September 15, 2025

ଓଡ଼ିଶାରେ ୧୮ ହଜାର କଏଦୀଙ୍କୁ ଦିଆଗଲାଣି କୋଭିଡ ଟିକା, ଲୋକସଭାରେ ସୂଚନା ଦେଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

 

ଭୁବନେଶ୍ୱର: ଓଡ଼ିଶାରେ ପାଖାପାଖି ୧୮ ହଜାର ୩୨୯ ଜଣ କଏଦୀଙ୍କୁ କୋଭିଡ ଟିକା ଦିଆଯାଇଛି | ଲୋକସଭାରେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏନେଇ ସୂଚନା ଦେଇଛନ୍ତି | ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ପ୍ରଶ୍ନ କରିଥିଲେ ଯେ ଦେଶର ବିଭିନ୍ନ ଜେଲରେ ବନ୍ଦୀ ଥିବା କଏଦୀଙ୍କୁ କୋଭିଡ ଟିକାକରଣ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ କୌଣସି ସ୍ୱତନ୍ତ୍ର ଯୋଜନା କରିଛି କି ? ସେହିପରି ଓଡ଼ିଶା ସହ ଦେଶର ଅନ୍ୟ ରାଜ୍ୟରେ କେତେଜଣ କଏଦୀଙ୍କୁ କୋଭିଡ ଟିକା ଦିଆଯାଇଛି ଓ କଏଦୀଙ୍କୁ ଟିକାକରଣ କେବେ ସୁଦ୍ଧା ସମ୍ପୂର୍ଣ୍ଣ ହେବ ?

ଏହାର ଉତ୍ତର ରଖି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ଯେ କୋଭିଡ ୧୯ ଟିକାକରଣ ପାଇଁ ଯେଉଁମାନଙ୍କର ପରିଚୟ ପତ୍ର ନାହିଁ (ଜେଲରେ ଥିବା କଏଦୀ, ମାନସିକ କେନ୍ଦ୍ରରେ ଥିବା ବ୍ୟକ୍ତି, ଵୃଦ୍ଧାଶ୍ରମରେ ରହୁଥିବା ନାଗରିକ,ଭିକାରି)ଙ୍କୁ ମଧ୍ୟ ଟିକା ଦିଆଯାଉଛି | କଏଦୀମାନଙ୍କୁ ଟିକାକରଣ ଅଭିଯାନ ଡିସେମ୍ବର, ୨୦୨୧ ସୁଦ୍ଧା ସରିଯିବ ବୋଲି ଆଶା କରାଯାଉଛି | ସେହିପରି ଅଗଷ୍ଟ ୪ ସୁଦ୍ଧା ଓଡ଼ିଶାର ୧୬ ହଜାର ୧୫୩ ଜଣ କଏଦୀ କୋଭିଡ ଟିକାର ପ୍ରଥମ ଡୋଜ ନେଇଥିବାବେଳେ ୨ ହଜାର ୦୭୬ ଜଣ କୋଭିଡ ଟିକାର ଦ୍ଵିତୀୟ ଡୋଜ ନେଇସାରିଛନ୍ତି |

ଏଭଳି ଭାବେ ଓଡ଼ିଶାର ୧୮ ହଜାର ୩୨୯ ଜଣେ କଏଦୀଙ୍କୁ ଟିକା ଦିଆଯାଇଛି | ସେହିପରି ଉତ୍ତରପ୍ରଦେଶର ସର୍ବାଧିକ ୨୭ ହଜାର ୧୯ ଜଣ କଏଦୀଙ୍କୁ ଟିକା ଦିଆଯାଇଥିବାବେଳେ ପୁଡୁଚେରୀ, ଲଦାଖ, ଲାକ୍ଷାଦ୍ଵୀପର, ଦାମନ ଓ ଡିଓ, ଦାଦ୍ରା ହାବେଳୀର ଜେଲରେ ଥିବା କଏଦୀଙ୍କୁ ଟିକା ଦିଆଯାଇନାହିଁ |

Spread the love