November 22, 2024

Satya News

odia news channel

ଆଖୁଆପଦାରେ ବିପଦ ସଙ୍କେତ ଟପିଲା ବୈତରଣୀ, ଆଲର୍ଟରେ ଜିଲ୍ଲା ପ୍ରଶାସନ

 

ଭଦ୍ରକ ୧୪।୦୯: ଲଗାଣ ବର୍ଷା ପାଇଁ ବନ୍ୟା । ଜଳବନ୍ଦୀ ଘେରରେ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳ । ତଳିଆ ଅଞ୍ଚଳରେ ବନ୍ୟାଜଳ ପଶିଯାଇଥିବା ବେଳେ ଭଦ୍ରକ ଜିଲ୍ଲାର ଆଖୁଆପଦା ଠାରେ ବୈତରଣୀ ନଦୀ ବିପଦ ସଙ୍କେତ ଟପିଛି । ଯାହାଫଳରେ ବନ୍ୟା ଆଶଙ୍କା ଦେଖାଦେଇଛି । ସତର୍କ ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ଏନ୍‌ଡିଆର୍‌ଏଫ୍‌ ଓ ଓଡ୍ରାଫ୍‌ ଟିମ୍‌ ଦେବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ଖବର ଅନୁଯାୟୀ, ଲଘୁଚାପ ଜନିତ ଲଗାଣ ବର୍ଷାରେ ବେହାଲ ଭଦ୍ରକ ଜ଼ିଲ୍ଲା । ସୋମବାର ରାତିଠାରୁ ଅବିଶ୍ରାନ୍ତ ବର୍ଷା ଯୋଗୁଁ ଜ଼ିଲ୍ଲାର ବିଭିନ୍ନ ତଳିଆ ଅଞ୍ଚଳରେ ପାଣି ପଶିଛି । ଏପରିକି ଭଦ୍ରକ ସହରର ତଳି ଓ ଖାଲୁଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଘରେ ପାଣି ପଶିଯାଇଛି । ଏପରିକି ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବର୍ଷା ପାଣି ଲହଡି ଭାଙ୍ଗୁଛି । ଭଣ୍ଡାରିପୋଖରୀ ବ୍ଲକ ସରସଦା  ପଞ୍ଚାୟତ ପିରୀପୁର ଗାଁରେ ବର୍ଷା ଜଳ ଲୋକଙ୍କ ଘରେ ପଶିଯିବାରୁ, ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଗାଁର ପ୍ରାୟ  ୨୦ ପରିବାର ଏବେ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ନିଜ ପିଲା ଛୁଆଙ୍କୁ ଧରି ରାତି ଅନିଦ୍ରା ହୋଇ ଭୋକ ଉପାସରେ ପଡ଼ିରହିଛନ୍ତି ।

ଅନ୍ୟପଟେ ବୈତରଣୀର ଜଳସ୍ତର ଆଖୁଆପଦା ଠାରେ ବିପଦ ସଙ୍କେତ ଟପିଛି । ଆଖୁଆପଦା ଠାରେ ବିପଦ ସଙ୍କେତ ୧୭.୮୩ ମିଟର ଥିବା ବେଳେ ୧୮.୦୧ ମିଟରରେ ବନ୍ୟା ଜଳ ପ୍ରବାହିତ ହେଉଛି । ଜଳସ୍ତର ବଢ଼ୁଥିବାରୁ  ତଳି ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ତେବେ ବୈତରଣୀ ନଦୀରେ ୩ଗୋଟି ଏସକେପ ଦେଇ ବନ୍ୟା ଜଳ ଜନବସତି ଓ ଚାଷ ଜମିକୁ ପ୍ରଭାବିତ କରିବା ସମ୍ଭାବନା ରହିଛି ।

ସମସ୍ତ ବ୍ଲକରେ ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି । ଆବଶ୍ୟକ ହେଲେ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରାଯିବ ଵୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଉପରମୁଣ୍ଡରେ ବର୍ଷା କମିଥିବା ଓ କାନପୁର ଡ୍ୟାମର ଖୋଲିଥିବା ଦୁଇଟି ଗେଟରୁ ଗୋଟିଏ ଗେଟ ବନ୍ଦ କରାଯାଇଛି । ଉପରମୁଣ୍ଡର ବର୍ଷା ଉପରେ ଜିଲ୍ଲା ପ୍ରଶାସନ ନଜର ରଖିଛି । ଜିଲ୍ଲା ପ୍ରଶାସନ ତରଫରୁ ରାଜ୍ୟ ସରକାରଙ୍କୁ  ୨ ଟି ଏନଡିଆରଏଫ  ଓ ଗୋଟିଏ ଓଡ୍ରାଫ ଟିମ ଦେବା ପାଇଁ ଅନୁରୋଧ କରିଛନ୍ତି ।

Spread the love