September 16, 2025

ଅସହାୟ ଶିକ୍ଷା ବ୍ୟବସ୍ଥା: ସବୁ ଜାଣିଛି, କିଛି କରିପାରୁନି

 

ଜୀବନ, ଜୀବିକା, ବ୍ୟବସ୍ଥା ସବୁକିଛିକୁ ବିପର୍ଯୟ କରିଦେଇଛି କରୋନା। ଗୋଟିଏ ଭାଇରସ ଉଜାଡ଼ି ଦେଇଛି ଆମର ସବୁ ବ୍ୟବସ୍ଥା। ଆମର ଜୀବନ, ଜୀବିକା, ସ୍ୱାସ୍ଥ୍ୟ, ଶିକ୍ଷା….ସବୁକିଛି। ଧ୍ୱଂସସ୍ତୁପ ଉପରେ ଠିଆ ହୋଇ ଯେମିତି ମଣିଷକୁ ଉପହାସ କରୁଛି। ବିଶେଷ କରି ଆମ ଶିକ୍ଷା ବ୍ୟବସ୍ଥାରେ ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି କରିଛି କରୋନା। ଗୋଟିଏ ପରେ ଗୋଟିଏ ପରୀକ୍ଷା ବାତିଲ ହେଉଛି। ବିନା ପରୀକ୍ଷାରେ ବାହାରୁଛି ରେଜଲ୍ଟ…

ମହାମାରୀ କରୋନା ସମୟରେ ସବୁଠାରୁ ବଡ଼ ଆହ୍ୱାନ ଦୁଇ କ୍ଷେତ୍ରକୁ ନେଇ। ଗୋଟିଏ ସ୍ୱାସ୍ଥ୍ୟ ଓ ଅନ୍ୟଟି ଶିକ୍ଷା। ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଜି ଆମେ କେତେ ପଛରେ, ତାହା ଜଳଜଳ ଦେଖାଯାଉଛି। ଅକ୍ସିଜେନଠାରୁ ଆରମ୍ଭ କରି ଆଇସିୟୁ ଓ ଭେଣ୍ଟିଲେଟରକୁ ନେଇ କେତେ ଦହଗଞ୍ଜ ହେଉଛି, ତାହା କହିବାର ଆବଶ୍ୟକତା ନାହିଁ। ହୁଏତ ପରିସ୍ଥିତିରେ ସୁଧାର ଆଣିବା ପାଇଁ ଆମେ ବିକଳ୍ପ ଖୋଜୁଛେ। କିନ୍ତୁ ତାହା ସହଜ ହେଉନାହିଁ।

ଶିକ୍ଷା ବ୍ୟବସ୍ଥା ମଧ୍ୟ କରୋନା ସମୟରେ ଦୋହଲି ଯାଇଛି। ଥଳକୂଳ ବି ମିଳୁନି। କ’ଣ କରିବା ଓ ନ କରିବା ଭିତରେ ବଡ଼ ଦ୍ୱନ୍ଦ୍ୱ। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ଯୁବଗୋଷ୍ଠୀ ସମସ୍ତଙ୍କ ଭିତରେ ଅସମ୍ଭବ ଶଙ୍କା। କ’ଣ ହେବ ସେମାନଙ୍କ ଭବିଷ୍ୟତ? ଏପଟେ ଦ୍ୱନ୍ଦ୍ୱରେ ଛାତ୍ରଛାତ୍ରୀ ଓ ଅଭିଭାବକ। ସେପଟେ ଅସହାୟ ଅବସ୍ଥାରେ ପ୍ରଶାସନିକ ବ୍ୟବସ୍ଥା। ଲାଗୁଛି ଯାହା କରିବ କରୋନା କରିବ। ଏକ ଅଦୃଶ୍ୟ ଭୂତାଣୁ ସହ ଲଢ଼ିବା ଭିତରେ ଶିକ୍ଷା ବ୍ୟବସ୍ଥାର ବିକଟ ଚିତ୍ର ଦୃଶ୍ୟମାନ ହେବାରେ ଲାଗିଲାଣି। ଏବେ ପ୍ରଶ୍ନ କେମିତି ମୁକାବିଲା କରାଯିବ? ଆଗକୁ ବାଟ କ’ଣ? ଏ ବବାଦରେ ଆତ୍ମରକ୍ଷା ନୁହେଁ, ଆତ୍ମସମୀକ୍ଷା ଜରୁରୀ। ନିଜ ଦୋଷ ଦୁର୍ବଳତାକୁ ନ ଲୁଚାଇ, ବରଂ ତ୍ରୁଟି ଖୋଜିବାର ସମୟ ଆସିଲାଣି। ନିକଟରେ ଶିକ୍ଷା ବ୍ୟବସ୍ଥାକୁ ନେଇ ଆମର ନିଷ୍ପତ୍ତିକୁ ନେଇ ଅନେକ ଚର୍ଚ୍ଚା, ଆଲୋଚନା ଓ ସମାଲୋଚନା।

ଗୋଟିଏ ପରେ ଗୋଟିଏ ପରୀକ୍ଷା ବାତିଲ କରି ଚାଲିଛି ଆମ ବ୍ୟବସ୍ଥା, ପ୍ରଶାସନ ଓ ସରକାର। ସରକାର ଏହାକୁ ସହଜ ବିକଳ୍ପ ବୋଲି ଭାବିଛନ୍ତି ନା ଆଉ କିଛି ବିକଳ୍ପ ନାହିଁ? କାହିଁକି ଏଭଳି ନିଷ୍ପତ୍ତି ନିଆଯାଉଛି, ତାହା ସରକାରଙ୍କୁ ଜଣା। କିନ୍ତୁ ଶିକ୍ଷା ବ୍ୟବସ୍ଥାକୁ ନେଇ ଆମ ବ୍ୟବସ୍ଥାର ଅସହାୟତାକୁ ଏହା ସୂଚଉଛି। ହୁଏତ ଏହା କୁହାଯାଇପାରେ, ଏହି ଅସହାୟତା କେବଳ ଆମ ରାଜ୍ୟ ସରକାରଙ୍କ କ୍ଷେତ୍ରରେ ଦେଖାଯାଉଛି ତା’ ନୁହେଁ, ସାରା ଦେଶରେ ପ୍ରାୟ ଏହି ଅବସ୍ଥା। ଏହାକୁ ଆମେ ଏକ ପରିସ୍ଥିତିଗତ ବାଧ୍ୟବାଧକତା ବୋଲି କହିପାରନ୍ତି।

ପ୍ରଧାନମନ୍ତ୍ରୀଙ୍କ ଠାରୁ ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ କହୁଛନ୍ତି ପରୀକ୍ଷାଠାରୁ ଜୀବନ ଗୁରୁତ୍ୱପୂର୍ଣ୍ଣ। ପିଲାଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ଆମର ପ୍ରାଥମିକତା। ଏହା ନିଶ୍ଚିତ। ଜୀବନ ଅମୂଲ୍ୟ। କିନ୍ତୁ ଜୀବନ ସହିତ କ୍ୟାରିୟର ବି କେମିତି ଆଗେଇବ, ଆମ ପକ୍ଷେ ଚିନ୍ତା କରିବା ସମ୍ଭବ ହେଲାନି। ଅର୍ଥାତ ଜୀବନ ଓ କ୍ୟାରିୟର ଭିତରେ କେମିତି ସନ୍ତୁଳନ ରକ୍ଷା କରାଯାଇପାରିବ, ତାହା ହୋଇପାରିଲାନି।

ପରୀକ୍ଷା ବାତିଲ ଦ୍ୱାରା ଦ୍ୱନ୍ଦ୍ୱର ଅବସାନ ହୋଇପାରେ, କିନ୍ତୁ ଶିକ୍ଷା ବ୍ୟବସ୍ଥା ଉପରେ କରୋନାର ଭୟ, ତାହା ଭାରୀ ହୋଇଗଲା। ଆମ ପକ୍ଷରେ ପ୍ରକୃତରେ ବିକଳ୍ପ ନାହିଁ ନା ଆମେ ବିକଳ୍ପ ଖୋଜୁ ନାହୁଁ? ଯଦି ବିକଳ୍ପ ଖୋଜନ୍ତେ, ତେବେ ସିବିଏସ୍‌ଇ ନିଷ୍ପତ୍ତିକୁ ଅପେକ୍ଷା କରନ୍ତେ ନାହିଁ।

ଆମର ବୋଧ ହୁଏ, ଅନ୍ୟକୁ ଅନୁକରଣ କରିବା ଏକ ପ୍ରବୃତ୍ତି ଓ ଅଭ୍ୟାସରେ ପରିଣତ ହୋଇଗଲାଣି। ଆମେ ନିଜସ୍ୱ ଚିନ୍ତନ ଅପେକ୍ଷା କେନ୍ଦ୍ରୀୟ ଢାଞ୍ଚାକୁ ଅନୁକରଣ କରିବା ପାଇଁ ବେଶୀ ଆଗ୍ରହ ପ୍ରକାଶ କରୁଛେ। କେବେ ଆମେ ଏଭଳି ଏକ ମଡେଲ ତିଆରି କରିବା, ଯେଉଁ ମଡେଲକୁ ଅନ୍ୟମାନେ ଅନୁକରଣ କରିବେ? ଆମେ ତ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ ଯାଉଛେ, ସିବିଏସ୍‌ଇ ବା କେନ୍ଦ୍ରୀୟ ବୋର୍ଡ ଯେଉଁ ନିଷ୍ପତ୍ତି ନେବ, ସେ ନିଷ୍ପତ୍ତିରେ କେବଳ ମୋହର ମାରିବା। ଏହା ନିଶ୍ଚିତ ଭାବରେ ଏକ ଭୟଙ୍କର ଟ୍ରେଣ୍ଡକୁ ଇଙ୍ଗିତ କରୁଛି।

ପ୍ରତିକୂଳ ପରିସ୍ଥିତି ପାଇଁ ଏ ପର୍ଯ୍ୟନ୍ତ ଆମେ କୌଣସି ବ୍ୟବସ୍ଥା କରିନେ। ଯଦି ଲମ୍ବା ସମୟ ଧରି ଏ ପ୍ରତିକୂଳତା ଜାରି ରୁହେ, ତା’ହେଲେ ଆମେ କ’ଣ କରିବା? ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଏସ୍‌ଓପି କରିଛେ। କିନ୍ତୁ ଶିକ୍ଷା ବିପର୍ଯ୍ୟୟର ମୁକାବିଲା ପାଇଁ କାହିଁକି ଆମେ ଏପର୍ଯ୍ୟନ୍ତ ଗୋଟିଏ ଏସ୍‌ଓପି ବା ଷ୍ଟାଣ୍ଡାର୍ଡ ଅପେରେଟିଂ ପ୍ରୋସିଡିୟର କରିନେ? ଏହା ଆମର ଆନ୍ତରିକତାର ଅଭାବ ନା ଅଦୂରଦର୍ଶିତା ? ନା ଶିକ୍ଷା ଆମ ପାଇଁ କେବେ ବି ପ୍ରାଥମିକତା ନୁହେଁ?

ପରୀକ୍ଷାର୍ଥୀଙ୍କ ମନରେ କ’ଣ ଏ ପ୍ରଶ୍ନ ଆସିବନି ଯେ ମୋର ଅତୀତ ମୋର ବର୍ତ୍ତମାନ ଓ ଭବିଷ୍ୟତକୁ କେମିତି ନିର୍ଦ୍ଧାରଣ କରିବ? ତା’ର ଉତ୍ତର ବୋଧ ହୁଏ, ଆମ ବ୍ୟବସ୍ଥା ପାଖରେ ଦେବା ମୁସ୍କିଲ। ଆଶା କରିବୁ ସରକାରଙ୍କ ଦ୍ୱାରା ଗଠିତ ମୂଲ୍ୟାୟନ କମିଟି ଏ ବାବଦରେ ଏକ ସଠିକ ଓ ଉଚିତ ପଦକ୍ଷେପ ନେବ। ପରୀକ୍ଷା ବାତିଲ କରିବା ସରକାରଙ୍କ ପାଖରେ ଏକ ବାଧ୍ୟବାଧକତା ହୋଇପାରେ। କିନ୍ତୁ ଗୋଟେ ପରୀକ୍ଷାର୍ଥୀ କେବେ ବି ନିଜ କ୍ୟାରିୟରକୁ ନେଇ ବୁଝାମଣା କରିପାରିବ ନାହିଁ। କିଛି ଶିକ୍ଷାବିତ ଏ ଯୁକ୍ତି ବି କରୁଛନ୍ତି ଯେ ବିନା ପରୀକ୍ଷାରେ ଡିଗ୍ରୀ ନାହିଁ। ତେବେ ବିନା ପାଠପଢ଼ାରେ ପରୀକ୍ଷା ବି କେମିତି ସମ୍ଭବ? ସେଥିପାଇଁ ୧୦୦ ଦିନର ସର୍ବନିମ୍ନ କ୍ଲାସ କରିବା ପାଇଁ ପ୍ରୟାସ ବି ହୋଇଥିଲା। କିନ୍ତୁ ତା’ ବି ସମ୍ଭବ ହୋଇପାରିଲା ନାହିଁ। ଆଉ ଅନଲାଇନ ପାଠପଢ଼ା, ସେକଥା ନ କହିବା ଭଲ।

ଶିକ୍ଷା ବ୍ୟବସ୍ଥାକୁ ନେଇ ଅଦ୍ଭୂତ ପରିସ୍ଥିତି। ଆଗକୁ ବାଟ କ’ଣ? କ’ଣ ଏହାର ସମାଧାନ? ପିଲାଙ୍କର ଭବିଷ୍ୟତ କେମିତି ସୁରକ୍ଷିତ ରହିପାରିବ? କେମିତି ପ୍ରଭାବିତ ହେବନି କ୍ୟାରିୟର? ସେଥିପାଇଁ ଆମର ବ୍ଲୁ ପ୍ରିଣ୍ଟ କ’ଣ? ଏମିତି ବି ନୁହେଁ ଯେ ଆମେ ଜାଣି ନଥିଲେ  ଶିକ୍ଷା ବ୍ୟବସ୍ଥାକୁ ନେଇ ଆମେ ଏକ ବଡ଼ ବିର୍ଯ୍ୟୟକୁ ସାମ୍ନା କରିବା ବୋଲି? ଆମକୁ ଆଗରୁ ସର୍ତକ ହେବାର ଥିଲା। କାରଣ ପୂର୍ବାନୁମାନ ଓ ଆକଳନ ହିଁ ଉତ୍ତମ ପ୍ରଶାସନ। ଏହା ବ୍ୟବସ୍ଥାର ଢିଲା ଆଭିମୁଖ୍ୟ ବୋଲି ଗ୍ରହଣ କରିବାକୁ ପଡ଼ିବ। ଯଦି ସରକାର କହୁଛନ୍ତି ଆମକୁ କରୋନା ସହ ବଞ୍ଚିବାକୁ ପଡ଼ିବ, ତେବେ ଆମକୁ କରୋନା ଭିତରେ କେମିତି ପରୀକ୍ଷା ପରିଚାଳନା କରିବାକୁ ପଡ଼ିବ, ସେ କଳା ବା କୌଶଳକୁ ଆପଣାଇବାକୁ ପଡ଼ିବ।

ଆମେ ବୋଧ ହୁଏ, ଏକଥା ଭାବିଲେ ନାହିଁ? କାହିଁକି ନା ଆମ ପାଖରେ ‘ବାତିଲ’ ଭଳି ଏକ ସହଜ ବିକଳ୍ପ ଥୁଆ ହୋଇଛି। ଏ ଅସ୍ତ୍ରକୁ ପ୍ରତିକୂଳ ପରିସ୍ଥିତି ଆସିଲେ ପ୍ରୟୋଗ କରାଯାଇ ପାରିବ। ଜୀବନ ସହ ଯଦି ଜୀବିକାକୁ ଦୃଷ୍ଟିରେ ରଖି ଆମେ ଉଦାର ହୋଇପାରୁଛେ, ଲକଡାଉନକୁ କୋହଳ କରିପାରୁଛେ, ତା’ହେଲେ ପରୀକ୍ଷାକୁ କାହିଁକି ସତର୍କତା ରଖି ପରିଚାଳନା କରିପାରିବା ନାହିଁ? ସ୍ୱାଭାବିକତା ଆସିଲେ ପରୀକ୍ଷା କରିବାର ପ୍ରୟାସ ନ କରି, ଆମେ ତୁରନ୍ତ ‘ବାତିଲ’ର ବିକଳ୍ପ ଖୋଜି ନେଉଛେ। ସଂକ୍ଷିପ୍ତ ପରୀକ୍ଷାର ବ୍ୟବସ୍ଥା, କମ ଦିନରେ ଓଏମଆର ଶିଟ୍‌ରେ ପରୀକ୍ଷାର ବ୍ୟବସ୍ଥା ମଧ୍ୟ କରିପାରନ୍ତେ। କିନ୍ତୁ ସମ୍ଭାବ୍ୟ ପ୍ରତିକୂଳ ପରିସ୍ଥିତିକୁ ଆଶଙ୍କା କରି, ଆମେ ସାହାସ ହରାଉନେ ତ? କାରଣ ସଭ୍ୟତା ସବୁବେଳେ ସଂଶୟରେ ନୁହେଁ ସାହାସରେ ଆଗକୁ ବଢ଼େ।

ଗୋଟିଏ କ୍ଷତି କଦାପି ବାରମ୍ବାର ହେବା ଉଚିତ ନୁହେଁ। ତା’ ପୁଣି ପରୀକ୍ଷାର୍ଥୀଙ୍କ କ୍ୟାରିୟରକୁ ନେଇ। କରୋନା ସମୟରେ ଆମେ ସବୁବେଳେ କୁହେ, ପ୍ରତ୍ୟେକ ସଙ୍କଟ ଗୋଟିଏ ସୁଯୋଗ ତିଆରି କରେ ବୋଲି। କିନ୍ତୁ ଶିକ୍ଷା କ୍ଷେତ୍ରରେ ସୃଷ୍ଟି ହୋଇଥିବା,ଏ ସଙ୍କଟର ମୁକାବିଲା ନ କରିପାରିବା ଏହା କ’ଣ ଆମ ବ୍ୟବସ୍ଥାର ଅପରାଗତାକୁ ସୂଚାଉ ନାହିଁ କି? ଶିକ୍ଷା ବ୍ୟବସ୍ଥାକୁ ନେଇ, କିଛି ଭିନ୍ନ ପ୍ରୟୋଗ ଓ ପ୍ରୟାସ କରାଯାଇ ପାରେ। ଅବଶ୍ୟ ଏକଥା ସତ ଯେ ସବୁ ପ୍ରୟୋଗ ଓ ପ୍ରୟାସ ଗୋଟିଏ ଥରରେ ସଫଳ ହୁଏ ନାହିଁ। ତେଣୁ ଆମକୁ କିଛି ଅଲଗା ଚିନ୍ତା କରିବାକୁ ପଡ଼ିବ। ଆମକୁ ପରିସ୍ଥିତି ମଧ୍ୟ ବାଧ୍ୟ କରୁଛି, କିଛି ନୂଆ ଚିନ୍ତା କରିବା ପାଇଁ। ଯଦି ଏବେ କିଛି ଚିନ୍ତା କରିବାନି, ତା’ହେଲେ ଭବିଷ୍ୟତ ପିଢ଼ି ହୁଏତ, ଆମକୁ କ୍ଷମା କରିବେନି? ତେଣୁ ପରୀକ୍ଷା ପଦ୍ଧତିରେ କି ପ୍ରକାରର ପରିବର୍ତ୍ତନ ଜରୁରୀ। ସେହି ପାରମ୍ପରିକ ପଦ୍ଧତିରୁ ହଟି କିଛି ଭିନ୍ନ କରିବାର ପ୍ରୟାସ ଆରମ୍ଭ ହେବା ଉଚିତ। ନିରନ୍ତର ମୂଲ୍ୟାଙ୍କନ ଏକ ଭଲ ବିକଳ୍ପ ହୋଇପାରେ।

ଆମେ ବର୍ତ୍ତମାନ ତୃତୀୟ ଲହରକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି। ହେଲେ ମନରେ ଏକ ଶଙ୍କା ଯେ ପ୍ରତ୍ୟେକ ଲହର ଆମ ଶିକ୍ଷା ବ୍ୟବସ୍ଥାକୁ ଆହୁରି କୋମାକୁ ନେଇଯିବନି ତ? ଏ ସବୁ ନିଷ୍ପତ୍ତି ହୁଏତ ଛାତ୍ରଛାତ୍ରୀଙ୍କୁ ସାମୟିକ ଆଶ୍ୱସ୍ତି ଦେଉଥାଇ ପାରେ। କିନ୍ତୁ ସେ ସମୟ ନ ଆସୁ ଯେତେବେଳେ ଏ ନିଷ୍ପତ୍ତିକୁ ନେଇ ସେମାନେ ଅନୁତାପ ଓ ପଶ୍ଚାତାପ କରିବେ। ଏଭଳି ସମୟରେ ଚାପ ଆମ ଚେତନାକୁ ଶାଣିତ କରିବ, ଏ ବିଶ୍ୱାସ ଆମ ସମସ୍ତଙ୍କୁ ରଖିବାକୁ ପଡ଼ିବ। ଶିକ୍ଷା ବିପର୍ଯ୍ୟୟକୁ ଏଡ଼ାଇବା ପାଇଁ ବିଚାରବିମର୍ଶ କରି କିଛି ନୂଆ ପନ୍ଥା, ଆପଣାଇବାର ସମୟ ଆସିଛି।

 

 

Spread the love