July 3, 2025

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁୟେରପ୍ପାଙ୍କୁ ଦିଲ୍ଲୀ ଡାକରା, ଉତ୍ତରାଖଣ୍ଡ ପରେ ବଦଳିପାରେ କର୍ଣ୍ଣାଟକ କ୍ୟାବିନେଟ୍

 

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ପରେ ଏବେ କର୍ଣ୍ଣାଟକରେ ବଦଳି ପାରେ କ୍ୟାବିନେଟ୍ । ୟେଦୁୟେରପ୍ପା ମନ୍ତ୍ରୀମଣ୍ଡଳ ଅଦଳ ବଦଳ ହୋଇପାରେ ବୋଲି ଅନୁମାନ କରାଯାଇଛି । ଏନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁୟେରପ୍ପାଙ୍କୁ ଦିଲ୍ଲୀରୁ ଡାକରା ଆସିଛି । ପୁଅ ବିଜୟେନ୍ଦ୍ରଙ୍କ ସହ ଏକ ସ୍ୱତନ୍ତ୍ର ବିମାନରେ ଉଡ଼ାଣ କରିଥିବା ବେଳେ ଆଜି ଅପରାହ୍ନ ୩:୩୦ରେ ସେ ଦିଲ୍ଲୀରେ ଅବତରଣ କରିବେ ବୋଲି ଆଶା କରାଯାଉଛି | ଏହାପରେ ସେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ଗୁରୁବାର ଦିନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦୁୟେରପ୍ପା କହିଥିଲେ କି, ଏବେ ତାଙ୍କ ମନ୍ତ୍ରିମଣ୍ଡଳ ଅଦଳ ବଦଳ କରିବାର କୌଣସି ଯୋଜନା ନାହିଁ । ଏହି ବାବଦରେ କିଛି ନିଷ୍ପତ୍ତି ନେବାକୁ ସେ ଦଳର କେନ୍ଦ୍ରୀୟ ନେତାଙ୍କ ସହ ଆଲୋଚନା କରିବାକୁ ଦିଲ୍ଲୀ ଯାଉଛନ୍ତି ଓ ରାଜ୍ୟର ବିଭିନ୍ନ ବିଷୟ ଉପରେ ସେଠାରେ ଆଲୋଚନା ହେବ ବୋଲି ସେ କହିଥିଲେ।

ମନ୍ତ୍ରିମଣ୍ଡଳ ପୁର୍ନଗଠନ ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ, ‘ମୋ ଜାଣିବାରେ ସେମିତି କିଛି ପ୍ରସ୍ତାବ ନାହିଁ, ଦିଲ୍ଲୀରେ ଆଲୋଚନା ପରେ ସ୍ପଷ୍ଟ ହେବ’ ।

ଅନ୍ୟପକ୍ଷରେ, ଏହି ଗସ୍ତକୁ ନେଇ ରାଜସ୍ୱ ମନ୍ତ୍ରୀ ଆର ଅଶୋକ କହିଛନ୍ତି, “ସାଧାରଣ ପ୍ରକ୍ରିୟା। କିଛି ବିଶେଷ କଥା ନାହିଁ। କର୍ଣ୍ଣାଟକରେ ନେତୃତ୍ୱ ପରିବର୍ତ୍ତନ ହେବ ନାହିଁ। ୟେଦୁୟେରପ୍ପା ମୁଖ୍ୟମନ୍ତ୍ରୀ ରହିବେ। ସେ ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ତଥା ଦଳର ସଭାପତିଙ୍କୁ ଭେଟିବା ପାଇଁ ଦିଲ୍ଲୀ ଗସ୍ତ କରୁଛନ୍ତି ଏବଂ ଅନ୍ୟ କେନ୍ଦ୍ରୀୟ ମନ୍ତ୍ରୀମାନେ ବିଶେଷ କରି ଜଳସେଚନ ମନ୍ତ୍ରୀଙ୍କୁ ସେ ଭେଟିବେ। କାବେରୀ ନଦୀ ପ୍ରସଙ୍ଗ ହେଉଛି ମୁଖ୍ୟ ପ୍ରସଙ୍ଗ। ସେଥିପାଇଁ ସେ ଦିଲ୍ଲୀ ଗସ୍ତ କରୁଛନ୍ତି। “

Spread the love