ଓ ଭଟଲୀ ପାଇଁ ଗୋଟିଏ ମାମଲା ହୋଇଥିଲା । ତେବେ ରଥଯାତ୍ରା ନେଇ ସରକାରୀ ନିଷ୍ପତ୍ତିରେ ହସ୍ତକ୍ଷେପ ପାଇଁ ମନା କରିବା ସହ ସବୁ ମାମଲାର ଅନ୍ତ ଘଟାଇଛନ୍ତି ହାଇକୋର୍ଟ । ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଯିବେ ବୋଲି ଆବେଦନକାରୀଙ୍କ ଓକିଲ ସଚନା ଦେଇଛନ୍ତି ।
କୋଭିଡ୍ ସଂକ୍ରମଣ ପାଇଁ କେବଳ ପୁରୀରେ ରଥଯାତ୍ରା ଲାଗି ରାଜ୍ୟ ସରକାରଙ୍କ ଅନୁମତି ପରେ ଅନ୍ୟ ସ୍ଥାନରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ କୋଭିଡ୍ କଟକଣାରେ ଗଡ଼ିବାକୁ ଅନୁମତି ଲାଗି ଜୋର ଦାବି କରିଥିଲେ ସ୍ଥାନୀୟ ଓ କର୍ମୀ । ଜିଲ୍ଲା ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସହ ଜିଲ୍ଲାର ସବୁ ତହସିଲ୍ ଅଫିସ୍ ଆଗରେ ପ୍ରତିବାଦ ମଧ୍ୟ କରାଯାଇଥିଲା ।
ଖାଲି ସେତିକି ନୁହେଁ କେନ୍ଦ୍ରାପଡ଼ାରେ ରଥଯାତ୍ରା ପାଇଁ ସରକାର ଆନ୍ତରିକତା ଦେଖାନ୍ତୁ ବୋଲି ଏକ ପ୍ରେସ ରିଲିଜ୍ ଜରିଆରେ ମଧ୍ୟ ଦାବି କରିଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ସେ ଲେଖିଥିଲେ ଶ୍ରୀକ୍ଷେତ୍ର ଓ ତୁଳସୀକ୍ଷେତ୍ର ରଥଯାତ୍ରା ମଧ୍ୟରେ ଅନେକ ସାମଞ୍ଜସ୍ୟ ରହିଛି । ଏହା ଅଗଣିତ ଲୋକଙ୍କ ଧାର୍ମିକ ଭାବନା ସହ ଜଡ଼ିତ । କୋଭିଡ୍ କଟକଣାରେ ଏଠି ରଥଯାତ୍ରା ପାଇଁ ସରକାର ଚେଷ୍ଟା କରିବା ଉଚିତ୍ । ତେଣେ ବଳଦେବଜୀଉ ମନ୍ଦିରର କିଛି ସେବାୟତ ପୁରୀ ଗୋବର୍ଦ୍ଧନପୀଠ ଯାଇ ଶଙ୍କରାଚାର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଏକ ନିବେଦନପତ୍ର ମଧ୍ୟ ଦେଇଥିଲେ ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍