November 22, 2024

Satya News

odia news channel

ୟୁଜି ପରୀକ୍ଷା ନେଇ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରସ୍ତୁତି: ଆଜିଠୁ କଲେଜ ଅଧ୍ୟକ୍ଷଙ୍କ ସମ୍ମିଳନୀ

 

ଭୁବନେଶ୍ବର : ୟୁଜି(ସ୍ନାତକ) ଶେଷ ବର୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନ୍‌ଲାଇନ୍‌ରେ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନି‌ର୍ଦେଶ ପରେ ଉତ୍କଳ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ‌ହୋଇଛି। ସମ୍ଭାବ୍ୟ ପରୀକ୍ଷା ତାରିଖ ସହ ଫର୍ମ ପୂରଣ ତାରିଖ ଘୋଷଣା କରାଯାଇଛି। ଏଥିସହ ସୋମବାରଠାରୁ ବିଶ୍ବବିଦ୍ୟାଳୟ ଅଧୀନ ଡିଗ୍ରି କଲେଜର ଅଧ୍ୟକ୍ଷମାନଙ୍କୁ ନେଇ ଭର୍ଚୁଆଲ ବୈଠକ କରାଯିବ। ଜୁନ୍‌ ୨୮ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୧ଟା ୩୦ ମଧ୍ୟରେ ପୁରୀ ଓ ଖୋର୍ଧା ଜିଲ୍ଲାର କଲେଜ ଅଧ୍ୟକ୍ଷଙ୍କ ବୈଠକ ହେବ। ୨୯ ତାରିଖରେ ପୂର୍ବାହ୍ନ ୧୧ଟାରୁ ୧୨ଟା ୩୦ ମଧ୍ୟରେ କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ଯାଜପୁର, ନୟାଗଡ଼ ଜିଲ୍ଲାର କଲେଜ ଏବଂ ଅପରାହ୍ନ ୩ଟାରୁ ୪ଟା ୩୦ ମଧ୍ୟରେ ଅନୁଗୁଳ, କଟକ ଓ ଢେଙ୍କାନାଳ ଜିଲ୍ଲାର କଲେଜ ଅଧ୍ୟକ୍ଷଙ୍କ ବୈଠକ ହେବ ବୋଲି ପରୀକ୍ଷା ନିୟନ୍ତ୍ରକ ଶରତ ଚନ୍ଦ୍ର ମାଝି କହିଛନ୍ତି।

ୟୁଜି ଶେଷ ସେମିଷ୍ଟର ରେଗୁଲାର ଓ ବ୍ୟାକ୍‌ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ ଜୁଲାଇ ୨ରୁ ୧୩ ମଧ୍ୟରେ ଅନୁଷ୍ଠିତ ହେବ। ପ୍ରଥମ, ଦ୍ବିତୀୟ ଓ ୪ର୍ଥ ସେମିଷ୍ଟର ବ୍ୟାକ୍‌ ପରୀକ୍ଷା ଲାଗି ଫର୍ମ ପୂରଣ ଜୁଲାଇ ୧୨ରୁ ୨୨ ମଧ୍ୟରେ କରାଯିବ। ଅନ୍‌ଲାଇନ୍‌ରେ ଫର୍ମ ପୂରଣ ଓ ଫି’ ଦାଖଲ କରାଯିବ। ପରୀକ୍ଷାର ୭ ଦିନ ପୂର୍ବରୁ କଲେଜଗୁଡ଼ିକ ପରୀକ୍ଷା ଫି’ ବିଶ୍ବବିଦ୍ୟାଳୟରେ ଦାଖଲ କରିବେ। କଲେଜଗୁଡ଼ିକ ପିଲାଙ୍କ ମୋବାଇଲ୍‌ ନମ୍ବର, ହ୍ବାଟ୍‌ସଆପ୍‌ ନମ୍ବର, ଇ-ମେଲ୍‌ ଆଇଡି, ମେଣ୍ଟରଙ୍କ ନାମ ଓ ମୋବାଇଲ୍‌ ନମ୍ବର ଅନ୍‌ଲାଇନ୍‌ ଫର୍ମରେ ଉଲ୍ଲେଖ କରିବା ବାଧ୍ୟତାମୂଳକ।

ୟୁୟୁଇଏମ୍‌ଏସ୍‌ ପୋର୍ଟାଲ୍‌ରୁ ଛାତ୍ରଛାତ୍ରୀ ଆଡମିଟ୍‌ କାର୍ଡ ଡାଉନ୍‌ଲୋଡ କରିପାରିବେ। କଲେଜଗୁଡ଼ିକ ଜୁଲାଇ ୧୫ ସୁଦ୍ଧା ୨୦ ମାର୍କର ଇଣ୍ଟରନାଲ ପରୀକ୍ଷା ଅନ୍‌ଲାଇନ୍‌ରେ କରାଇବେ। ଶେଷ ସେମିଷ୍ଟରର ପ୍ରାକ୍ଟିକାଲ ପରୀକ୍ଷା ଜୁଲାଇ ୧୬ରୁ ୩୧ ମଧ୍ୟରେ ଅନ୍‌ଲାଇନ୍‌ରେ ହେବାକୁ ଥିବା ବେଳେ ଅଗଷ୍ଟ ୫ରୁ ୧୨ ଯାଏ ଥିଓରି ପରୀକ୍ଷା କରାଯିବ। ଅଗଷ୍ଟ ୧୬ରୁ ୩୧ ମଧ୍ୟରେ ମୂଲ୍ୟାୟନ ହେବ। ଛାତ୍ରଛାତ୍ରୀଙ୍କ ବ୍ୟାକ୍‌ ପେପର୍‌ ପ୍ରାକ୍ଟିକାଲ ପରୀକ୍ଷା ଜୁଲାଇ ୨୪ରୁ ଅଗଷ୍ଟ ୪ ମଧ୍ୟରେ ଏବଂ ଥିଓରି ପରୀକ୍ଷା ଅଗଷ୍ଟ ୧୩ରୁ ୨୮ ମଧ୍ୟରେ କରାଯିବ। ଅଗଷ୍ଟ ୨୫ରୁ ସେପ୍ଟେମ୍ବର ୬ ମଧ୍ୟରେ ମୂଲ୍ୟାୟନ କରାଯାଇ ସେପ୍ଟେମ୍ବର ତୃତୀୟ ସପ୍ତାହରେ ଫଳ ପ୍ରକାଶ ପାଇବ।

ପରୀକ୍ଷାର ୩୦ ମିନିଟ୍‌ ପୂର୍ବରୁ ବିଶ୍ବବିଦ୍ୟାଳୟ ପକ୍ଷରୁ କଲେଜଗୁଡ଼ିକୁ ପ୍ରଶ୍ନପତ୍ର ପଠାଯିବ। କଲେଜ କର୍ତୃପକ୍ଷ ତାହାକୁ ପରୀକ୍ଷାର୍ଥୀଙ୍କୁ ପ୍ରଦାନ କରିବେ। ନ ହେଲେ ପରୀକ୍ଷାର ୫ ମିନିଟ୍‌ ପୂର୍ବରୁ ପରୀକ୍ଷାର୍ଥୀ www.uuems.in ପୋର୍ଟାଲରେ ନିଜର ରୋଲ ନମ୍ବର ଓ ଜନ୍ମ ତାରିଖ ଦେଇ ପ୍ରଶ୍ନପତ୍ର ଡାଉନ୍‌ଲୋଡ କରିପାରିବେ। କଲେଜ କର୍ତୃପକ୍ଷ ତଥା ବିଭାଗୀୟ ଅଧ୍ୟାପକମାନେ ପିଲାଙ୍କ ନିକଟରେ ପ୍ରଶ୍ନପତ୍ର ପହଞ୍ଚାଇବେ। ସମସ୍ତ ବିଷୟର ପରୀକ୍ଷାର ସମୟ ସୀମା ଦୁଇ ଘଣ୍ଟା ରହିବ। ପରୀକ୍ଷାର୍ଥୀ ଏ୪ ସାଇଜ୍‌ ପେପର୍‌ରେ ନାମ, ବିଶ୍ବବିଦ୍ୟାଳୟ ପଞ୍ଜୀକରଣ ନମ୍ବର, ରୋଲ୍‌ ନମ୍ବର, ବିଷୟ ନାମ ଆଦି ଲେଖିବେ। ପ୍ରତି ପୃଷ୍ଠାର ନମ୍ବରିଂ କରିବା ସହ ତଳ ଭାଗରେ ରୋଲ ନମ୍ବର ଲେଖିବେ। ପରୀକ୍ଷା ସରିବାର ୩୦ ମିନିଟ୍‌ ମଧ୍ୟରେ ପରୀକ୍ଷାର୍ଥୀ ଉତ୍ତର ଖାତାଗୁଡ଼ିକର ଫଟୋ ଉଠାଇ ତାହାର ପିଡିଏଫ୍‌ ଫାଇଲ୍‌ ପ୍ରସ୍ତୁତ କରି ସମ୍ପୃକ୍ତ କଲେଜର ଶିକ୍ଷକ ତଥା ବିଭାଗକୁ ଇ-ମେଲ୍‌/ହ୍ବାଟ୍‌ସଆପ୍‌/ଗୁଗଲ୍‌ ଫର୍ମରେ ପଠାଇବେ। ଯଦି ବୈଷୟିକ ତ୍ରୁଟି ଲାଗି ପରୀକ୍ଷାର୍ଥୀ ଅନ୍‌ଲାଇନ୍‌ରେ ଉତ୍ତର ଖାତା ପଠାଇପାରିବେ ନାହିଁ ତେବେ ସ୍ପିଡ୍‌ପୋଷ୍ଟରେ କଲେଜ ଠିକଣାରେ ପଠାଇହେବ। ଯଦି ବାଟରେ ଉତ୍ତର ଖାତା ହଜିଯାଏ ତେବେ ଏଥିପାଇଁ କଲେଜ କର୍ତୃପକ୍ଷ ଦାୟୀ ରହିବେ ନାହିଁ। ଗୁଗଲ୍‌ ମିଟ୍‌ରେ ବିଭାଗୀୟ ମୁଖ୍ୟମାନେ ପରୀକ୍ଷା ପରିଚାଳନା କରିବେ। ଅନ୍‌ଲାଇନ୍‌ ସୁବିଧା ନ ଥିବା ପରୀକ୍ଷାର୍ଥୀ ନିକଟସ୍ଥ ଉତ୍କଳ ବିଶ୍ବବିଦ୍ୟାଳୟ ଅନୁବନ୍ଧିତ ଯେକୌଣସି କଲେଜକୁ ଯାଇ ପରୀକ୍ଷା ଦେଇପାରିବେ ବୋଲି ଜାରି ଗାଇଡ୍‌ଲାଇନ୍‌ରେ କୁହାଯାଇଛି।

Spread the love