
ଭୁବନେଶ୍ୱର,୧୨/୦୪: ସାଧାରଣ ପରିବାରରୁ ଆସିଥିବା ଗାଁ ପାଣି, ପବନରେ ବଢ଼ିଥିବା ଆଉ ଓଡ଼ିଆ ମିଡିୟମ ସ୍କୁଲରେ ପଢ଼ିଥିବା ଜଣେ ଓଡ଼ିଆ ପୁଅ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଆଙ୍କୁ ଏବଂ ଓଡ଼ିଶାକୁ ଗୌରବାନ୍ୱିତ କରିପାରିଛନ୍ତି । ସେ ହେଉଛନ୍ତି ବିଜେପିର ହେଭିୱେଟ ନେତା ତଥା କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଯୁବ ନେତାଙ୍କ ଦକ୍ଷତା ଉପରେ ପୁଣି ଥରେ ଆସ୍ଥା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ସଫଳ ମନ୍ତ୍ରୀ ଭାବେ ନିଜର କ୍ୟାବିନେଟ ପଦ ସହ ଦୁଇ ମନ୍ତ୍ରଣାଳୟର ଦାୟିତ୍ୱ ଦୀର୍ଘ ୭ ବର୍ଷ ଧରି ବଜାୟ ରଖିଥିଲେ ଧର୍ମେନ୍ଦ୍ର । ୨୦୧୪ରେ ଧର୍ମେନ୍ଦ୍ରଙ୍କୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । କଠିନ ପରିଶ୍ରମ ଓ ଦକ୍ଷ ନେତୃତ୍ୱ ପାଇଁ ୨୦୧୯ରେ ଧର୍ମେନ୍ଦ୍ର ପୁଣି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସହ ଇସ୍ପାତ ବିଭାଗର ଦାୟିତ୍ୱ ମଧ୍ୟ ପାଇଥିଲେ । ବିଭିନ୍ନ ସରକାରୀ ଯୋଜନାର ସଫଳ ରୂପକାର ସାଜିଥିବା ଧର୍ମେନ୍ଦ୍ରଙ୍କୁ ମୋଦିଙ୍କ ଦ୍ୱିତୀୟ ପାଳି ସରକାରରେ ପୁନର୍ବାର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଦାୟିତ୍ୱ ମିଳିଥିଲା । କୌଣସି ନେତାଙ୍କୁ ଲଗାତାର ଦ୍ୱିତୀୟ ଥର ପାଇଁ ପେଟ୍ରୋଲିୟମ ବିଭାଗ ମନ୍ତ୍ରଣାଳୟ ମିଳିବା ଭାରତ ରାଜନୀତିରେ ପ୍ରଥମ ଘଟଣା । ପୂର୍ବରୁ କେହି ବି ଲଗାତାର ଦ୍ୱିତୀୟ ଥର ପାଇଁ ପେଟ୍ରୋଲିୟମ ମନ୍ତ୍ରୀ ହୋଇନଥିଲେ ।
ଦକ୍ଷତା ଓ ନିଷ୍ଠା ବଳରେ ପ୍ରତି ଦାୟିତ୍ୱକୁ ସୁଚାରୂ ରୂପେ ତୁଲାଇ ଧର୍ମେନ୍ଦ୍ର ସବୁ ମହଲରେ ପ୍ରଶଂସିତ ହୋଇଛନ୍ତି । ଧର୍ମେନ୍ଦ୍ରଙ୍କ ଦକ୍ଷତା ଉପରେ ଭରସା କରି ପ୍ରଧାନମନ୍ତ୍ରୀ ମୋଦି ଏବେ ତାଙ୍କ ହାତରେ ଭାରତର ଶିକ୍ଷା ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି । ନିଜର କାର୍ଯ୍ୟକୁଶଳତା ବଳରେ ଜାତୀୟ ସ୍ତରରେ ନିଜକୁ ପ୍ରମାଣିତ କରିପାରିଛନ୍ତି ଓଡ଼ିଆ ପୁଅ ଧର୍ମେନ୍ଦ୍ର । ଆଗାମୀଦିନରେ ତାଙ୍କ ନେତୃତ୍ୱରେ ଦେଶର ଶିକ୍ଷା ବ୍ୟବସ୍ଥାରେ ଆସିବ ସୁଧାର । ଦକ୍ଷତା ବିକାଶ ଦିଗରେ ସଫଳତାର ଆହୁରି ନୂଆ ଫର୍ବ୍ଦ ଯୋଡ଼ିବେ ।
ଓଡ଼ିଶାର ଏହି ଯୋଗ୍ୟ ପୁଅ ଜନ୍ମ ନେଇଥିଲେ ୧୯୬୯ ଜୁନ ୨୬ ତାରିଖରେ । ସାଧାରଣ ସ୍କୁଲରୁ ଆରମ୍ଭ ହୋଇଥିଲା ପାଠପଢ଼ା । ୧୯୮୩ରେ ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ରୁ ଆରମ୍ଭ ହୋଇଥିଲା ତାଙ୍କର ଛାତ୍ର ରାଜନୀତି । ୧୯୮୫ରେ ତାଳଚେର କଲେଜ ଛାତ୍ର ସଂସଦ ସଭାପତି ନିର୍ବାଚିତ ହେଲେ । ୧୯୯୫ରେ ଏବିଭିପି ରାଷ୍ଟ୍ରୀୟ ସମ୍ପାଦକ ବନିଲେ । ୨୦୦୦ ମସିହାରେ ପ୍ରଥମ ଥର ପାଇଁ ସେ ପାଲଲହଡ଼ା ବିଧାନସଭା ଆସନରୁ ବିଧାୟକ ନିର୍ବାଚିତ ହେଲେ। ସେଇ ବର୍ଷ ହିଁ ସେ ଶ୍ରେଷ୍ଠ ବିଧାୟକ ସମ୍ମାନରେ ସମ୍ମାନିତ ହୋଇଥିଲେ । ୨୦୦୪ରୁ ୨୦୦୬ ପର୍ଯ୍ୟନ୍ତ ଧର୍ମେନ୍ଦ୍ର ବିଜେପି ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତି ରହିଥିଲେ । ୨୦୦୪ରେ ସେ ଦେବଗଡ଼ ଲୋକସଭା ଆସନରୁ ସାଂସଦ ନିର୍ବାଚିତ ହେଲେ । ଦଳ ପ୍ରତି ଆନୁଗତ୍ୟ, ନିଷ୍ଠା ଓ ଦକ୍ଷତା ଯୋଗୁ ଜାତୀୟ ରାଜନୀତିରେ କ୍ରମଶଃ ତାଙ୍କ ପ୍ରଭାବ ବଢ଼ି ଚାଲିଲା । ୨୦୦୭ରେ ବିଜେପି ତାଙ୍କୁ ଛତିଶଗଡ଼ ପ୍ରଭାରୀ ନିଯୁକ୍ତ କଲା । ସେଇବର୍ଷ ସେ ବିଜେପି ରାଷ୍ଟ୍ରୀୟ ସମ୍ପାଦକ ନିଯୁକ୍ତ ହେଲେ । ୨୦୦୭ରୁ ୨୦୧୦ ମଧ୍ୟରେ ଧର୍ମେନ୍ଦ୍ର ଉତ୍ତରାଖଣ୍ଡ ପାଇଁ ବିଜେପିର ନିର୍ବାଚନ ପର୍ଯ୍ୟବେକ୍ଷକ, ଝାଡ଼ଖଣ୍ଡ ପ୍ରଭାରୀ, କର୍ଣ୍ଣାଟକ ପ୍ରଭାରୀ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଥିଲେ । ୨୦୧୧ରୁ ୨୦୧୩ ଭିତରେ କର୍ଣ୍ଣାଟକ ଓ ବିହାରରେ ବିଜେପି ପ୍ରଭାରୀ ଥିଲେ । ୨୦୧୨ରେ ସେ ବିହାରରୁ ରାଜ୍ୟସଭାକୁ ନିର୍ବାଚିତ ହେଲେ । ୨୦୧୩ରେ ଓଡ଼ିଶା ନାଗରିକ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।
୨୦୧୪ରେ ମୋଦିଙ୍କ ନେତୃତ୍ୱରେ ଯେତେବେଳେ ବିଜେପି କ୍ଷମତାକୁ ଫେରିଲା, ଧର୍ମେନ୍ଦ୍ରଙ୍କୁ ପେଟ୍ରୋଲିୟମ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ମିଳିଥିଲା । ୨୦୧୭ରେ ତାଙ୍କୁ କୌଶଳ ବିକାଶ ଓ ଉଦ୍ୟମିତ ମନ୍ତ୍ରଣାଳୟ ବି ଦିଆଯାଇଥିଲା । ୨୦୧୮ରେ ସେ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହେଲେ । ତାଙ୍କ ସମୟରେ ଉଭୟ ମନ୍ତ୍ରଣାଳୟ ସଫଳତାର ନୂଆ କାହାଣୀ ରଚିଥିଲା । ଗରିବଙ୍କ ପାଇଁ ଉଜ୍ୱଳା ଯୋଜନା ମାଧ୍ୟମରେ ଘରେ ଘରେ ରନ୍ଧନ ଗ୍ୟାସ ପହଞ୍ଚାଇ ପାରିଛନ୍ତି । ଏଥିପାଇଁ ଧର୍ମେନ୍ଦ୍ର ସାରା ଭାରତରେ ପ୍ରଶଂସିତ ହୋଇଛନ୍ତି ।
୨୦୧୯ରେ ମୋଦି ସରକାରର ଦ୍ୱିତୀୟ ପାଳିରେ ଧର୍ମେନ୍ଦ୍ରଙ୍କୁ ଇସ୍ପାତ ସହ ପୁନର୍ବାର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ମନ୍ତ୍ରାଳୟ ଦିଆଗଲା । ନିକଟରେ ମୋଦି ନିଜ ମନ୍ତ୍ରିମଣ୍ଡଳ ଅଦଳବଦଳ କରିଥିବାବେଳେ ଧର୍ମେନ୍ଦ୍ରଙ୍କୁ ଏଥର ଶିକ୍ଷା ମନ୍ତ୍ରଣାଳୟର ଗୁରୁ ଦାୟିତ୍ୱ ଦିଆଯାଇଛି । ଦକ୍ଷତା ବିକାଶ ବି ତାଙ୍କ ହାତରେ ରହିଛି । ୨୦୧୪ରେ କେନ୍ଦ୍ର ମନ୍ତ୍ରୀ ହେବା ପରଠାରୁ ଏଯାବତ୍ ଅନେକ ରାଜ୍ୟରେ ସେ ବିଜେପିର ନିର୍ବାଚନ ପର୍ଯ୍ୟବେକ୍ଷକ ଦାୟିତ୍ୱ ତୁଲାଇଛନ୍ତି । ଯେତେବେଳେ ଯେଉଁ ଦାୟିତ୍ୱ ମିଳିଛି, ନିଷ୍ଠା ଓ ଦକ୍ଷତାର ସହ ତାହାକୁ ସମ୍ପାଦନ କରିଛନ୍ତି ଧର୍ମେନ୍ଦ୍ର । ସେଥିପାଇଁ ସେ ମୋଦିଙ୍କ ଆସ୍ଥାଭାଜନ ହୋଇ ରହିଛନ୍ତି ।
ଗଢ଼ିବେ ଛାତ୍ର ଓ ଯୁବକଙ୍କ ଭବିଷ୍ୟତ
ଧର୍ମେନ୍ଦ୍ର ପ୍ରଧାନଙ୍କ କାନ୍ଧରେ ଏବେ ଛାତ୍ର ଓ ଯୁବପିଢ଼ିଙ୍କ ଭବିଷ୍ୟତ ଗଢ଼ିବାର ଗୁରୁ ଦାୟିତ୍ୱ । ୧୩୬ କୋଟି ଜନସଂଖ୍ୟାର ପ୍ରାୟ ୪୦% ଛାତ୍ର ଓ ଯୁବକ । ସେମାନଙ୍କୁ ବିକାଶ ପଥରେ ଆଗେଇ ନେବା ପାଇଁ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଦାୟିତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପୂର୍ବରୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଭାବେ ନାମିତ ଥିଲା ଶିକ୍ଷା ମନ୍ତ୍ରଣାଳୟ । ତେବେ ଦେଶ ସ୍ୱାଧୀନ ହେବାଠାରୁ ପ୍ରତ୍ୟେକ ସରକାରରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି ।
ପୂର୍ବରୁ ଅଟଳ ବିହାରୀ ବାଜପେୟୀ, କରଣ ସିଂ, ନରସିଂହ ରାଓ, ମାଧବରାଓ ସିନ୍ଧିଆ ଓ ମୁରଲୀ ମନୋହର ଯୋଶୀଙ୍କ ଭଳି ବିଶିଷ୍ଟ ନେତାମାନେ ଏହି ମନ୍ତ୍ରଣାଳୟ ଦାୟିତ୍ୱ ନିର୍ବାହ କରିଛନ୍ତି । ମୋଦି ସରକାର ମଧ୍ୟ ଏହି ମନ୍ତ୍ରଣାଳୟକୁ ଅଧିକ ଗୁରୁତ୍ୱ ଦେଇ ଆସୁଛି । ୧୯୮୬ରୁ ପ୍ରଚଳିତ ଜାତୀୟ ଶିକ୍ଷାନୀତିକୁ ମୋଦି ସରକାର ପରିବର୍ତ୍ତନ କରି ନୂଆ ଶିକ୍ଷା ନୀତି ଆଣିଛନ୍ତି । ଏହାକୁ କାର୍ଯ୍ୟକାରୀ କରିବା ସରକାରଙ୍କ ପାଇଁ ବଡ଼ ଆହ୍ୱାନ ଥିବାବେଳେ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଧର୍ମେନ୍ଦ୍ରଙ୍କୁ ବାଛିଛନ୍ତି ମୋଦି । ନୂଆ ଶିକ୍ଷାନୀତିରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନ କରିବା ସହିତ ଦେଶର ମୌଳିକ ପରମ୍ପରାକୁ ଏଥିରେ ଯୋଡ଼ିବା ପାଇଁ ବ୍ୟବସ୍ଥା ରହିଛି । ନୂଆ ଶିକ୍ଷାନୀତି ୨୦୨୦ରେ ଲାଗୁ କରାଯାଇଛି । ମାତ୍ର ତାହା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ ହୋଇପାରିନି । ଏହି ନୀତି ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେବା ପରେ ଦେଶରେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଆସିବ । ଏହାକୁ ବାସ୍ତବ ରୂପ ଦେବେ ଧର୍ମେନ୍ଦ୍ର । ଏଥିପାଇଁ ସେ ହିଁ ପ୍ରସ୍ତୁତ କରିବେ ବ୍ଲୁ ପ୍ରିଣ୍ଟ ।
ଦେଶରେ ଥିବା ୨୫ଟି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି), ୩୧ଟି ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି(ଏନ୍ଆଇଟି), ୭ଟି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ(ଆଇସର୍), ୨୦ଟି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ୍(ଆଇଆଇଏମ୍), ୩ଟି ସ୍କୁଲ ଅଫ୍ ପ୍ଲାନିଂ ଆଣ୍ଡ ଆର୍କିଟେକଚର୍(ଏସ୍ପିଏ) ଓ ୩ଟି ଡିମ୍ଡ ବିଶ୍ୱବିଦ୍ୟାଳୟ ପ୍ରମୁଖ ରାଷ୍ଟ୍ର ଉଦୟ ନିର୍ମାଣର କ୍ଷମତା ରଖିଛନ୍ତି । ଏବେ ଧର୍ମେନ୍ଦ୍ର ଏଥିପାଇଁ ମାର୍ଗଦର୍ଶନ କରିବେ ।
ଓଡ଼ିଶାକୁ ଅତୁଳନୀୟ ଅବଦାନ
ପେଟ୍ରୋଲିୟମ, ପ୍ରାକୃତିକ ଗ୍ୟାସ ଓ ଇସ୍ପାତ ମନ୍ତ୍ରି ଦାୟିତ୍ୱରେ ରହି ଓଡ଼ିଶା ପାଇଁ ଅନେକ କିଛି କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା(ପିଏମ୍ୟୁୱାଇ) ଅଧୀନରେ ଓଡ଼ିଶାରେ ୪୭.୩୮ ଲକ୍ଷ ଏଲ୍ପିଜି ସଂଯୋଗ କରାଯାଇଛି । ୨୦୧୪ ଏପ୍ରିଲରେ ରାଜ୍ୟରେ ଏଲ୍ପିଜି ଅନ୍ତର୍ଭୁକ୍ତୀକରଣ ମାତ୍ର ୨୨.୪% ଥିଲା । ବର୍ତ୍ତମାନ ୮୦%ରେ ପହଞ୍ଚିଲାଣି । ଗତ ୬ ବର୍ଷରେ ତୈଳ ଏବଂ ଗ୍ୟାସ ସିପିଏସ୍ଇଗୁଡ଼ିକ ରାଜ୍ୟରେ ତୈଳ ଏବଂ ଗ୍ୟାସ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକରେ ୧,୩୪,୭୮୦ କୋଟି ଟଙ୍କାରୁ ଊଦ୍ଧ୍ୱର୍ ନିବେଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା(ପିଏମ୍ୟୁଜି) ପ୍ରକଳ୍ପରେ ଗେଲ୍ ପକ୍ଷରୁ ୩,୦୦୦ କିମି ଜଗଦୀଶପୁର-ହଳଦିଆ-ବୋକାରୋ-ଧାମରା ପାଇପ୍ଲାଇନ୍(ଜେଏଚ୍ବିଡିପିଏଲ୍)କୁ ବିକଶିତ କରାଯାଉଛି । ଏହି ପାଇପ ଲାଇନ୍ ମଧ୍ୟରୁ ୭୬୬ କିମି ଓଡ଼ିଶାରେ ରହିଛି । ଏ ବାବଦ ରାଜ୍ୟରେ ୩,୮୫୦ କୋଟି ଟଙ୍କା ନିବେଶ ହେଉଛି । ଧର୍ମେନ୍ଦ୍ରଙ୍କ ଉଦ୍ୟମରେ ଓଡ଼ିଶାର ୧୯ଟି ଜିଲାରେ ୪୦୦୦ କୋଟି ଟଙ୍କା ନିବେଶରେ ସିଟି ଗ୍ୟାସ୍ ଡିଷ୍ଟ୍ରିବ୍ୟୁସନ ନେଟ୍ୱର୍କ ବିଛାଯାଉଛି । ବିପିସିଏଲ୍ ଓଡ଼ିଶାର ବରଗଡ଼ଠାରେ ୨ଜି ଇଥାନଲ ବାୟୋ-ରିଫାଇନେରି ସ୍ଥାପନ କରୁଛି, ଯେଉଁଥିରେ କମ୍ପାନି ୧୬୦୭ କୋଟି ଟଙ୍କା ନିବେଶ ହେଉଛି । ୨୦୧୬ ଫେବ୍ରୁଆରୀରେ ଆଇଓସିଏଲ୍ର ପାରାଦୀପ ବିଶୋଧନାଗାରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି । ଏହି ବିଶୋଧନାଗାର ୧୫ ଏମ୍ଏମ୍ଟିପିଏ ବିଶୋଧନାଗାର, ଯେଉଁଥିରେ ନିବେଶ ପରିମାଣ ୩୩,୫୫୫ କୋଟି ଟଙ୍କା ରହିଥିଲା । ୧୯୭୧ କୋଟି ଟଙ୍କା ନିବେଶରେ ଭଦ୍ରକରେ ସ୍ଥାପନ ହେଉଛି ଟେକ୍ସଟାଇଲ ପାର୍କ ।
ସେହିପରି ୫୫୦୦ କୋଟି ଟଙ୍କା ବ୍ୟୟରେ ସ୍ଥାପନ ହେଉଛି ଧାମରା ଏଲ୍ଏନ୍ଜି ଟର୍ମିନାଲ । ବଲାଙ୍ଗିରରେ ସ୍ଥାପନ ହୋଇଛି ଏଲ୍ପିଜି ବଟଲିଂ ପ୍ଲାଣ୍ଟ । ଓଡ଼ିଶାର ଇସ୍ପାତ ଉତ୍ପାଦନକୁ ୧୦୦ ନିୟୁତ ଟନ୍କୁ ବଢ଼ାଇବା ପାଇଁ କଳିଙ୍ଗନଗରରେ ମେଗା ଷ୍ଟିଲ କ୍ଲଷ୍ଟର ଯୋଜନା କରାଯାଇଛି । ୫୦,୦୦୦ କୋଟି ଟଙ୍କା ନିବେଶରେ କେନ୍ଦ୍ରାପଡ଼ା ଜିଲ୍ଲାରେ ୧୨ ନିୟୁତ ଟନ୍ ସମନ୍ୱିତ ଷ୍ଟିଲ ପ୍ଲାଣ୍ଟ ସ୍ଥାପନ ପାଇଁ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଇଣ୍ଡିଆ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷର ହୋଇଛି । ଓଡ଼ିଶାରେ ଥିବା ନିଜର କ୍ୟାପ୍ଟିଭ୍ ଖଣିଗୁଡ଼ିକରୁ ସେଲ୍ ପ୍ରାୟ ୧.୫ ଏମ୍ଟି ଲୁହାପଥର ବିକ୍ରି କରିଛି । ଏହା ମାଧ୍ୟମରେ ରାଜ୍ୟ ରାଜକୋଷକୁ ୬୦ କୋଟି ଟଙ୍କାରୁ ଅଧିକ ରାଜସ୍ୱ ଆସିଛି । ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଆଧୁନିକୀକରଣ ଏବଂ ସମ୍ପ୍ରସାରଣ ପାଇଁ ୧୨୬୧୦.୨ କୋଟି ଟଙ୍କା ନିବେଶ ହେଉଛି । ୨୦୧୪-୧୫ରୁ ଆର୍ଏସ୍ପି ରାଜ୍ୟ ରାଜକୋଷକୁ ୧୧୩୩.୧୯ କୋଟି ଟଙ୍କାରୁ ଅଧିକ ପ୍ରଦାନ କରିଛି । ରାଜ୍ୟରେ ସିଏସ୍ଆର୍ କାର୍ଯ୍ୟକ୍ରମ ବାବଦ ୨୦୧୫-୧୬ରୁ ଆର୍ଏସ୍ପି ୨୨୭୬.୬୬ କୋଟି ଟଙ୍କା ନିବେଶ କରିଛି । ୨୦ କୋଟି ଟଙ୍କା ନିବେଶରେ ଏନ୍ଆଇଏନ୍ଏଲ୍ର ପୁନରୁଦ୍ଧାର କରାଯାଉଛି ।
ଅକ୍ସିଜେନ ଦେଇ ଜୀବନ ରକ୍ଷା
ଷ୍ଟିଲ ପ୍ଲାଣ୍ଟ ଏବଂ ତୈଳ ବିଶୋଧନାଗାରଗୁଡ଼ିକ ଦିନକୁ ଦେଶରେ ୬୬୫୦ ଏମ୍ଟି ମେଡିକାଲ ଅକ୍ସିଜେନ୍ ଯୋଗାଉଛନ୍ତି । ଦୈନିକ ଏଲ୍ଏମ୍ଓ ଉତ୍ପାଦନ ସହିତ ଷ୍ଟିଲ ପ୍ଲାଣ୍ଟଗୁଡ଼ିକ ନିଜ ନିଜ ଷ୍ଟୋରେଜ୍ ଟ୍ୟାଙ୍କରେ ୨୫,୦୦୦ ଏମ୍ଟି ଏଲ୍ଏମ୍ଓ ମହଜୁଦ ରଖିଛନ୍ତି ।
୧୦ ହଜାରରୁ ଅଧିକ ଅକ୍ସିଜେନ୍ ବେଡ୍
ଦେଶବ୍ୟାପୀ ନିର୍ମାଣ ହେଉଛି ଜୁମ୍ବୋ କୋଭିଡ୍ କେୟାର ସେଣ୍ଟର । ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ହାଜିରାଠାରେ ୨୫୦ ବେଡ୍ ବିଶିଷ୍ଟ କୋଭିଡ୍ କେୟାର କେନ୍ଦ୍ର କାର୍ଯ୍ୟକ୍ଷମ କରିଛି । ଦେଶର ୧୫ଟି ସ୍ଥାନରେ ଜୁମ୍ବୋ କୋଭିଡ୍ ସେଣ୍ଟରଗୁଡ଼ିକୁ ସହଯୋଗ କରିବା ନିମନ୍ତେ ଇସ୍ପାତ ଶିଳ୍ପ ୮୫୦୦ ଅକ୍ସିଜେନ୍ ବେଡ୍ ଉପଲବ୍ଧ କରିବା ପାଇଁ କାର୍ଯ୍ୟ କରୁଛି ।
କରୋନା ଦ୍ୱିତୀୟ ଲହରରେ ସହାୟତା
ଭାରତ ସରକାରଙ୍କ ହସ୍ତକ୍ଷେପ ମାଧ୍ୟମରେ ସିପିଏସ୍ଇ ଏବଂ ଘରୋଇ ନିଗମଗୁଡ଼ିକ ଦ୍ୱାରା ରାଜ୍ୟରେ ୮୧୦ ଭେଣ୍ଟିଲେଟର ବେଡ୍ ସମେତ ୪୧୮୫ କୋଭିଡ୍ ହସ୍ପିଟାଲ ବେଡ୍ ସଂସ୍ଥାପନ କରାଯାଉଛି । କୋଭିଡ୍ ରୋଗୀଙ୍କୁ ଅମ୍ଳଜାନ ଯୋଗାଇବା ପାଇଁ ସିପିଏସ୍ଇ ଏବଂ ଭାରତ ସରକାରଙ୍କ ଦ୍ୱାରା ୩୨ଟି ଅକ୍ସିଜେନ ପିଏସ୍ଏ ପ୍ଲାଣ୍ଟ ସ୍ଥାପନ କରାଯାଉଛି । ଏଥିମଧ୍ୟରୁ ୭ଟି ପିଏସ୍ଏ ପ୍ଲାଣ୍ଟ ତୈଳ ପିଏସ୍ୟୁଙ୍କ ଦ୍ୱାରା ସ୍ଥାପନ ହେଉଛି । ସିପିଏସ୍ଇଗୁଡ଼ିକ ଦ୍ୱାରା ରାଜ୍ୟକୁ ୧୨୫ ଅକ୍ସିଜେନ୍ କନ୍ସେଣ୍ଟ୍ରେଟର, ୧୫୦୦ ଅକ୍ସିଜେନ୍ ସିଲିଣ୍ଡର ଏବଂ ୩ଟି ଅକ୍ସିଜେନ୍ ଟ୍ୟାଙ୍କର ଯୋଗାଇ ଦିଆଯାଇଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍