April 18, 2025

ଆସାମ କଂଗ୍ରେସକୁ ଝଟ୍‌କା, ଇସ୍ତଫା ଦେଲେ ଆଉ ଜଣେ ବିଧାୟକ, ବିଜେପିରେ ହୋଇପାରନ୍ତି ସାମିଲ୍‌

 

ନୂଆଦିଲ୍ଲୀ ୩୦/୭: ଆସାମ କଂଗ୍ରେସକୁ ପୁଣି ଏକ ଶକ୍ତ ଝଟ୍‌କା ଲାଗିଛି। କଂଗ୍ରେସର ଅନ୍ୟ ଜଣେ ବିଧାୟକ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଜେରହାଟ ଜିଲ୍ଲାର ଥୋରାରୁ ଦୁଇ ଥର ବିଧାୟକ ସୁଶାନ୍ତ ବୋରଗୋହେନ୍‌ ନିଜର ଇସ୍ତଫା ପତ୍ର ଆସାମାରେ ନବନିଯୁକ୍ତ କଂଗ୍ରେସ ଅଧ୍ୟକ୍ଷ ଭୁପେନ ବୋରାଙ୍କୁ ମେଲ୍‌ କରିଥିବା ଜଣାପଡ଼ିଛି। ସେ ଅଗଷ୍ଟ ପହିଲାରେ ଶାସକ ଦଳ ବିଜେପିରେ ସାମିଲ ହେବା ନେଇ ସମ୍ଭାବନା ରହିଛି।

ବୋରା କହିଛନ୍ତି, ‘ନିଜ ଇସ୍ତଫା ପତ୍ରରେ ବୋରଗୋହେନ୍‌ ଦଳ ଦ୍ବାରା ଦିଆଯାଇଥିବା ଅବସର ପ୍ରସ୍ତାବ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। କିନ୍ତୁ ନିକଟରେ ଘଟିଥିବା କିଛି ଘଟଣା ପାଇଁ ଦଳରେ ରହିବାକୁ ଚାହୁଁନଥିବା ନେଇ ଲେଖିଛନ୍ତି।’ ବୋରଗୋହେନ୍‌ ଏବେ ଯାଏ ବିଧାନସଭାରୁ ଇସ୍ତଫା ଦେଇନାହାନ୍ତି। ମରୀୟାନୀ ବିଧାୟକ ଋପଜ୍ୟୋତି କୁର୍ମିଙ୍କ ପରେ କଂଗ୍ରେସ ଛାଡ଼ି ବିଜେପିକୁ ଯାଇପାରନ୍ତି ବୋରଗୋହେନ। ଆସାମରେ ଦ୍ବିତୀୟ ଥର ବିଜେପି ଶାସନକୁ ଫେରିବାର ୩ ମାସ ଭିତରେ କଂଗ୍ରେସକୁ ଝଟକା ଲାଗିଛି।

ସେପଟେ ବିଜେପି ରାଜ୍ୟ ଅଧ୍ୟକ୍ଷ ଭାବେଶ କଲିତାଙ୍କ ଅନୁସାରେ, ବୋରଗୋହେନ କିଛି ଦିନ ହେଲା ବିଜେପି ସମ୍ପର୍କରେ ଅଛନ୍ତି। ସେ ଔପଚାରିକ ଭାବେ ଅଗଷ୍ଟ ପହିଲାରେ ବିଜେପିରେ ସାମିଲ ହେବେ। ଏହା ସହ ଏଆଇୟୁଡିଏଫ୍‌ର ଜଣେ ବିଧାୟକ ଫଣୀଧର ତାଲୁକଦାର ମଧ୍ୟ ଆଗାମୀ ମାସରେ ବିଜେପି​‌ରେ ଯୋଗ ଦେବେ।

ସୂଚନାଯୋଗ୍ୟ, ଚଳିତବର୍ଷ ମାର୍ଚ୍ଚ-ଏପ୍ରିଲ୍‌ରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେପି ମୋଟ ୧୨୬ ସିଟ୍‌ରୁ ୬୦ରେ ବିଜୟୀ ହୋଇଥିଲା। ଏହା ପରେ ଆସାମ ଗଣ ପରିଷଦର ସମର୍ଥନରେ ଶାସନକୁ ଫେରିଥିଲା। ସେପଟେ କଂଗ୍ରେସକୁ ୨୬ ଏବଂ ଏଆଇୟୁଡିଏଫକୁ ୧୬ ସିଟ୍‌ ମିଳିଥିଲା ।

Spread the love