July 12, 2025

ବଡ଼ଖବର! Covid ମୃତ୍ୟୁକଙ୍କ ପରିବାରକୁ ମିଳିବ କ୍ଷତିପୂରଣ, ସୁପ୍ରିମକୋର୍ଟରେ ଜବାବ ରଖିଲେ କେନ୍ଦ୍ର ସରକାର, ଜାଣନ୍ତୁ କହିଛନ୍ତି କ’ଣ ?

 

ନୂଆଦିଲ୍ଲୀ ୨୨।୯: କରୋନା ମୃତ୍ୟୁ ଲାଗି ପ୍ରଭାବିତ ପରିବାରଙ୍କୁ ଅନୁଗ୍ରହ ରାଶି ମିଳିବ। ରାଜ୍ୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏସଡିଆରଏଫ) ରୁ ୫୦ ହଜାର ଟଙ୍କା ଲେଖାଏ ଅନୁଗ୍ରହ ରାଶି ମିଳିବ ବୋଲି କେନ୍ଦ୍ର ସରକାର ବୁଧବାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି।  ସେହିପରି ସରକାର କୋଭିଡ-୧୯ ପୀଡ଼ିତଙ୍କ ପରିଜନଙ୍କୁ ମଧ୍ୟ ସହାୟତା ଯୋଗାଇ ଦେବେ ବୋଲି ଏଥିରେ କହିଛନ୍ତି । ଯେଉଁମାନେ କରୋନା ପ୍ରସ୍ତୁତି ଗତିବିଧି ଅଥବା ରିଲିଫ କାର୍ଯ୍ୟରେ ସାମିଲ ଥିବା ବେଳେ ଭୂତାଣୁ ସଂକ୍ରମିତ ହୋଇଥିଲେ ସେମାନଙ୍କ ପରିବାର ଏହି ଅନୁଗ୍ରହ ରାଶି ପାଇବାକୁ ହକଦାର ହେବେ।

ଗତ ଜୁନମାସରେ ଶୀର୍ଷ ନ୍ୟାୟାଳୟ ବିପର୍ଯ୍ୟୟ ପରିଚାଳନା ଆକ୍ଟ ୨୦୦୫ ରେ କୋଭିଡ ମୃତକଙ୍କ ନିକଟ ସମ୍ପର୍କିୟଙ୍କୁ ଅନୁଗ୍ରହ ରାଶି ଲାଗି ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏନଡିଏମଏ)ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ଏନଡିଏମଏ ଅନୁଗ୍ରହ ରାଶି ନେଇ ଏକ ମାର୍ଗଦର୍ଶନ ମଧ୍ୟ ଜାରି କରିଛନ୍ତି ବୋଲି ସରକାର ସୂଚିତ କରିବା ପରେ ରାଶି ସ୍ଥିର କରିବା ଲାଗି କୋର୍ଟ ୬ ସପ୍ତାହ ସମୟ ଦେଇଥିଲେ। ତେବେ ପରେ ଏହି ସମୟ ବାରମ୍ବାର ପରିବର୍ଦ୍ଧିତ ହୋଇଥିଲା।

ମାମଲାରେ ସୁପ୍ରିମକୋର୍ଟଙ୍କ ଜଷ୍ଟିସ ଏମ.ଆର.ଶାହ ଓ ଜଷ୍ଟିସ ଅନିରୁଦ୍ଧ ବୋଷଙ୍କ ବେଞ୍ଚ ରାଶି ସ୍ଥିର କରିବା ଲାଗି ହେଉଥିବା ବିଳମ୍ବକୁ ନେଇ ଅଶନ୍ତୋଷ ପ୍ରକାଶ କରିଥିଲେ। କହିଥିଲେ ଯେତେବେଳେ ଆପଣ ପଦକ୍ଷେପ ନେବେ ସେତେବେଳକୁ  ହୁଏତ କୋଭିଡ-୧୯ର ତୃତୀୟ ଲହର ବି ଦେଶରେ ବିତି ସରିଥିବ। କୋଭିଡ ମୃତ୍ୟୁ ନେଇ ପ୍ରମାଣପତ୍ରରେ ସୁଧାର ଲାଗି ବହୁ ପୂର୍ବରୁ ଆଦେଶ  ଗୃହୀତ କରାଯାଇଛି।  ହେଲେ ହେଁ ଆପଣ ଏପର୍ଯ୍ୟନ୍ତ ଜବାବ କାହିଁକି ରଖୁନାହାନ୍ତି ବୋଲି ବେଞ୍ଚ ସରକାରଙ୍କ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ କହିଥିଲେ। ଏଥିରେ ମେହେଟ୍ଟାଙ୍କ ନିବେଦନ ଅନୁସାରେ କୋର୍ଟ ଆଉ ଥରକ ଲାଗି ସମୟ ସମ୍ପ୍ରସାରଣ କରିଥିଲେ।

ତେବେ ସରକାର ଦାଖଲ କରିଥିବା ଜବାବରେ ଭବିଷ୍ୟତରେ ହେବାକୁ ଥିବା କୋଭିଡ ମୃତ୍ୟୁ ନିମନ୍ତେ ମଧ୍ୟ ଅନୁଗ୍ରହ ରାଶି ପ୍ରଦାନ କରାଯିବ ବୋଲି କହିଛନ୍ତି। କ୍ଷତିପୂରଣ ଦାବି ଲାଗି ସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟଙ୍କ ଗାଇଡଲାଇନ ଅନୁସାରେ ମୃତ୍ୟୁର କାରଣ କୋଭିଡ-୧୯ ପ୍ରମାଣିତ କରୁଥିବା ଜରୁରି ବୋଲି କହିଛନ୍ତି ସରକାର। ଶୀର୍ଷ ନ୍ୟାୟାଳୟରେ ସରକାର ଏ ନେଇ ଦାଖଲ କରିଥିବା ଆଫିଡେଭିଟ୍‌ରେ କହିଛନ୍ତି ଯେ କ୍ଷତିପୂରଣ ଲାଗି ଆବଶ୍ୟକ କାଗଜପତ୍ର ଦାଖଲ ୩୦ ଦିନ ମଧ୍ୟରେ କୋଭିଡ ମୃତ୍ୟୁ ସମ୍ପର୍କିତ ସମସ୍ତ ଦାବିର ସମାଧାନ କରାଯିବ ଓ ଏହା ଆଧାର ସଂଯୁକ୍ତ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ପ୍ରକ୍ରିୟାରେ ବିତରିତ କରାଯିବ।

Spread the love