November 22, 2024

Satya News

odia news channel

ଅନୁଗୁଳ: ଚୋରା ବନ୍ଧୁକ ହାଉଯାଉ, କଥା କଥାକେ ଫୁଟୁଛି ଗୁଳି, ସବୁ ଜାଣି ପୁଲିସ୍‌ ଚୁପ୍

 

ଅନୁଗୁଳ : ସାମାନ୍ୟ ଘଟଣାକୁ ନେଇ ଅନୁଗୁଳ ବ୍ଳକ୍‌ ବନ୍ତଳା ଥାନା ବଡ଼କନ୍ତକୁଳ ଗାଁରେ ଦୁଇ ଜଣଙ୍କ ଭିତରେ ଝଗଡ଼ା ହେଲା। କଥା ହାତାହାତି ପର୍ଯ୍ୟନ୍ତ ଗଲା। ହଠାତ ସେମାନଙ୍କ ଭିତରୁ ଶିଶିର ସାହୁ ଘରକୁ ଯାଇ ବନ୍ଧୁକ ଧରି ଆସିଲେ। ଅଖିଳ ହୋତାଙ୍କୁ ଟାର୍ଗେଟ କରି ଗୁଳି ଫୁଟାଇବାରୁ ତାଙ୍କ କହୁଣୀକୁ ଭେଦି ବାହାରିଗଲା। ଏଥିରେ ଅଖିଳଙ୍କୁ ଗୁରୁତର ଆଘାତ ଲାଗିଥିଲାବେଳେ ସେ କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ ସହ ଏବେ ଲଢେଇ କରୁଛନ୍ତି।

ଏହି ଘଟଣା ପରେ ବନ୍ତଳା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଗୋଟିଏ ଛୋଟ ଝଗଡ଼ା ପାଇଁ ଏମିତି ଗୁଳି ଫୁଟିବା ଘଟଣାକୁ କେହି ସହଜରେ ଗ୍ରହଣ କରି ପାରୁନାହାନ୍ତି। ସବୁଠାରୁ ବେଶି ଭୟ ଘାରିଛି କଥା କଥାକେ ଏମିତି ଗୁଳିମାଡ଼କୁ ନେଇ। ଅନୁଗୁଳ ଜିଲ୍ଲାରେ ଏମିତି ଏକାଧିକ ଘଟଣା ସାମନାକୁ ଆସୁଥିଲେ ମଧ୍ୟ ପୁଲିସ କୌଣସି ଠୋସ୍ ପଦକ୍ଷେପ ନେଉ ନ ଥିବାରୁ ଏଭଳି ଘଟଣା କ୍ରମଶଃ ବଢ଼ିବାରେ ଲାଗିଛି । ଏପଟେ ଗାଁକୁ ବନ୍ଧୁକ ଆସୁଛି କୁଆଡୁ ? ଏହି ବନ୍ଧୁକ ରଖିବା ପାଇଁ ଅନୁମତି ନେଇଛନ୍ତି କି ନାହିଁ ? ବିନା ଅନୁମତିରେ ଏମିତି ବନ୍ଧୁକ ରହିଥିବା କଥା ପୁଲିସ ଓ ପ୍ରଶାସନ ଜାଣୁଛି କି ନାହିଁ ତାହାକୁ ନେଇ ଉଠିଛି ପ୍ରଶ୍ନ। ଚୋରା ବନ୍ଧୁକରେ ଅନୁଗୁଳ ଜିଲ୍ଲାର ଗାଁରୁ ସହର ଭର୍ତ୍ତି ହୋଇଥିଲାବେଳେ ଆଗକୁ ଏହି ବନ୍ଧୁକ ଗାଁ ଗାଁରେ ସୌହାର୍ଦ୍ଦପୂର୍ଣ୍ଣ ବାତାବରଣକୁ ନଷ୍ଟ କରିବାର ଆଶଙ୍କା ଦେଖାଦେଲାଣି।

ଶିଳ୍ପସମୃଦ୍ଧ ଅନୁଗୁଳ ଜିଲ୍ଲାରେ ଚୋରା ବନ୍ଧୁକ କିଛି ନୂଆ କଥା ନୁହେଁ। ଏପରିକି ତାଳଚେରରେ ଏକ ଚୋରା ବନ୍ଧୁକ କାରଖାନା ବି ଚାଲିଥିଲା। ଏସ୍‌ଟିଏଫ୍‌ ଏହା ଉପରେ ଚଢଉ କରିବା ପରେ ଚୋରା ବନ୍ଧୁକ ବେପାରର ଗୁମର ଖୋଲିଥିଲା। ଏହି କାରଖାନା ସହ ଟିଟୋ ଓ ଧଳସାମନ୍ତ ଗ୍ୟାଙ୍ଗର ମଧ୍ୟ ସଂପୃକ୍ତି ଥିବା ଖୋଳତାଡବେଳେ ଜଣାପଡ଼ିଥିଲା। ତାଳଚେର ପାଇକସାହିର କୁଖ୍ୟାତ ବନ୍ଧୁକ ବ୍ୟବସାୟୀ ଟୁକୁନା ସ୍ବାଇଁ ଏହି କାରଖାନା ଚଳାଉଥିଲାବେଳେ ଏଠାରୁ ରାଜ୍ୟର ବହୁ ଅପରାଧୀଙ୍କ ପାଖକୁ ବନ୍ଧୁକ ଯାଉଥିଲା। ଅନୁଗୁଳ ଓ ତାଳଚେର ସହରରେ ମଧ୍ୟ ଏହି ସମୟରେ ଚୋରା ବନ୍ଧୁକ କାରବାର ବଢିଥିଲା। ତାଳଚେର ସହରର କୋଇଲା, ଡିଜେଲ, ବାଲି ଓ ଜମି ମାଫିଆମାନେ ଏହି ସମୟରେ ସହଜରେ ଚୋରା ବନ୍ଧୁକ ହାତେଇବାରେ ସଫଳ ହୋଇଥିଲେ। ସେହିପରି ଅନୁଗୁଳ, ଛେଣ୍ଡିପଦା, କଣିହାଁ, ବଅଁରପାଳ ଆଦି ଅଞ୍ଚଳରେ ବିଭିନ୍ନ ଅସାମାଜିକ ଲୋକ ଚୋରା ବନ୍ଧୁକ କିଣିଥିଲେ। ସହର ଓ ସହର ତଳି ଅଞ୍ଚଳରେ ଅସାମାଜିକ ଲୋକଙ୍କର ବନ୍ଧୁକ ରଖିବା ଏକ ସଉକରେ ପରିଣତ ହୋଇଥିଲା। କିନ୍ତୁ ଏବେ ଗାଁ ଗାଁକୁ ଭେଦି ଗଲାଣି ଏହି ଚୋରା ବନ୍ଧୁକ ବେପାର। ଗାଁ ଲୋକମାନେ ମଧ୍ୟ ପାଖରେ ବନ୍ଧୁକ ରଖିବା ସହ କଥାକଥାକେ ବନ୍ଧୁକ ବାହାର କରି ଧମକଚମକ ଦେଉଛନ୍ତି। ଗତକାଲି ରାତିର ଘଟଣା ଏହାର ପ୍ରମାଣ ଦେଉଛି।

କେବଳ ଏହି ଗୋଟିଏ ଘଟଣା ନୁହେଁ, ପ୍ରାୟ ୬ ମାସ ତଳେ ଅନୁଗୁଳ ବ୍ଳକ ରନ୍ତଲେଇ ନିକଟରେ ଜାତୀୟ ରାଜପଥ ଉପରେ ଗୁଳି ଫୁଟିଥିଲା। ଗୁଳିମାଡ଼ରେ ଜଣଙ୍କର ମୃତ୍ୟୁ ବି ହୋଇଥିଲା। ଆଉ ଏଥିରେ ବ୍ୟବହୃତ ହୋଇଥିବା ବନ୍ଧୁକଟି ଥିଲା ଚୋରା। ଏହାର କୌଣସି ଲାଇସେନ୍ସ ନ ଥିଲା। ଦୁଇଦିନ ତଳେ ହଣ୍ଡପା ଅଞ୍ଚଳରେ ଜଣେ ଯୁବକ ବନ୍ଧୁକ ମୁନରେ ତାଙ୍କ ଶାଳୀଙ୍କୁ ଅପହରଣ କରି ନେଇଥିଲେ। ଏପରିକି ଦୁଇ ତିନି ରାଉଣ୍ଡ ଫାଙ୍କା ଗୁଳି ଚାଳନା କରି ଗ୍ରାମବାସୀଙ୍କୁ ଧମକାଇଥିଲେ। ବନ୍ଧୁକ ଦେଖାଇ ଲୁଟପାଟ ଓ ଚାନ୍ଦା ବଟି ମାଗିବା ଅନୁଗୁଳ ଜିଲ୍ଲାରେ ଏକ ନିତିଦିନିଆ ଘଟଣା ହୋଇଗଲାଣି।

ବନ୍ଧୁକ ବୁଲିବା ଓ ଗୁଳି ଫୁଟିବା ଅନୁଗୁଳ ପରି ଶାନ୍ତ ଜିଲ୍ଲାରେ ଆତଙ୍କର ମାହୋଲ ତିଆରି କରୁଛି। ଯେତେବେଳେ ବି ଘଟଣା ଘଟୁଛି, ପୁଲିସ ଏହାର ଖୋଳତାଡ କରୁଛି। ବନ୍ଧୁକ ଜବତ ହୋଇଛି। ଏହାପୂର୍ବରୁ ରନ୍ତଲେଇ ମାମଲାରେ ବନ୍ଧୁକ ଜବତ ହୋଇଥିଲାବେଳେ ଆଜି ବଡକନ୍ତକୁଳରୁ ମଧ୍ୟ ବନ୍ଧୁକ ଜବତ କରିଛି ପୁଲିସ। କିନ୍ତୁ ଏହି ଚୋରା ବନ୍ଧୁକ କେମିତି ଓ କେଉଁଠୁ ଆସୁଛି, ତାହାର ମୂଳ ପର୍ଯ୍ୟନ୍ତ ପୁଲିସ ପହଞ୍ଚି ପାରୁନି। ଚୋରା ବନ୍ଧୁକ କାରବାର ଉପରେ ରୋକ୍ ଲଗାଇବା ପାଇଁ କୌଣସି ଠୋସ୍ ପଦକ୍ଷେପ ମଧ୍ୟ ନିଆଯାଉନି। ଫଳରେ ବନ୍ଧୁକ ରଖିଥିବା ଲୋକଙ୍କ ଦବଦବା ବଢୁଛି। କାରବାର ବି ଅନାୟାସରେ ଚାଲୁଛି। ଆଗକୁ ଏହା ଅନୁଗୁଳ ଜିଲ୍ଲା ପାଇଁ ଏକ ବଡ଼ଧରଣର ବିପଦକୁ ଆମନ୍ତ୍ରଣ କରିବ ବୋଲି ଏବେଠାରୁ ଜଳଜଳ ଦିଶିଲାଣି।

Spread the love