
ଭୁବନେଶ୍ବର: ଫାର୍ମାସିଷ୍ଟମାନଙ୍କ ମୂଳ ଦରମା ବୃଦ୍ଧି ସହିତ ଅସଙ୍ଗତି ଦୂର, ନୂତନ ନାମକରଣ ସହ କ୍ୟାଡର ପୁନର୍ବିନ୍ୟାସ, ଏମ୍ଏଚ୍ୟୁ ଓ ଆର୍ବିଏସ୍କେ ଫାର୍ମାସିଷ୍ଟଙ୍କ ସ୍ଥାୟୀ ନିଯୁକ୍ତି ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଫାର୍ମାସିଷ୍ଟମାନେ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ ଜାରି ରଖିବେ। ଔଷଧ ବିତରଣ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟରେ ସହଯୋଗ କରାଯିବ ନାହିଁ ବୋଲି ସୂଚନା ଦେଇଛି ଓଡ଼ିଶା ଫାର୍ମାସିଷ୍ଟ ସେବା ସଂଘ।
ସଂଘ ପକ୍ଷରୁ ଜାରି ଏକ ପ୍ରେସ୍ ବିବୃତିରେ କୁହାଯାଇଛି ଯେ ୨୦୧୦ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆହୂତ ଏକ ଉଚ୍ଚସ୍ତରୀୟ ବୈଠକରେ ରାଜ୍ୟରେ କାର୍ଯ୍ୟରତ ଫାର୍ମାସିଷ୍ଟଙ୍କ ପାଇଁ ଉପନିର୍ଦେଶକ ପର୍ଯ୍ୟନ୍ତ ଏକ ପଦୋନ୍ନତି କ୍ୟାଡର ପାଇଁ ନିଷ୍ପତ୍ତି ହୋଇଥିଲା। ହେଲେ ୨୦୧୩ ମସିହାରେ ଏକ ତ୍ରୁଟିପୂର୍ଣ୍ଣ କ୍ୟାଡର ପୁନର୍ଗଠନ ଆଦେଶ ପ୍ରକାଶ ପାଇଥିଲା। ଯାହାକୁ ଫାର୍ମାସିଷ୍ଟମାନେ ଗ୍ରହଣ କରି ନ ଥିଲେ। ପରବର୍ତୀ ସମୟରେ ତତ୍କାଳୀନ ସ୍ବାସ୍ଥ୍ୟମନ୍ତ୍ରୀ ଏହି ତ୍ରୁଟିରେ ସଂଶୋଧନ ନେଇ ଲିଖିତ ପ୍ରତିଶ୍ରୁତି ଓ ସୁପାରିସ୍ କରିଥିଲେ। ପୂର୍ବରୁ ଜାତୀୟ ସ୍ବାସ୍ଥ୍ୟ ମିସନ୍ରେ କାର୍ଯ୍ୟରତ ଫାର୍ମାସିଷ୍ଟମାନଙ୍କୁ ଖାଲି ପଦରେ ସ୍ଥାୟୀ ନିଯୁକ୍ତି ଦିଆଯାଉଥିଲା। ମାତ୍ର ପରବର୍ତୀ ସମୟରେ ନୂତନ ନିଯୁକ୍ତି ନିୟମ ଆଳରେ ସ୍ଥାୟୀ ନିଯୁକ୍ତିକୁ ବାରଣ କରାଯାଇଥିବା ଆଦେଶକୁ ଉଚ୍ଚ ନ୍ୟାୟାଳୟ ଖାରଜ କରିଥିଲେ। ମାମଲା ଦାୟର କରିଥିବା ଫାର୍ମାସିଷ୍ଟମାନଙ୍କୁ ନିଯୁକ୍ତି ଦିଆଯାଇଛି। ମାତ୍ର ଅନ୍ୟମାନଙ୍କ କ୍ଷେତ୍ରରେ ଏହାକୁ କାର୍ଯ୍ୟକାରୀ କରାଯାଉ ନାହିଁ।
ଗତ ୨୯ତାରିଖରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ମୂଳ ଦରମାକୁ ନ ବଢ଼ାଇ ପଦୋନ୍ନତି ଦରମାକୁ ସଂଶୋଧନ ପାଇଁ ନିଷ୍ପତ୍ତି ହୋଇଛି। ଏହାସହ ଆୟୁଷ ଡାକ୍ତ ଏଲୋପ୍ୟାଥି ଔଷଧ ଲେଖିବାକୁ ସ୍ବାସ୍ଥ୍ୟ ନିର୍ଦେଶକ ସମର୍ଥନ ଦେବା ଓ ବିନା ଆଦେଶରେ ଫାର୍ମାସିଷ୍ଟଙ୍କ ଦ୍ବାରା ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟାନୁଷ୍ଠାନ ଚଳାଇବାକୁ ସଂଘ ଗ୍ରହଣ କରିପାରି ନାହିଁ। ତେଣୁ ତୁରନ୍ତ ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ସଂଘର ସଭାପତି ନବୀନ କୁମାର ମହାପାତ୍ର ଓ ସାଧାରଣ ସଂପାଦକ ଅଶୋକ କୁମାର ପାଣି କହିଛନ୍ତି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍