February 15, 2026

ବଢିଲା ପାନ୍ କାର୍ଡ ସହ ଆଧାର ଲିଙ୍କ୍ ଅବଧି

 

ଭୁବନେଶ୍ୱର: ପୁଣି ୩ ମାସ ବଢିଲା ପାନ୍ କାର୍ଡ ସହ ଆଧାର ଲିଙ୍କ୍ ଅବଧି। ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ଯାଏଁ ଏହି ଅବଧିକୁ ବଢାଇ ଦିଆଯାଇଛି। ପୂର୍ବରୁ ପାନ୍ ସହ ଆଧାର ଲିଙ୍କର ଡେଡଲାଇନ୍ ଜୁନ୍ ୩୦ ତାରିଖ ଥିଲା। ତେବେ କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ନେଇ ଆଜି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପୂର୍ବରୁ ମଧ୍ୟ ବହୁବାର ପାନ୍ ସହ ଆଧାର ଲିଙ୍କର ଅବଧିକୁ ବଢାଯାଇଥିଲା।

ସେହିପରି କୋଭିଡ୍ ଚିକିତ୍ସା ଲାଗି ଦିଆଯାଇଥିବା ସାହାଯ୍ୟ କିମ୍ବା ଦାନ ଉପରେ ମଧ୍ୟ କୌଣସି ଟିକସ ପଡିବ ନାହିଁ। କରୋନାରେ ହୋଇଥିବା ମୃତ୍ୟୁ ପରେ ମିଳୁଥିବା କ୍ଷତିପୂରଣ ଉପରେ ଟିକସ ଦେବାକୁ ପଡିବ ନାହିଁ। ଯଦି କୌଣସି ନିଯୁକ୍ତିଦାତା ନିଜର କର୍ମଚାରୀଙ୍କ କୋଭିଡ ଚିକିତ୍ସା ପାଇଁ ଅର୍ଥ ଖର୍ଚ୍ଚ କରିଥିବେ। ତେବେ ତାହା ଉପରେ ଟିକସ ଲାଗିବ ନାହିଁ। ସେହିପରି ଆୟକରଦାତାଙ୍କ ପାଇଁ ବିଭିନ୍ନ ବର୍ଗରେ ଟିକସ ପୈଠ ପାଇଁ ଥିବା ସମୟସୀମାକୁ ମଧ୍ୟ ବଢାଇଛନ୍ତି କେନ୍ଦ୍ର ସରକାର।
Spread the love