November 22, 2024

Satya News

odia news channel

ଘର ଭାଙ୍ଗିଦେଲେ ହାତୀପଲ, ଅଳ୍ପକେ ବର୍ତ୍ତିଲେ ସ୍ୱାମୀ-ସ୍ତ୍ରୀ ଓ ଏକମାସର ଶିଶୁ

 

କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳ ଅଧିନ ବିମଳା ଫରେଷ୍ଟ ବିଟ୍ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନି ।ଫଳରେ ବିଭିନ୍ନ ସମୟରେ ହାତୀପଲ ଘର ଭାଙ୍ଗି ଲୋକଙ୍କୁ ବାସଚ୍ୟୁତ କରିଦେବା ଭଳି ଘଟଣା ସାମ୍ନାକୁ ଆସୁଛି ।

ଗୁରୁବାର ବିଳମ୍ବିତ ରାତିରେ ରାଇସୁଆଁ ପଞ୍ଚାୟତ \ର ରାଣିବେଡା ଗାଁ ନୂଆସାହିରେ ହାତୀପଲ ପଶି ଗୋର୍ବଦ୍ଧନ ନାୟକଙ୍କ ଘର ଭାଙ୍ଗି ଆସବାବପତ୍ର ଫିଙ୍ଗା ଫୋପଡା କରିଛନ୍ତି ।ଘରେ ଥିବା ୧୫ ବସ୍ତା ଧାନ ଖାଇ ଯାଇଛନ୍ତି ।ନୂତନ ଭାବେ ତିଆରି ହୋଇଥିବା ଦୁଇ ବଖରା ଘରକୁ ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶାଇ ଦେଇଛନ୍ତି ହାତୀପଲ।ଗୋର୍ବଦ୍ଧନଙ୍କ ପରିବାର ମୁଣ୍ଡ ଗୁଞ୍ଜିବା ପାଇଁ ପର ଘରେ ଆଶ୍ରୟ ନେଇଛନ୍ତି।

ସୂଚନା ଅନୁସାରେ, ଗୋର୍ବଦ୍ଧନ ଓ ତାଙ୍କ ସ୍ତ୍ରୀ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଅନ୍ୟତ୍ର ଯାଇଥିଲେ । ଗୋର୍ବଦ୍ଧନଙ୍କ ପୁଅ ଜଗବନ୍ଧୁ ଓ ସ୍ତ୍ରୀ ବର୍ଷା ଘରେ ଶୋଇଥିବା ବେଳେ ହାତୀପଲ ଘର ଭାଙ୍ଗିଥିଲେ । ଏହା ଦେଖି ଦମ୍ପତି ଦ୍ବୟ ଏକ ମାସର ଶିଶୁକୁ ଧରି ଲୁଚି ପଡୋଶୀ ଘରକୁ ପଳାଇ ଯାଇଥିଲେ ।ଫଳରେ ଅଳ୍ପକେ ସ୍ବାମୀ ସ୍ତ୍ରୀ ଓ ଏକମାସର ଶିଶୁ ହାତୀପଲଙ୍କ କବଳରୁ ବର୍ତ୍ତି ଯାଇଥିଲେ ।

ତେବେ ଗାଁ ଲୋକେ ନିଆଁହୁଳା ସାହାଯ୍ୟରେ ହାତୀପଲଙ୍କୁ ଘଉଡାଇଥିଲେ ।ସକାଳୁ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି ।ଏ ଅଞ୍ଚଳରେ ବାରମ୍ବାର ହାତୀପଲଙ୍କ ଉପଦ୍ରବ ଜାରି ରହିଥିଲେ ମଧ୍ୟ ବନବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବା ରୁ ଲୋକେ ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି ।

Spread the love