
କେନ୍ଦୁଝର ଜିଲ୍ଲାରେ ମେଗା ଷ୍ଟିଲ୍ପ୍ଲାଣ୍ଟ ପ୍ରତିଷ୍ଠା ନେଇ ଜିଲ୍ଲାବାସୀଙ୍କ ସ୍ବପ୍ନ ରହିଛି। ଏନେଇ ବିଭିନ୍ନ ସଂଗଠନ ସରକାରଙ୍କ ନିକଟରେ ଦାବି କରିଆସୁଥିଲେ। ମାର୍ଚ୍ଚ ୪ ତାରିଖରେ ଆର୍ସେଲର ମିତ୍ତଲ କେନ୍ଦ୍ରାପଡ଼ା ଜିଲ୍ଲାରେ ୧୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଏକ ଇଣ୍ଟିଗ୍ରେଟେଡ୍ ଷ୍ଟିଲ୍ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ସହ ଏମ୍ଓୟୁ ସ୍ବାକ୍ଷର କରିଥିଲା। ଏହାକୁ ନେଇ କେନ୍ଦୁଝର ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। କେନ୍ଦୁଝରରେ ଷ୍ଟିଲ୍ପ୍ଲାଣ୍ଟ ପ୍ରତିଷ୍ଠା ନକରି କେନ୍ଦ୍ରାପଡ଼ାରେ କାହିଁକି କରିବ ବୋଲି ପ୍ରଶ୍ନ କରି କେନ୍ଦୁଝର ପ୍ରେସ୍ ଫୋରମ ନେତୃତ୍ବରେ ଜନଆନ୍ଦୋଳନ ମୁଣ୍ଡ ଟେକିଥିଲା। ଏପ୍ରିଲ ୪ ତାରିଖରେ ପ୍ରେସ୍ ଫୋରମ କେନ୍ଦୁଝର ଚାଲ ଡାକରା ଦେଇଥିଲା। ଏହାକୁ ଦଳମତ ନିର୍ବିଶେଷରେ ସମସ୍ତେ ସମର୍ଥନ ଜଣାଇଥିଲେ। ହଜାର ହଜାର ଲୋକେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ବର୍ତ୍ତମାନ ରାଜ୍ୟ ସରକାର କେନ୍ଦୁଝର ଜିଲ୍ଲା କାରାଖେଣ୍ଡରାରେ ରୁଙ୍ଗଟା କଂପାନି ଦ୍ବାରା ୩ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ଷ୍ଟିଲ୍ପ୍ଲାଣ୍ଟ ୭ ହଜାର ୯୨୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରିବ ବୋଲି ଘୋଷଣା କରିଛନ୍ତି। ଏହାକୁ ନେଇ ଗତକାଲି ଜିଲ୍ଲା ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୃତଜ୍ଞତା ସଭା ଆୟୋଜନ ହୋଇଥିଲା। ଜିଲ୍ଲା ବିଜେଡି ପ୍ରଭାରୀ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ବିଧାୟକ ବଦ୍ରିନାରାୟଣ ପାତ୍ର, ଭାଗୀରଥି ସେଠୀ, ଜଗନ୍ନାଥ ନାୟକ, ମୀନାକ୍ଷୀ ମହାନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଥିଲେ। ତେବେ ନିୟମିତ ବ୍ୟବଧାନରେ ଷ୍ଟିଲ୍ପ୍ଲାଣ୍ଟ ପ୍ରତିଷ୍ଠା ଖର୍ଚ୍ଚ ବଢ଼ୁଥିବା ବେଳେ ନୂଆ ଷ୍ଟିଲ୍ପ୍ଲାଣ୍ଟର ବ୍ୟୟ ଅଟ୍ଟକଳ ସନ୍ଦେହଘେରକୁ ଆସିଛି। ପ୍ରକୃତରେ ଜିଲ୍ଲାରେ ଷ୍ଟିଲ୍ପ୍ଲାଣ୍ଟ ପ୍ରତିଷ୍ଠା ହେବ ନାଁ ଏହା ଜିଲ୍ଲାବାସୀଙ୍କୁ ସରକାରଙ୍କ ଲଲିପପ୍ ବୋଲି ଅନେକ ପ୍ରଶ୍ନ କରୁଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ୨୦୦୬ ଡିସେମ୍ବର ୨୨ ତାରିଖରେ ଆର୍ସେଲର ମିତ୍ତଲ କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ଅଞ୍ଚଳରେ ୪୦ ହଜାର କୋଟି ଟଙ୍କା ବିନିମୟରେ ୧୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଗ୍ରିନ୍ଫିଲ୍ଡ ଷ୍ଟିଲ୍ ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ସରକାରଙ୍କ ସହ ଏମ୍ଓୟୁ କରିଥିଲା। ଏଥିପାଇଁ କିଛି ଜମି ମଧ୍ୟ ଅଧିଗ୍ରହଣ ହୋଇଥିଲା। ସେହିପରି ବେଦାନ୍ତ ଗ୍ରୁପର ଷ୍ଟେରଲାଇଟ୍ କମ୍ପାନି ୨୦୦୪ ଅକ୍ଟୋବର ୧୫ ତାରିଖରେ କେନ୍ଦୁଝର ସଦର ବ୍ଲକ୍ରେ ୧୨ ହଜାର ୫୦୨ କୋଟି ଟଙ୍କା ବ୍ୟୟରେ ୫ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ମେଗା ଷ୍ଟଲ୍ପ୍ଲାଣ୍ଟ କରିବାକୁ ଏମ୍ଓୟୁ ସ୍ବାକ୍ଷର କରିଥିଲା। ୨୦୦୬ ଅକ୍ଟୋବର ୧୩ ତାରିଖରେ କେନ୍ଦୁଝର ସଦର ବ୍ଲକ୍ରେ ଉତ୍ତମ ଗାଲ୍ଭା ଷ୍ଟିଲ୍ ଲିମିଟେଡ ୮ ହଜାର ୯୮୭ କୋଟି ଟଙ୍କା ବ୍ୟୟରେ ୩ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଏକ ଷ୍ଟିଲ୍ପ୍ଲାଣ୍ଟ ସ୍ଥାପନ ପାଇଁ ସରକାରଙ୍କ ସହ ଏମଓୟୁ ସ୍ବାକ୍ଷର କରିଥିଲା। ସମସ୍ତ ୩ କମ୍ପାନି କେନ୍ଦୁଝର ଜିଲ୍ଲାରେ କାର୍ଯ୍ୟାଳୟ ଖୋଲି କାମ ଆରମ୍ଭ କରିଥିଲେ। ତେବେ କମ୍ପାନିମାନେ ସରକାର ଏବଂ ପ୍ରଶାସନଠାରୁ ଆବଶ୍ୟକ ସହଯୋଗ ପାଇନଥିଲେ। ୫/୭ ବର୍ଷ ଧରି କମ୍ପାନିଗୁଡ଼ିକ ପଡ଼ି ରହିବା ପରେ ଶେଷରେ କେନ୍ଦୁଝର ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ୬/୭ ବର୍ଷରେ କାରଖାନା ପ୍ରତିଷ୍ଠା ଖର୍ଚ୍ଚ ବଢ଼ି ଦୁଇଗୁଣ ହୋଇଯାଉଛି। ସେହି ହିସାବରେ ଉତ୍ତମ ଗାଲ୍ଭା ୨୦୦୬ ମସିହାରେ ୩ ନିୟୁତ ଟନ୍ ବିଶିଷ୍ଟ ଷ୍ଟିଲ୍ପ୍ଲାଣ୍ଟ ନିର୍ମାଣ କରିବାକୁ ୮ ହଜାର ୯୮୭ କୋଟି ଟଙ୍କା ଖର୍ଚ୍ଚ କରିବ ବୋଲି ସ୍ଥିର କରିଥିଲା। ତାହା ବର୍ତ୍ତମାନ ବଢ଼ି ୩୫ ହଜାର କୋଟି ହେବ। ଏଭଳି ସ୍ଥିତିରେ ରୁଙ୍ଗଟା ମାଇନ୍ସ କିପରି ୭ ହଜାର ୯୨୦ କୋଟି ଟଙ୍କାରେ ସମାନ ୩ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ଷ୍ଟିଲ୍ପ୍ଲାଣ୍ଟ ପ୍ରତିଷ୍ଠା କରିବ ତାକୁ ନେଇ ପ୍ରଶ୍ନ ଉଠିଛି। ପ୍ରକୃତରେ କେନ୍ଦୁଝର ଜିଲ୍ଲାରେ ଷ୍ଟିଲ୍ପ୍ଲାଣ୍ଟ ପ୍ରତିଷ୍ଠା ହେବ ନା ସରକାର ଜିଲ୍ଲାବାସୀଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ବିରୋଧୀ ପ୍ରଶ୍ନ କରିବା ଆରମ୍ଭ କଲେଣି।
ସେହିପରି ଯେଉଁ ସ୍ଥାନରେ ଷ୍ଟିଲ୍ପ୍ଲାଣ୍ଟ ନିର୍ମାଣ ହେବ ତାହା ଝାଡ଼ଖଣ୍ଡ ସୀମାରେ। ତେଣୁ କେନ୍ଦୁଝରବାସୀଙ୍କ ବିଶେଷ ଲାଭ ହେବନି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି। ଯଦି ସରକାର ସେତେବେଳେ ଏହାକୁ ଗୁରୁତ୍ବ ଦେଇଥାନ୍ତେ ତେବେ ଜିଲ୍ଲାରେ ୩ଟି ଷ୍ଟିଲ୍ପ୍ଲାଣ୍ଟ ସ୍ଥାପନ ହୋଇପାରିଥାନ୍ତା। ଜିଲ୍ଲାରେ ବେକାରୀ ସମସ୍ୟା ଏକପ୍ରକାର ଦୂର ହୋଇପାରିଥାନ୍ତା। ଏନେଇ ନାଗରିକ ମଞ୍ଚ ସଭାପତି କିରଣ ଶଙ୍କର ସାହୁ କହିଛନ୍ତି, କେନ୍ଦୁଝରରେ ଗ୍ରିନ୍ଫିଲ୍ଡ ଷ୍ଟିଲ୍ ପ୍ରକଳ୍ପ ସ୍ଥାପନ କରାଯାଉ। ବେକାର ଯୁବକଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦିଆଯାଉ। ରାଜ୍ୟ ବାହାରର ଠିକାଦାରଙ୍କ ବଦଳରେ କେନ୍ଦୁଝର ଜିଲ୍ଲାର ଠିକାଦାରଙ୍କୁ ସୁଯୋଗ ଦିଆଯାଉ। କମ୍ପାନି ନିଜ ଲାଭାଂଶରୁ ସ୍ଥାନୀୟ ଅଞ୍ଚଳରେ ଭଲ ହସ୍ପିଟାଲ, ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ସାଙ୍ଗକୁ ଜନହିତକର କାର୍ଯ୍ୟ କରୁ ବୋଲି ଶ୍ରୀ ସାହୁ କହିଛନ୍ତି। ୨୦୦୮ରୁ ୨୦୧୨ ମସିହା ମଧ୍ୟରେ କେନ୍ଦୁଝର ଜିଲ୍ଲାରେ ଖଣି ଖନନ କରିଥିବା କମ୍ପାନିମାନେ ଦୁଇଲକ୍ଷ କୋଟି ଟଙ୍କା ଲାଭ କରିଛନ୍ତି। ସେମାନେ ଚାହିଁଥିଲେ ଜିଲ୍ଲାରେ ୧୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ୪ଟି ଷ୍ଟିଲ୍ପ୍ଲାଣ୍ଟ ସ୍ଥାପନ କରିପାରିଥାନ୍ତେ ବୋଲି ଶ୍ରୀ ସାହୁ କହିଛନ୍ତି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍