October 21, 2025

ଖାଇଗଲେ କୁଟିଆ କନ୍ଧଙ୍କ କୋଟିଏ ଟଙ୍କାର ଚାଉଳ, ସ୍ବତନ୍ତ୍ର ଅଡିଟ୍‌ ଟିମ୍‌କୁ ଦିଆଗଲାନି କାଗଜପତ୍ର

 

ତୁମୁଡ଼ିବନ୍ଧ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍‌ର ଆଦିମ ଜନଜାତି କୁଟିଆ କନ୍ଧଙ୍କ ଗୋଟିଏରୁ ଅଧିକ ଟଙ୍କାର ଅନ୍ତ୍ୟୋଦୟ ଓ ଅନ୍ନପୂର୍ଣ୍ଣା ଯୋଜନା ଚାଉଳ ହଡ଼ପ ହେଲା। ଏହି ମହାଦୁର୍ନୀତିର ସ୍ୱତନ୍ତ୍ର ଅଡ଼ିଟ୍‌ ପାଇଁ ନିର୍ଦ୍ଦେଶ ଦିଆଗଲା। ତେବେ ଅଡିଟ୍‌ ଟିମ୍‌କୁ ଯୋଗାଣ ବିଭାଗ ଅଧିକାରୀ ଦେଲେନି କୌଣସି କାଗଜପତ୍ର। ଟିମ୍‌ ଏଥିରେ ବିଫଳ ହେବାରୁ କୁଟିଆ ଆଦିମ ଜନଜାତିଙ୍କୁ ନ୍ୟାୟ ମିଳିଲାନି କି ଦୁର୍ନୀତିଗ୍ରସ୍ତଙ୍କୁ ଦଣ୍ଡ ମିଳିଲାନି। ଏହି ପ୍ରସଙ୍ଗକୁ ନେଇ କୁଟିଆ କନ୍ଧଙ୍କ ମଧ୍ୟରେ ପୁନର୍ବାର ଅସନ୍ତୋଷ ଜମାଟ ବାନ୍ଧୁଛି। କୁଟିଆ କନ୍ଧ ଯୁବଗୋଷ୍ଠୀ ପକ୍ଷରୁ ଏହି ଦୁର୍ନୀତିର ସିବିଆଇ ତଦନ୍ତ ଦାବି କରାଯାଇଛି। ଏହା ନହେଲେ କରୋନା କଟକଣା ହଟିବା ପରେ ବେଲଘରରେ ଏକ ବିଶାଳ ଶୋଭାଯାତ୍ରା ସହ ଭୁବନେଶ୍ବର ଯାଇ ନବୀନ ନିବାସ ଘେରାଉ କରାଯିବ ବୋଲି ଘୋଷଣା କରାଯାଇଛି।

ସୂଚନା ମୁତାବକ, ଅନ୍ତ୍ୟୋଦୟ ଓ ଅନ୍ନପୂର୍ଣ୍ଣା ଯୋଜନାରେ କୁଟିଆ କନ୍ଧ ହିତାଧିକାରୀଙ୍କୁ ୩୫ କେଜି ରାସନ ଚାଉଳ ଦେବା ବଦଳରେ ୧୫ ରୁ ୨୦ କେଜି ଦେଇ ୩୦୦ରୁ ଅଧିକ କୁଟିଆଙ୍କ ପ୍ରାୟ କୋଟିଏରୁ ଅଧିକ ଟଙ୍କାର ଚାଉଳ ହେରଫେର ଧରାପଡ଼ିଥିଲା। ଜିଲ୍ଲା ଯୋଗାଣ ବିଭାଗର ଏହି ମହାଦୁର୍ନୀତି ସମ୍ପର୍କିତ ଖବର ‘ସମ୍ବାଦ’ରେ ବାରମ୍ବାର ପ୍ରକାଶ ପାଇଲା ପରେ ଘଟଣା ଲୋକଲୋଚନକୁ ଆସିଥିଲା। ବିଭିନ୍ନ ସଂଗଠନ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ। କୁଟିଆ କନ୍ଧଙ୍କ ପକ୍ଷରୁ ଆନ୍ଦୋଳନ ଧମକ ଦିଆଯାଇଥିଲା। ଏହା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ କୁଟିଆ କନ୍ଧଙ୍କ ଚାଉଳ ମହାଦୁର୍ନୀତି ଅଭିଯୋଗର ସ୍ୱତନ୍ତ୍ର ଅଡ଼ିଟ୍‌ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

ବିଳମ୍ବ ହେଲେ ବି ଗତ ଫେବ୍ରୁଆରି ମାସରେ ସ୍ବତନ୍ତ୍ର ଅଡ଼ିଟ୍‌ ଟିମ୍‌ ଜିଲ୍ଲା ଜିଲ୍ଲା ଯୋଗାଣ କାର୍ଯ୍ୟାଳୟରେ ପହଞ୍ଚିଥିଲା। ଟିମ୍‌ ଜିଲ୍ଲାରେ ପହଞ୍ଚି ଚାଉଳ ମହାଦୁର୍ନୀତିର ସମସ୍ତ କାଗଜପତ୍ର ଜିଲ୍ଲା‌ ଯୋଗାଣ ବିଭାଗକୁ ମାଗିଥିଲେ। ସମସ୍ତ କାଗଜପତ୍ର ତୁମୁଡ଼ିବନ୍ଧ ବ୍ଲକ୍‌ରେ ଥିବା କହି ଯୋଗାଣ ବିଭାଗ ଅଧିକାରୀ ଭୁଆଁ ବୁଲାଯାଇଥିଲେ। ସ୍ଵତନ୍ତ୍ର ଅଡ଼ିଟ୍‌ ଟିମ୍‌ ତୁମୁଡ଼ିବନ୍ଧ ବ୍ଲକ୍‌କୁ ଆସି ଏ ବାବଦ କୌଣସି ଫାଇଲ୍‌, କାଗଜପତ୍ର ନପାଇ ଭୁବନେଶ୍ବର ଫେରି ଯାଇଥିଲେ। ଏ ବାବଦ ଫାଇଲ୍‌ ହଜାଇ ଦିଆଗଲା। ସ୍ଵତନ୍ତ୍ର ଅଡ଼ିଟ୍‌ ଟିମ୍‌କୁ କୌଣସି କାଗଜପତ୍ର ଦିଆଯାଇ ନଥିଲା। ଏହି ମହାଦୁର୍ନୀତିର ତଦନ୍ତ ପୂର୍ବରୁ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ବଦଳି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହାକୁ ଚାପିଦେବା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ଉଦ୍ୟମ କଲେ। ଶେଷରେ ବେଲଘର ଥାନାରେ ବ୍ଲକ୍‌ ଯୋଗାଣ ଅଧିକାରୀ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ପଞ୍ଚାୟତ ଯୋଗାଣ ସହାୟକଙ୍କ ନାମରେ କେବଳ ମାମଲା ରୁଜୁ କରି ଜିଲ୍ଲା ପ୍ରଶାସନ କାମ ସାରିଦେଲେ। ଏହି କେଳେଙ୍କାରୀ ପଛରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ମିଲ୍‌ ମାଲିକ, ପରିବହନ ଠିକାଦାର ଓ ଯୋଗାଣ ବିଭାଗ ଅଧିକାରୀ ଓ ତଳିଆ କର୍ମଚାରୀଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି।

Spread the love