
ଧମା : ସ୍ବାଧୀନତାର ୭ ଦଶନ୍ଧି ଯାଏ ବିକାଶ ଠାରୁ ବହୁ ଦୂରରେ ରହିଆସିଛି ମାନେଶ୍ବର ବ୍ଲକ ଦେଓଗାଁ ଗ୍ରାମ ପଞ୍ଚାୟତର ତବଲୋଇ ଗାଁ। କିଛି ବର୍ଷ ତଳେ ଏହି ଗାଁ ଉପରେ ପ୍ରଶାସନର ନଜର ପଡ଼ିଥିଲା ଏବଂ କିଛିକାଂଶରେ ଉନ୍ନତିମୂଳକ କାର୍ଯ୍ୟ ହାତକୁ ନିଆଯାଇଛି। ଦୁର୍ଗମ ଇଲାକା ବନ ପାହାଡ଼ ମଝିରେ ଥିବା ଏହି ଗାଁକୁ ବର୍ତ୍ତମାନ ସୁଦ୍ଧା ଭଲ ରାସ୍ତାଟିଏ ନାହିଁ। ମୋବାଇଲ୍ ନେଟଵାର୍କ ସାତ ସପନ ପାଲଟିଛି। ରାସ୍ତା ନଥିବାରୁ ବ୍ଲକ ମୁଖ୍ୟାଳୟ ତ ଦୂରର କଥା ପଞ୍ଚାୟତ ସହ ମଧ୍ୟ ଏହି ଗାଁ ଅପହଞ୍ଚ ହୋଇ ରହିଛି।
ଦେଓଗାଁ ପଞ୍ଚାୟତ ମୁଖ୍ୟାଳୟରୁ ପାଖାପାଖି ୨୫ କିମି ଦୂରରେ ରହିଛି ଏହି ଗାଁ। ଗାଁକୁ ସଂଯୋଗ କରିବା ପାଇଁ ଅବଶ୍ୟ ଏବେ ନୂଆ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ଗାଁ ପାଇଁ ବିକାଶ ବାଧା ପାଇଛି ସତ, କିନ୍ତୁ ଲୋକଙ୍କ ଭିତରେ ସଚେତନତାର ଅଭାବ ନାହିଁ। ଯେଉଁ କାରଣରୁ ବିଶ୍ବକୁ କବଳିତ କରି ରଖିଥିବା କରୋନାର ଦ୍ବିତୀୟ ଲହର ଆସି ଚାଲି ଯାଇଥିଲେ ମଧ୍ୟ ଏହି ଗାଁରେ ପଶିପାରିନାହିଁ। ଗାଁରେ ପାଖାପାଖି ୫୦ ପରିବାରର ୨୫୦ରୁ ଅଧିକ ଲୋକ ବସବାସ କରନ୍ତି। ପେଟପାଟଣା ପାଇଁ ଏହି ଗାଁର ଲୋକେ ବାହାରକୁ ମଧ୍ୟ ଯିବା ଆସିବା କରିଥାନ୍ତି। ହେଲେ ଆଜି ପର୍ଯ୍ୟନ୍ତ ଗାଁର କୌଣସି ଲୋକ କରୋନାରେ ସଂକ୍ରମିତ ହୋଇ ନାହାନ୍ତି।
୨୦୨୦ ମେ’ ୧୭ରେ ଜିଲ୍ଲାରେ ପ୍ରଥମ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା। ଇତି ମଧ୍ୟରେ ବର୍ଷେରୁ ଅଧିକ ସମୟ ବିତି ସାରିଥିବା ବେଳେ କରୋନାର ଦ୍ବିତୀୟ ଲହର ବି ଶେଷ ହୋଇସାରିଛି। ଜିଲ୍ଲାରେ ମୋଟ ଉପରେ ୨୯,୬୨୬ ଜଣ ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି। କିନ୍ତୁ ସଚେତନତା କାରଣରୁ ତବଲୋଇ ଗାଁ ଆଜି ବି କରୋନା ମୁକ୍ତ ହୋଇ ରହିଛି। ଗ୍ରାମବାସୀ କରୋନା ସଂକ୍ରମିତ ହୋଇନାହାନ୍ତି, କିନ୍ତୁ କରୋନାଠାରୁ ରକ୍ଷା ପାଇବା ପାଇଁ ସରକାର କହିଥିବା ପ୍ରତ୍ୟେକ କଥା ପାଳନ କରନ୍ତି। ଗାଁର ଲୋକେ ଏବେ କରୋନା ଟିକା ନେବା ମଧ୍ୟ ଆରମ୍ଭ କରିଛନ୍ତି। ଶୁକ୍ରବାର ଗ୍ରାମରେ ୧୫୦ ଜଣଙ୍କର କରୋନା ପରୀକ୍ଷା କରାଯାଇଥିଲା। ସମସ୍ତଙ୍କ ରିପୋର୍ଟ ନେଗେଟିବ୍ ଆସିଥିଲା। ସଚେତନ ରହିଲେ କରୋନାକୁ ହରାଇ ପାରିବା ବୋଲି ଗ୍ରାମବାସୀ କହିଥିବା ବେଳେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍