November 22, 2024

Satya News

odia news channel

ସୁନ୍ଦରଗଡ ଜିଲ୍ଲାରେ ସ୍ୱଚ୍ଛଭାରତ ମିଶନର ବିକଳ ଚିତ୍ର: ପାଇଖାନା ପାଣ୍ଠି ବି ଖାଇଗଲେ!

 

ରାଉରକେଲା : ସହରର ବସ୍ତିଠୁ ଆରମ୍ଭ କରି ଗାଁକୁ ବାହ୍ୟମଳମୁକ୍ତ କରିବା ଲକ୍ଷ୍ୟ ନେଇ ସ୍ବଚ୍ଛ ଭାରତ ମିଶନ ଜରିଆରେ ପ୍ରତ୍ୟେକ ଘରେ ନିର୍ମାଣ ହୋଇଛି ପାଇଖାନା। ପ୍ରତ୍ୟେକ ପାଇଖାନା ପିଛା ଖର୍ଚ୍ଚ ହୋଇଛି ୧୨ ହଜାର ଟଙ୍କା। କିନ୍ତୁ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁ ଅର୍ଦ୍ଧାଧିକ ପାଇଖାନା ଲୋକଙ୍କ କାମରେ ଆସୁନି। ଗାଁରେ ନିର୍ମାଣ ହୋଇଥିବା ପାଇଖାନାଗୁଡ଼ିକୁ ଦେଖିଲେ ସ୍ବଚ୍ଛ ଭାରତ ମିଶନ ଯୋଜନା ପାଣ୍ଠି କେମିତି ବାଟମାରଣା ହୋଇଛି ଜଳ ଜଳ ହୋଇ ବାରି ହୋଇ ପଡୁଛି। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ଜିଲ୍ଲାର ପ୍ରତ୍ୟେକ ବ୍ଲକର ୬୦ରୁ ୭୦% ଗାଁରେ ‌ଏମିତି ବିକଳ ଚିତ୍ର ଦେଖିବାକୁ ମିଳୁଛି। କେଉଁଠି ପାଇଖାନା ଅଧ ପନ୍ତରିଆ ହୋଇ ପଡିଛି ତ ଅନ୍ୟ କେଉଁଠି କବାଟ ନାହିଁ। ଅନ୍ୟ କେଉଁ ଗାଁରେ ଅର୍ଥ ଚଳୁ କରିବାକୁ ଠିକାଦାରମାନେ ଗାଁ ଠାରୁ ଦୂର ବିଲ୍‌ ମଝିରେ ପାଇଖାନାଗୁଡ଼ିକୁ ଅଧଖଣ୍ଡିଆ କରି ଛାଡି ଦେଇ ଚାଲି ଯାଇଛନ୍ତି। କିନ୍ତୁ ଅଫିସ୍‌ କାଗଜପତ୍ରରେ ସବୁକିଛି ଠିକ୍‌ ଭାବେ କରାଯାଇଥିବା ଦର୍ଶାଇ ଠିକାଦାରମାନେ ବିଲ୍‌ ଉଠାଇ ନେଇଛନ୍ତି।

ଉଦାହରଣ ଭାବେ ଜିଲ୍ଲାର ଦୁଇଟି ବ୍ଲକ ନୂଆଗାଁ ଓ ବିଶ୍ରାକୁ ନିଆଯାଇପାରେ। ନୂଆଗାଁ ବ୍ଲକର ୨୦ ପଞ୍ଚାୟତର ସମାନ ସ୍ଥିତି। ପାଖାପାଖି ୫୦% ଘରେ ନିର୍ମାଣ ପାଇଖାନା ଲୋକଙ୍କ କାମରେ ଆସୁନି। ନୂଆଗାଁ ବ୍ଲକ ସୋରଡାର ନିକଟସ୍ଥ ବସ୍ତିରେ ଅଧିକାଂଶ ପାଇଖାନା କାମରେ ଆସୁନି। କାହାର କବାଟ ନାହିଁ ତ ପୁଣି ଅନ୍ୟ କାହାର କାନ୍ଥର ଉପରେ ଆଜବେଷ୍ଟସ୍‌ ନାହିଁ। ଅଙ୍କୁରପାଲି, ବଡ ଯୋଜଦା, ବାଗଡେଗା, ଚିତାପେଡି, ଜାହାଡିଟୋଲି, କୋକେରମା ପଞ୍ଚାୟତର ପ୍ରତ୍ୟେକଟି ଗାଁର ପାଇଖାନାଗୁଡ଼ିକର ଦୟନୀୟ ଅବସ୍ଥା।

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ, ନୂଆଗାଁ ବ୍ଲକର ୨୦ଟି ପଞ୍ଚାୟତରେ ୨୦୧୬-୧୭ ଆର୍ଥିକ ବର୍ଷରୁ ୨୦୨୦-୨୧ ମଧ୍ୟରେ ମୋଟ୍‌ ୧୫,୦୪୦ଟି ପାଇଖାନା ତିଆରି ହୋଇଛି। ଅଙ୍କୁରପାଲି ପଞ୍ଚାୟତରେ ୫୯୦, ବଡଯୋଜାଦାରେ ୫୫୫, ବାଗଡେଗାରେ ୯୩୦, ବାରିଲେପ୍‌ଟାରେ ୯୮୯, ଚିତାପେଡିରେ ୧୨୬୨, ହାତୀବାରିରେ ୮୮୪, ଯାହାଡିଟୋଲିରେ ୭୭୫, କନ୍ଦରକେଲାର ୯୧୪, କରଡେଗାର ୭୫୨, କର୍କଟନାଶାର ୨୩୦, ଖୁଣ୍ଟଗାଁରେ ୮୭୬, କୋକେରମାରେ୮୫୨, ଲିମ୍‌ଡାରେ ୫୭୫, ଲୁକୁମବେଡା ୬୦୫ ଓ ମେନ୍‌ମେନା ୯୧୮ଟି ପାଇଖାନା ତିଆରି ହୋଇଛି। ସେମିତି ନୂଆଗାଁ ପଞ୍ଚାୟତରେ ୯୪୫, ପୁରୁଣାପାଣିରେ ୬୯୪, ସୋରଡାରେ ୭୪୭, ତେତେରକେଲାରେ ୪୫୫ ଓ ଉର୍ମେଇରେ ୪୯୧ଟି ପାଇଖାନା ତିଆରି ହୋଇଛି। ଅନୁରୂପ ଭାବେ ବିଶ୍ରା ବ୍ଲକର ୧୪ଟି ପଞ୍ଚାୟତରେ ମୋଟ୍‌ ୧୦,୧୨୫ଟି ପାଇଖାନା ତିଆରି ହୋଇଛି। ବଡବମ୍ବୁଆ ପଞ୍ଚାୟତରେ ୬୫୪, ଭାଲୁଲତାରେ୬୫୦,‌ ବିଶ୍ରାରେ ୭୮୩, ବନ୍ଧମୁଣ୍ଡାରେ ୪୪୬, ଡରେଇକେଲାରେ ୭୫୭, ଜାମସେରାରେ ୫୭୮, ଜରେଇକେଲାରେ ୭୦୮ ଟି ପାଇଖାନା ତିଆରି କରାଯାଇଛି। ସେମିତି ଝିରପାଣି ପଞ୍ଚାୟତରେ ୯୩୭ଟି ପାଇଖାନା ତିଆରି ହୋଇଥିବାବେଳେ କପାଟମୁଣ୍ଡାରେ ୮୮୦, ମନ୍‌କୋରେ ୪୪୩, ସନ୍ତୋଷପୁରରେ ୬୫୦, ଠେଠେଇପୋଷରେ ୭୩୯, ତୁଲସୀକାନରେ୬୩୪ ଓ ଉଡୁଶୁରେ ୧୨୬୬ଟି ପାଇଖାନା ତିଆରି ହୋଇଛି। ଏମିତି ଦୁଇଟି ବ୍ଲକରେ ୨୫,୦୦୦ରୁ ଅଧିକ ପାଇଖାନା ବାବଦରେ ପ୍ରାୟ ୩୦ କୋଟି ୧୯ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି।

କିନ୍ତୁ ଏ ଦୁଇଟିଯାକ ବ୍ଲକରେ ପାଇଖାନାଗୁଡ଼ିକର ଦୟନିୟସ୍ଥିତି ଦେଖିଲେ ତାହା ବିଶ୍ବାସ କରିବା କଷ୍ଟକର। ମୋଟ୍‌ ଉପରେ, ଜିଲ୍ଲା ସାରାରେ ପାଇଖାନା ନିର୍ମାଣ ମାମଲାରେ କୋଟି କୋଟି ଟଙ୍କା ଦୁର୍ନୀତିର ଗନ୍ଧ ଆସୁଛି। କାମ ନେଇଥିବା ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଗଲେ ଏକ ବଡ ଦୁର୍ନୀତିର ପର୍ଦ୍ଦାଫାସ ହୋଇପାରନ୍ତା ବୋଲି ଆଲୋଚନା ହେଉଛି।

Spread the love