October 18, 2024

Satya News

odia news channel

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଂଶୋଧିତ ଗାଇଡ୍‌ଲାଇନ୍‌ ଜାରି; ଜଳାଶୟର ୫୦ ମିଟର ପରିଧି ଭିତରେ ହୋଇ ପାରିବ ନାହିଁ ପେଟ୍ରୋଲ ପମ୍ପ୍‌

 

ନୂଆଦିଲ୍ଲୀ: କୌଣସି ଜଳାଶୟର ୫୦ ମିଟର ପରିଧି ମଧ୍ୟରେ ଏବେ ଆଉ ପେଟ୍ରୋଲ ପମ୍ପ୍‌ ହୋଇ ପାରିବ ନାହିଁ ବୋଲି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଆଦେଶ ଜାରି କରିଛି। ପୂର୍ବରୁ ଜାରି କରାଯାଇଥିବା ମାର୍ଗଦର୍ଶିକାରେ ଉପରୋକ୍ତ ସଂଶୋଧନ କରାଯାଇଛି।

ଓଡ଼ିଶା ସମେତ ଦେଶର ସମସ୍ତ ରାଜ୍ୟର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡମାନଙ୍କୁ ‘ସିପିସିବି’ ସଂଶୋଧିତ ମାର୍ଗଦର୍ଶିକା ପଠାଇ ଦେଇଛି। ଜଳାଶୟର ୫୦ ମିଟରରୁ କମ୍ ଦୂରତାରେ ପେଟ୍ରୋଲ ପମ୍ପ୍‌ ବସାଯିବା ହେତୁ ଜଳ ପ୍ରଦୂଷଣ ହେଉଛି ବୋଲି ପ୍ରଥମେ ‘ସିପିସିବି’ ଆକଳନ କରିଥିଲା।

ଏଥିପାଇଁ ‘ସିପିସିବି’ ଜନମତ ଲୋଡ଼ିଥିଲା।  ପ୍ରାପ୍ତ ଜନସାଧାରଣଙ୍କ ମତାମତକୁ ‘ସିପିସିବି’ ବିଶେଷଜ୍ଞ କମିଟିକୁ ପଠାଇଥିଲା। ସେ ସବୁକୁ ସମୀକ୍ଷା କରି ବିଶେଷଜ୍ଞ କମିଟି ମାର୍ଗଦର୍ଶିକାରେ ସଂଶୋଧନ କରିବା ପାଇଁ ପ୍ରସ୍ତାବ ଦେଇଥିଲା। ଉକ୍ତ ମାର୍ଗଦର୍ଶିକାକୁ ସଂଶୋଧନ କରି ‘ସିପିସିବି’ ରାଜ୍ୟମାନଙ୍କୁ ଉପରୋକ୍ତ ଆଦେଶ ଜାରି କରିଛି।

ସ୍ଥାପନ ହେବାକୁଥିବା ପେଟ୍ରାଲ୍‌ ପମ୍ପଗୁଡ଼ିକ ପାଇଁ ଏହି ନିୟମ ଲାଗୁ ହେବ ବୋଲି ‘ସିପିସିବି’ ଜାରି କରିଥିବା ଆଦେଶରେ ସ୍ପଷ୍ଟ ଭାବେ ଉଲ୍ଲେଖ ଅଛି। ‘ସିପିସିବି’ ପକ୍ଷରୁ କୁହାଯାଇଛି କି, ଜଳାଶୟଗୁଡିକୁ ଯଥାସମ୍ଭବ ପ୍ରଦୂଷଣମୁକ୍ତ କରାଯିବା ଆବଶ୍ୟକ। ଏଥିପାଇଁ ରାଜସ୍ବ ରେକର୍ଡରେ ଯେଉଁ ସବୁ ଚିହ୍ନିତ ଜଳାଶୟ ରହିଛି, ତାହାର ଏକ ତାଲିକା ପ୍ରସ୍ତୁତି କରିବାକୁ ପଡ଼ିବ। ୫୦ ରୁ ୧୦୦ ମିଟର ଦୂରତାରେ ବସା ଯିବାକୁ ଥିବା ପେଟ୍ରୋଲ ପମ୍ପ୍‌ ପାଇଁ ଡବଲ୍‌ କାନ୍ଥ ନଚେତ ଟ୍ୟାଙ୍କ୍‌ ପାର୍ଶ୍ବରେ କାନ୍ଥ ଉଠାଇବା ପାଇଁ  ‘ସିପିସିବି’ କହିଛି।

ନୂଆ ମାର୍ଗଦର୍ଶିକା ଅନୁସାରେ, ସ୍ଥାପିତ ଅଥବା ସ୍ଥାପନ ହେବାକୁ ଥିବା ପେଟ୍ରୋଲ୍‌ ପମ୍ପ୍‌ ପାଇଁ ତିନୋଟି ପୃଥକ୍‌ ଦିଗରୁ ନମୁନା ନେବାକୁ ପଡ଼ିବ ବୋଲି ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି। ‘ସିପିସିବି’ କହିବା ଅନୁସାରେ, ପ୍ରତିବର୍ଷ  ତୈଳ ମାର୍କେଟିଂ କମ୍ପାନି ଜଳାଶୟର ୧୦୦ ମିଟର ପରିଧି ଆଖପାଖର ଜଳ ଓ ଜମିର ଗୁଣବତ୍ତା ଯାଞ୍ଚ କରିବ। ଏହାଛଡ଼ା, ନୂଆ ପେଟ୍ରୋଲ୍‌ ପମ୍ପ ସ୍ଥାପନ ପୂର୍ବରୁ ଜଳ ଓ ଜମିର ପରୀକ୍ଷା ଉପରେ ମଧ୍ୟ ‘ସିପିସିବି’ ଗୁରୁତ୍ବାରୋପ କରିଛି।

Spread the love