
ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକ ମାମଲାରେ ଆଜି ସୁପ୍ରିମ୍କୋର୍ଟର ବିଚାରପତି ଅଶୋକ ଭୂଷଣ ଓ ବିଚାରପତି ଏମ୍.ଆର୍. ଶାହାଙ୍କ ଖଣ୍ଡପୀଠ ଦ୍ବାରା ପ୍ରକାଶିତ ୮୦ ପୃଷ୍ଠାର ରାୟରେ ଓଡ଼ିଶାର ଦାଦନ ଶ୍ରମିକ ପ୍ରସଙ୍ଗରେ ଉଲ୍ଲେଖ କରାଯାଇଛି। ଆଇନ ପାରିତ ହେବା ସମୟରେ ‘ଷ୍ଟେଟ୍ମେଣ୍ଟ ଅଫ୍ ଅବ୍ଜେକ୍ଟସ୍ ଆଣ୍ଡ୍ ରିଜିନ୍ସ’ରେ ଓଡିଶାର ଦାଦନ ଶ୍ରମିକ ପ୍ରସଙ୍ଗରେ ଯାହା ଉଲ୍ଲେଖ ରହିଥିଲା, ସେହି ଅଂଶକୁ ରାୟରେ ଦର୍ଶାଯାଇଛି।
ପ୍ରବାସୀ ଶ୍ରମିକଙ୍କ ରୋଜଗାର ବ୍ୟବସ୍ଥା (ଯାହା କି ଓଡିଶାରେ ଦାଦନ ଶ୍ରମିକ ରୂପେ ପରିଚିତ) ଏକ ଶୋଷଣ ପ୍ରଣାଳୀ, ଯାହା ଓଡିଶା ସମେତ ଅନ୍ୟ କିଛି ରାଜ୍ୟରେ ପ୍ରଚଳିତ ଥିବା ଷ୍ଟେଟ୍ମେଣ୍ଟ ଅଫ୍ ଅବ୍ଜେକ୍ଟସ୍ ଆଣ୍ଡ ରିଜିନ୍ସରେ କୁହାଯାଇଛି। ଓଡିଶା ବାହାରେ ଥିବା ବଡ ବଡ ନିର୍ମାଣାଧୀନ ପ୍ରକଳ୍ପରେ ଦାଦନ ଖଟିବା ପାଇଁ ଠିକାଦାର ଓ ଏଜେଣ୍ଟମାନେ ରାଜ୍ୟର ବିଭିନ୍ନ ଭାଗରୁ ଦାଦନମାନଙ୍କ ନିଯୁକ୍ତି କରିଥାନ୍ତି। ନିଯୁକ୍ତି ସମୟରେ ସର୍ଦ୍ଦାର ପ୍ରତ୍ୟେକ ମାସରେ ଯେଉଁ ପାରିଶ୍ରମିକ ଦେବାର ପ୍ରତିଶ୍ରୁତି ଦେଉଛି ତାହା ପାଳନ ହେଉନାହିଁ।
ଠିକାଦାର ଶ୍ରମିକକୁ ରେଳ ଭଡାଦେଇ ଦୂର ସ୍ଥାନକୁ ନେଇଯାଉଛି। ଏସବୁ ଶ୍ରମିକଙ୍କ ପାଇଁ କୌଣସି କାର୍ଯ୍ୟ ସମୟ ଧାର୍ଯ୍ୟ କରାଯାଉ ନାହିଁ, ସପ୍ତାହର ସମସ୍ତ ଦିନ ସେମାନେ ଅତ୍ୟନ୍ତ ଖରାପ ସ୍ଥିତିରେ କାମ କରୁଛନ୍ତି। ବିଭିନ୍ନ ଶ୍ରମ ଆଇନର ପ୍ରାବଧାନ ପାଳନ କରାଯାଉନାହିଁ ଏବଂ ସେମାନେ ବିଭିନ୍ନ ପ୍ରକାର ଦୁରାଚାରର ଶିକାର ହେଉଛନ୍ତି ବୋଲି ଏଥିରେ ଉଲ୍ଲେଖ ଅଛି। ଏହାପରେ ୧୯୭୨ରେ ୨୮ତମ ଶ୍ରମମନ୍ତ୍ରୀମାନଙ୍କ ସମ୍ମିଳନୀରେ ଦାଦନ ଶ୍ରମିକମାନଙ୍କ ସୁରକ୍ଷା ଓ କଲ୍ୟାଣକୁ ନେଇ ଛୋଟ କମ୍ପାକ୍ଟ କମିଟିର ଗଠନ ଓ ପରବର୍ତ୍ତୀ ସମୟରେ ପ୍ରବାସୀ ଶ୍ରମିକଙ୍କ କଲ୍ୟାଣ ପାଇଁ କିଭଳି ଆଇନ ପ୍ରଣୟନ କରାଯାଇଥିଲା ସେ ନେଇ ରାୟରେ ଉଲ୍ଲେଖ କରାଯାଇଛି। ସୂଚନାଯୋଗ୍ୟ, ଆଜି ସୁପ୍ରିମ୍କୋର୍ଟ କରୋନା କାରଣରୁ ପ୍ରବାସୀ ଶ୍ରମିକଙ୍କ କଲ୍ୟାଣ ସମ୍ପର୍କରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନେକ ନିର୍ଦ୍ଦେଶନାମା ଜାରି କରିଛନ୍ତି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍