September 16, 2025

ପାଣି ତଳେ ଲୁଚି ରହିଛି ଅନେକ ରହସ୍ୟ, ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ କୀର୍ତ୍ତିରାଜି

 

ଚିତ୍ରକୋଣ୍ଡା: ମାଲକାନଗିରିର ବିସ୍ତୀର୍ଣ୍ଣ ବାଲିମେଳା ଜଳଭଣ୍ଡାରର ଅଥଳ ଜଳରାଶି ତଳେ ଲୁଚି ରହିଛି ଅନେକ ରହସ୍ୟ। ଜଳଭଣ୍ଡାର ଶୁଖିଲେ ଓ ଜଳସ୍ତର କମିଲେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ଚକିତ କଲା ଭଳି କୀର୍ତ୍ତିରାଜି। ଅନାବୃତ ହେଉଛି ଦିନେ ବିଚ୍ଛିନ୍ନାଞ୍ଚଳ କୁହାଯାଉଥିବା ଏହି ଆଦିବାସୀ ଇଲାକାର ଐତିହାସିକ ଗୁରୁତ୍ୱ। ବାଲିମେଳା ଜଳଭଣ୍ଡାରର ଜଳସ୍ତର କମିବା ପରେ ବହୁ ପୁରାତନ ଦୁର୍ଲଭ କୀର୍ତ୍ତିରାଜି ଏବେ ଲୋକ ଲୋଚନକୁ ଆସିଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢିଛି।

ସ୍ୱାଭିମାନ ଅଞ୍ଚଳର ପଣସପୁଟ ପଞ୍ଚାୟତର ଡମଗୁଡ଼ା ଗାଁରେ ଜଳ ତଳୁ ବାହାରିଛି ଏକ ପ୍ରାଚୀନ ଶୈବପୀଠର ଭଗ୍ନାବଶେଷ। ବାଲିମେଳା ଜଳଭଣ୍ଡାର ନିର୍ମାଣ ପରେ ଏହି ଗାଁକୁ ଉଠିଆସି ମାତ୍ର ୧୦ଟି ପରିବାର ରହୁଛନ୍ତି। ହେଲେ ସେମାନେ ଏହି ମନ୍ଦିରକୁ ଏବେ ପ୍ରଥମଥର ପାଇଁ ଦେଖୁଥିବା କହିଛନ୍ତି। କେବଳ ଏହି ମନ୍ଦିରର ଭଗ୍ନାବଶେଷ ନୁହେଁ, ଗଜାନନ ଓ ପକ୍ଷୀରାଜ ଗରୁଡ଼ଙ୍କ ଏସବୁ ଦୁର୍ଲଭ ପଥର ମୂର୍ତ୍ତି ସବୁ ବି ଦିନେ ପାଣି ତଳେ, ମାଟି ତଳେ ଲୁଚି ରହିଥିଲା, ଯାହାକି ଏବେ ଲୋକଲୋଚନକୁ ଆସିଛି।

ବର୍ଷବର୍ଷ ଧରି ଅନେକଙ୍କ ପାଇଁ ଅପହଞ୍ଚ ଥିବା ଏହି ଇଲାକାରେ କିଏ ତୋଳାଇଥିଲା ମନ୍ଦିର ? କିଏ ସ୍ଥାପନ କରିଥିଲା ଏତେ ସବୁ ଦେବମୂର୍ତ୍ତି ? ଏହାକୁ ନେଇ ଅନେକ ମତ ପ୍ରକାଶ ପାଇଛି। ଐତିହାସିକ ଓ ଗବେଷକଙ୍କ ମତରେ କାଳିଦାସଙ୍କ ମେଘଦୂତ କାବ୍ୟରେ ବର୍ଣ୍ଣିତ ମାଲ୍ୟାବନ୍ତଗିରି ହେଉଛି ଏବେକାର ମାଲକାନଗିରି। ତେବେ ମନ୍ଦିର ପ୍ରତିଷ୍ଠା ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି।  କିଏ କହେ ଜୟପୁର ରାଜା ମଲ୍ଲିକ ମର୍ଦ୍ଦନ ସିଂଦେଓ ସାମ୍ରାଜ୍ୟ ବିସ୍ତାର ପାଇଁ ଚିତ୍ରକୋଣ୍ଡା ଆସି ରାଜ୍ୟର ଦ୍ୱିତୀୟ ବୃହତ ଶିବମନ୍ଦିର ପ୍ରତିଷ୍ଠା କରିଥିଲେ ତ ଆଉ କିଏ କହେ ଚତୁର୍ଦ୍ଦଶ ଶତାବ୍ଦୀ ପୂର୍ବରୁ ଚିତ୍ରକୋଣ୍ଡା ଅଞ୍ଚଳରେ ମତମୟ ସଂପ୍ରଦାୟ ନୀଳକଣ୍ଠେଶ୍ୱର ମନ୍ଦିର ସ୍ଥାପନ କରିଥିଲେ। ପଞ୍ଚଦଶ ଶତାବ୍ଦୀରେ ନନ୍ଦପୁର ରାଜାଙ୍କ ଅମଳରେ ମାଲକାନଗିରି ଜିଲ୍ଲା ଉଡ଼ାଡ଼ି ଅଞ୍ଚଳରେ ବଲୋଭ ନାରାୟଣ ମନ୍ଦିର ପ୍ରତିଷ୍ଠା ନେଇ ମଧ୍ୟ ମତ ପ୍ରକାଶ ପାଇଛି।

ତେବେ ସ୍ୱାଭିମାନ ଅଞ୍ଚଳର ଏହି ଇଲାକାରୁ ପ୍ରାଚୀନ କୀର୍ତ୍ତିରାଜି ମିଳିବା ପରେ, ଏହା ରକ୍ଷଣାବେକ୍ଷଣ ଓ ଅଧିକ ଅନୁସନ୍ଧାନ ପାଇଁ ସରକାର ପଦକ୍ଷେପ ନେବା ଅାବଶ୍ୟକ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Spread the love