July 8, 2025

ବଣମୁଲକ ଗାଁକୁ କେବେ ପହଞ୍ଚିବ ସଡ଼କ, ଏବେ ବି ଚଲାବାଟରେ ସୁନ୍ଦରଗଡ଼ର ୧୦୮ ଗାଁ

 

ସୁନ୍ଦରଗଡ଼ : ବଣମୁଲକର ଗାଁ, ଚାରିଆଡ଼େ ପାହାଡ଼। ରାକସଖୋଲ ପାହାଡ଼ିଆ ପାଦ ଚଲା ବାଟରେ ୩ କିଲୋମିଟର ଉଠିଲେ ହିଁ ଗାଁକୁ ପହଞ୍ଚି ହୁଏ। ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକ୍ ଡୁମାବାହାଲ ପଞ୍ଚାୟତର ଏହି ଆଦିବାସୀ ଗାଁକୁ କେହି ସହରୀ ଲୋକ ଥରେ ଗଲେ ସେ ଯନ୍ତ୍ରଣା ଯାତ୍ରା ପାଇଁ ଆଉ କେବେ ଯିବାକୁ ହୁଏତ ଚାହିବ ନାହିଁ। କିନ୍ତୁ ପିଢ଼ି ପରେ ପିଢ଼ି ସେହି ଚଲାବାଟ ହିଁ ଯେଉଁମାନଙ୍କ ଏକମାତ୍ର ଭରସା, ସେମାନେ ଆଉ କୁଆଡ଼େ ଯିବେ। କେବଳ ବଡ଼ମାନେ ଯେ ପାଦଚଲା କଷ୍ଟ ଭୋଗୁଛନ୍ତି ତାହା ନୁହେଁ, କୁନି କୁନି ପିଲାଙ୍କୁ ମଧ୍ୟ ସ୍କୁଲ ପାଠ ପାଇଁ ୩ କିଲୋମିଟର ପାହାଡ଼ିଆ ରାସ୍ତାରେ ଯିବାକୁ ହୁଏ। ଆଉ ମହିଳାମାନେ ପାଣି ପାଇଁ ଦେଢ଼ରୁ ୨ କିଲୋମିଟର। ରାସ୍ତା ନଥିବାରୁ ସ୍କୁଲ, ବିଜୁଳି ବି ଏଯାଏ ଗାଁକୁ ପହଞ୍ଚି ପାରିନାହିଁ। ଗାଁରେ କାହାର ଯଦି ଦେହ ଖରାପ କି କେହି ଗର୍ଭବତୀ ପ୍ରସବ ବେଦନାରେ ଛଟପଟ ହେଲା ତ କଥା ସରିଲା। ଖଟ ଦୋଳାରେ ବୋହି ତଳକୁ ଆମ୍ବୁଲାନ୍ସ ଯାଏ ପହଞ୍ଚାଇବାକୁ ପଡ଼େ। ସେ ପର୍ଯ୍ୟନ୍ତ ଭାଗ୍ୟ ଟାଣରେ ଜୀବନ ଥିଲେ ରୋଗୀ ହସ୍ପିଟାଲରେ ପହଞ୍ଚେ।

 

ସେହିପରି ଅନ୍ୟ ଏକ ଅପହଞ୍ଚ ଗାଁ ହେଲା ଘୋଡ଼ାବନ୍ଧ ଜାରାଟୋଲା। ବଣାଇଁ ଉପଖଣ୍ଡ ଗୁରୁଣ୍ଡିଆ ବ୍ଲକ୍ ବାଙ୍କି ପଞ୍ଚାୟତର ଏହି ଗାଁ କିନ୍ତୁ ପାହାଡ଼ିଆ ଅଞ୍ଚଳରେ ନାହିଁ। ଜାତୀୟ ରାଜପଥ ଠାରୁ ମାତ୍ର କିଛି ଦୂରରେ ଥିଲେ ମଧ୍ୟ ଗାଁକୁ ରାସ୍ତା ନାହିଁ। ଏଯାଏ ଲୋକେ ପାଦ ଚଲା ବାଟରେ ଯିବାଆସିବା କରୁଛନ୍ତି। ଜାରାଟୋଲାକୁ ଲାଗି ରହିଛି ରାଣୀବେର୍ଣ୍ଣା, ଭାଦୁପଡ଼ା, ତୁରିଟୋଲା, ଏରଗାଡା। ପ୍ରାୟ ୨ ହଜାର ଲୋକଙ୍କ ବସ୍ତି। ରାସ୍ତା ନଥିବାରୁ ଗାଁକୁ ଆମ୍ବୁଲାନ୍ସ ଯାଏ ପାରୁ ନଥିବାରୁ ଲୋକେ ରୋଗୀଙ୍କୁ ଖଟିଆରେ ବୋହି ଜାତୀୟ ରାଜପଥ ପାଖକୁ ଆଣନ୍ତି। ରାସ୍ତା ପାଇଁ ଶୋଚନୀୟସ୍ଥିତିରେ ରହୁଥିବା ଏ ଗାଁ ଲୋକେ ପଲ୍ଲୀସଭା, ଗ୍ରାମସଭାରେ ଅନେକବାର ଦାବି ଉଠାଇଲେଣି। ପଞ୍ଚାୟତରୁ ଜିଲ୍ଲା ଅଭିଯୋଗ କରି କରି ନୟାନ୍ତ ହେଲେଣି। କିନ୍ତୁ ଦଶନ୍ଧି ଦଶନ୍ଧି ଧରି ପାଦ ଚଲା ବାଟର ଦୁର୍ଭାଗ୍ୟ ସେମାନଙ୍କ ପିଛା ଛାଡ଼ି ନାହିଁ। କେବଳ ଏ ଦୁଇ ଗାଁ ନୁହେଁ, ପାଦ ଚଲା ବାଟର ବିଡ଼ମ୍ବନା ସହ ପିଢ଼ି ପିଢ଼ି ଧରି ବାଟ ଚାଲୁଛନ୍ତି ଜିଲ୍ଲାର ୧୩ଟି ବ୍ଲକର ବଣମୁଲକରେ ଥିବା ୧୦୮ଟି ଗାଁ ବା ପଡ଼ା।

 

ଏକ ତଥ୍ୟାନୁସାରେ, ବାଲିଶଙ୍କରା ବ୍ଲକର ୭ଟି ପଡ଼ା, ବଡ଼ଗାଁ ବ୍ଲକର ୨ଟି ପଡ଼ା, ବିଶ୍ରା ବ୍ଲକର ୪ଟି ପଡ଼ା, ବଣାଇଁ ବ୍ଲକର ୫ଟି ପଡ଼ା, କୋଇଡ଼ା ବ୍ଲକର ୯ଟି ପଡ଼ା, ଲହୁଣିପଡ଼ା ବ୍ଲକର ୩ଟି ପଡ଼ା, ଲାଠିକଟା ବ୍ଲକର ୫ଟି ପଡ଼ା, ଲେଫ୍ରିପଡ଼ା ବ୍ଲକର ୭ଟି ପଡ଼ା, ରାଜଗାଙ୍ଗପୁର ବ୍ଲକର ୩୦ଟି ପଡ଼ା, ସବଡେଗା ବ୍ଲକର ୪ଟି ପଡ଼ା, ଟାଙ୍ଗରପାଲି ବ୍ଲକର ୨ଟି ପଡ଼ା, କୁଆରମୁଣ୍ଡା ବ୍ଲକର ୧୯ ପଡ଼ା ଓ ନୂଆଗାଁ ବ୍ଲକର ୧୨ଟି ପଡ଼ାକୁ ସବୁଦିନିଆ ରାସ୍ତା ନାହିଁ। ଫଳରେ ଲୋକଙ୍କ ପାଇଁ ଯାତାୟତ ଦୁର୍ବିସହ ହୋଇପଡ଼ିଛି। ସ୍ବାଭାବିକ ଭାବେ ସରଳ ଆଦିବାସୀ ନିଜ ଅଧିକାର ପାଇଁ ବିଶେଷ ସଚେତନ ନଥିବା ବେଳେ ବିକାଶର ବାଟ ପାଇଁ ସ୍ବର ଉଠାଇପାରୁ ନାହାନ୍ତି ଓ ଯୁଗ ଯୁଗ ଧରି ପାଦଚଲା ବାଟର ଦୁଃଖରେ ଛଟପଟ ହୋଇଚାଲିଛନ୍ତି। ତେବେ ୧୦୮ଟି ପଡ଼ାକୁ ରାସ୍ତା ନଥିବା ରିପୋର୍ଟଟି ସରକାରୀ। ବାସ୍ତବରେ ଏହାଠାରୁ ଅଧିକ ପଡ଼ା, ଗାଁ ପାଦଚଲା ବାଟକୁ ଆଦରି ପଡ଼ି ରହିଛନ୍ତି ବର୍ଷ ବର୍ଷ ଧରି। ଲୋକେ ଗୁରୁତର ରୋଗୀ ଓ ପ୍ରସବ ବେଦନାରେ ଛଟପଟ ଅନ୍ତଃସତ୍ତ୍ବାଙ୍କୁ ଦୋଳାରେ ବୋହି ପାହାଡ଼ ଉପରୁ ଉତାରି ଝରଣା, ନାଳ ଡେଇଁ ଦୂର ବାଟରେ ଅଟକିଥିବା ଆମ୍ବୁଲାନ୍ସ ପାଖକୁ ପହଞ୍ଚାଉଛନ୍ତି। ରାସ୍ତା ନଥିବାରୁ ଏହି ଗାଁ କୁନି ପିଲା ମଧ୍ୟ ଦୂର ସ୍କୁଲକୁ ଯାଇ ପାଠ ପଢ଼ିବା ସମ୍ଭବ ହେଉ ନାହିଁ। ଅଭିଭାବକ ପାହାଡ଼ିଆ ରାସ୍ତାରୁ ଦୂର ସ୍କୁଲକୁ ଛାଡ଼ିବାକୁ ନିରାପଦ ମଣୁ ନାହାନ୍ତି। ରାସ୍ତା ନଥିବାରୁ ବିକାଶ ପହଞ୍ଚିପାରୁ ନଥିବା ଏସବୁ ଗାଁ ଅନ୍ଧାରି ଜୀବନ ଜିଉଁଛନ୍ତି ବୋଲି କହିଲେ ଭୁଲ ହେବ ନାହିଁ।

 

ଜିଲ୍ଲାରେ ଯେ ଅର୍ଥର ଅଭାବ ଅଛି ତାହା ନୁହେଁ, ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଓ ଓଡ଼ିଶା ଖଣି କ୍ଷେତ୍ରାଞ୍ଚଳ ଉନ୍ନୟନ ନିଗମରେ ରହିଛି ହଜାର ହଜାର କୋଟି। ଏହା ସତ୍ତ୍ବେ ବଣମୁଲକର ଗାଁ ସବୁ ବିକାଶ ଠାରୁ ଦୂରରେ ଏମିତି ମୁହଁ ମାଡ଼ି ପଡ଼ି ରହିଛନ୍ତି। ରାସ୍ତା କୌଣସି ଗାଁ କି ଅଞ୍ଚଳର ବିକାଶର ବାହକ ହୋଇଥାଏ। ଯେଉଁଠି ସାଧାରଣ ଭାବେ ଯାତାୟତ ପାଇଁ ରାସ୍ତା ଖଣ୍ଡେ ନଥାଏ, ତାହା ଅପହଞ୍ଚ, ଅଭିଶପ୍ତ ଉପତ୍ୟକାର ପରିଚୟ ନେଇ କଲବଲ ହେଉଥାଏ। କିନ୍ତୁ ଗୋଟିଏ ପଟେ ସରକାର ସୁରକ୍ଷିତ ଓ ଦ୍ରୁତଗତିର ନାମରେ ୪ ଥାକିଆ ଓ ୬ ଥାକିଆ ଏକ୍ସପ୍ରେସ ନିର୍ମାଣ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ପରି ପ୍ରଭାବୀ ଯୋଜନା ସତ୍ତ୍ବେ ଏବେ ବି ସୁନ୍ଦରଗଡ଼ର ଶତାଧିକ ଗାଁ, ପଡ଼ାକୁ ଯିବା ପାଇଁ ପକ୍କା ସଡ଼କ କଥା ଛାଡ଼, ସାମାନ୍ୟ କଚ୍ଚା ରାସ୍ତାଟେ ବି ନାହିଁ। ବିକାଶର ଦୌଡ଼ରେ ଥିବା ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଏହା ଠାରୁ ବଳି ବିଡ଼ମ୍ବନା ଆଉ କ’ଣ ହୋଇପାରେ।

Spread the love