August 26, 2025

‘ପାପଡି ଚାଟ’ ବୟାନକୁ ନେଇ ସାଂସଦଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦି, କହିଲେ ଏହା ସଂସଦର ଅପମାନ

 

ନୂଆଦିଲ୍ଲୀ ୦୩/୦୮ : ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ସଂସଦୀୟ ଦଳ ବୈଠକରେ ଅଂଶଗ୍ରହଣ କରିଥିଲେ। ବୈଠକରେ ମୋଦି ପୁଣିଥରେ ସଂସଦର କାର୍ଯ୍ୟକାଳ ମୁଲତବୀକୁ ନେଇ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ। ମୋଦି ଏହାକୁ ସଂସଦ, ସମ୍ବିଧାନ ଓ ଗଣତନ୍ତ୍ରର ଅପମାନ ବୋଲି କହିଛନ୍ତି। ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପିର ଅନ୍ୟାନ୍ୟ ନେତା ନେତା ସାମିଲ ଥିଲେ। କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ବୈଠକ ସମୟରେ ମୋଦି ଟିଏମସି ସାଂସଦ ଡେରେକ ବ୍ରାୟନଙ୍କ ‘ପାପଡି ଚାଟ’ ବୟାନକୁ ଅପମାନଜନକ କହିଥିଲେ।

ସୋମବାର ଦିନ ଟିଏମସି ସାଂସଦ ଟ୍ୱିଟ କରି ବିନା ତର୍କରେ ବିଲ ଅନୁମୋଦନକୁ ନେଇ ସରକାରଙ୍କୁ ସମାଲୋଚନା କରିଥିଲେ। ଟ୍ୱିଟରେ ସେ ଲେଖିଥିଲେ, ‘ଆଇନ ଗଠନ କରୁଛନ୍ତି ନା ପାପଡି ଚାଟ। ପ୍ରଥମ ୧୦ ଦିନରେ ମୋଦି-ଶାହ ୧୨ ବିଲ ଅନୁମୋଦନ କରାଇଛନ୍ତି। ସବୁ ପିଲା ପ୍ରାୟ ୭ ମିନିଟରେ ପାସ ହୋଇଛି। ଆଇନ ଗଢୁଛନ୍ତି ନା ପାପଡି ଚାଟ !’ ଟ୍ୱିଟ ସହ ଡେରେକ ଏକ ତାଲିକା ମଧ୍ୟ ସେୟାର କରିଥିଲେ ଯେଉଁଥିରେ ଦର୍ଶାଯାଇଥିଲା କେଉଁ ବିଲରେ କେତେ ସମୟ ଚର୍ଚ୍ଚା ହୋଇଥିଲା। ସବୁଠାରୁ କମ ସମୟରେ କୋକୋନଟ ଡେଭେଲପମେଣ୍ଟ ବୋର୍ଡ ବିଲ ଅନୁମୋଦନ କରାଯାଇଥିଲା। ଏହି ବିଲ ଉପରେ ମାତ୍ର ଗୋଟିଏ ମିନିଟ ଚର୍ଚ୍ଚା ହୋଇଥିଲା।

ପ୍ରହ୍ଲାଦ ଯୋଶୀ ଆଗକୁ କହିଛନ୍ତି ଯେ ପିଏମ ମୋଦି ବିଜେପି ସଂସଦୀୟ ଦଳ ବୈଠକ ସମୟରେ କହିଥିଲେ ଯେ, ପାପଡି ଚାଟ ତିଆରି କରିବା ବୟାନ ଅପମାନଜନକ ଥିଲା। ସଂସଦରେ କାଗଜ ଚିରି ଫୋପାଡିବା ଓ ଏଥିପାଇଁ କ୍ଷମା ବି ନ ମାଗିବା ଅହଂକାର।

ବୈଠକରେ ମୋଦି ନିଜର ସମସ୍ତ ସାଂସଦଙ୍କୁ ସଂଯମ ରକ୍ଷା କରି ସଂସଦର ଗାରିମା ବଜାୟ ରଖିବାକୁ କହିଥିଲେ। ସେ କହିଥିଲେ ଯେ ସଂସଦରେ କାର୍ଯ୍ୟକାଳ ଜାରି ରଖିବା ଆମ ସମସ୍ତଙ୍କ ଦାୟିତ୍ତ୍ୱ।

Spread the love