March 11, 2026

କଦଳୀ ବୋଝେଇ ଟ୍ରକ୍‌ରୁ କୋଟିଏ ଟଙ୍କାର ଗଂଜେଇ ଜବତ, ଉତ୍ତର ପ୍ରଦେଶ ଯାଉଥିଲା ଗାଡ଼ି

 

ଜୟପୁର: କୋରାପୁଟ ଜିଲ୍ଲାରୁ ଉତ୍ତର ପ୍ରଦେଶ ଅଭିମୁଖେ ଯାଉଥିବା ଏକ କଳଦୀ ବୋଝେଇ ଟ୍ରକ୍‌ରୁ କୋଟିଏ ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ଗଂଜେଇ ଜବତ ହୋଇଛି। ଜୟପୁର ପୁଲିସ ଗଂଜେଇ କାରବାର ସହିତ ସଂପୃକ୍ତି ରଖିଥିବା ଚାଳକଙ୍କ ସମେତ ୨ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବିହାର ରାଜ୍ୟର ରୋହତାସ ଜିଲ୍ଲା କୋଚାସ ଥାନା ଅନ୍ତର୍ଗତ କଣ୍ଟିପଥ ନିବାସୀ ଗୌରୀ ରାୟଙ୍କ ପୁଅ ପ୍ରମୋଦ ରାୟ (୨୫) ଓ ଦିନାରା ଥାନା ଅନ୍ତର୍ଗତ ମୁଖେତା ଗାଁର ରାମ ବିଳାସ ପାସିଙ୍କ ପୁଅ ଓମ୍‌ପ୍ରକାଶ ପାସି (୨୯)।

ଗତକାଲି ରାତି ପାଖାପାଖି ୧୦ଟା ୪୦ରେ ଜୟପୁର ସଦର ଥାନାର ଓଆଇସି ଏ ମହାକୁରଙ୍କୁ ସୂଚନା ମିଳିଥିଲା ଯେ, କୋରାପୁଟ ଅଂଚଳରୁ ଜୟପୁର ଦେଇ ଏକ କଦଳୀ ବୋଝେଇ ଟ୍ରକ୍‌ରେ ଗଂଜେଇ ଚାଲାଣ କରାଯାଉଛି। ଉତ୍ତର ପ୍ରଦେଶର ଏହି ଟ୍ରକ୍‌ (ୟୁପି୩୮ସିଟି-୩୮୯୬)ରେ ଚାଳକଙ୍କ ସମେତ ୨ ଜଣ ବ୍ୟକ୍ତି ଅଛନ୍ତି ବୋଲି ପୁଲିସକୁ ସୂଚନା ମିଳିଥିଲା।

ବିଶ୍ୱସ୍ତ ସୂତ୍ରରୁ ସୂଚନା ମିିଳିବା ପରେ ଏସ୍‌ଆଇ ଏସ୍‌ ପଣ୍ଡା ଏବଂ ତାଙ୍କର ଟିମ୍‌ ଜୟପୁର ଘାଟ ନିକଟରେ ତୁରନ୍ତ ପହଂଚି ଚୋରାରେ ଚାଲାଣ ହେଉଥିବା ଟ୍ରକ୍‌କୁ ଠାବ କରିଥିଲେ। ଗାଡ଼ିରେ ତଦନ୍ତ ସମୟରେ ୧୦୫୪ କିଲୋ ଗଂଜେଇ ଥିବା ଜଣାପଡ଼ିଥିଲା। ଏହାର ବଜାର ମୂଲ୍ୟ ଆନୁମାନିକ ଏକ କୋଟି ୪୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି। ପୁଲିସ ସଂପୃକ୍ତ ଟ୍ରକ୍‌ ଓ ଏକ ମୋବାଇଲ୍‌ ଫୋନ୍‌କୁ ଜବତ କରିଛି।

Spread the love