
ମସ୍କୋ : ଏକ ଋଷିୟ ଏଏନ-୨୬ ସେନା ପରିବହନ ବିମାନ ବୁଧବାର ନିଖୋଜ ହୋଇଯାଇଛି। ଏମାର୍ଜେନ୍ସୀ ମନ୍ତ୍ରାଳୟ ଏହି ସୂଚନା ଦେଇଛନ୍ତି। ଖାବାରୋଭସ୍କ ସହର ଉପରେ ଉଡୁଥିବା ବେଳେ ବିମାନଟି ନିଖୋଜ ହୋଇଥିବା ଓ ଏଥିରେ ୬ ଜଣ ଯାତ୍ରୀ ଥିବା ସୂଚିତ କରାଯାଇଛି। ଖାବାରୋଭସ୍କ ବିମାନବନ୍ଦର ରାଡାରରୁ ୨୩ ମାଇଲ ଦୂରରେ ବିମାନର ଗ୍ରାଉଣ୍ଡ କଣ୍ଟ୍ରୋଲ ବିଛିନ୍ନ ହୋଇଥିଲା। ତା ପରଠାରୁ କୌଣସି ସୂଚନା ମିଳି ନାହିଁ।

ବିମାନକୁ ଖୋଜିବା ଲାଗି ଏକ ହେଲିକପ୍ଟର ପଠାଯାଇଛି। ତେବେ କରାପ ପାଗ ସାଙ୍ଗକୁ ସନ୍ଧ୍ୟା ହୋଇଯାଇଥିବାରୁ ସର୍ଚ୍ଚ ଅପରେସନରେ ବାଧା ଉପୁଜିଥିବା ମନ୍ତ୍ରାଳୟ କହିଛନ୍ତି। ବିମାନ ଦୁର୍ଘଟଣା ଲାଗି ଚର୍ଚ୍ଚିତ ଋଷିଆ ଗତବର୍ଷମାନଙ୍କରେ ଏୟାରଟ୍ରାଫିକ କଣ୍ଟ୍ରୋଲ ବିକାଶ ଦିଗରେ ଅନେକ କାର୍ଯ୍ୟ କରିଛି। ସେହିପରି ସୋଭିଏତ ଯୁଗର ବିମାନଗୁଡିକୁ ମଧ୍ୟ ଆଧୁନିକିକରଣ କରାଯାଇଛି। ହେଲେ ଦୁର୍ବଳ ରକ୍ଷଣାବେକ୍ଷଣ ଓ ସୁରକ୍ଷାମାନକ ଯୋଗୁ ଏବେବି ବିମାନ ଦୁର୍ଘଟଣା ଘଟୁଛି।

ଗତ ଜୁଲାଇମାସରେ କାମଚଟକା ପ୍ରାୟୋଦ୍ୱୀପରେ ଏକ ଏଏନ-୨୬ ବିମାନ ନିଖୋଜ ହୋଇଯାଇଥିଲା। ଏଥିରେ ୨୮ ଜଣ ଯାତ୍ରୀ ଥିଲେ। ତେବେ ପରେ ତାହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଥିଲା। ଫଳରେ ଏଥିରେ ଯାତ୍ରା କରୁଥିବା ୨ ଜଣ ଶିଶୁଙ୍କ ସମେତ ୨୨ ଜଣ ଯାତ୍ରୀ ଓ ୬ ଜଣିଆ ଚାଳକ ଦଳ ସଦସ୍ୟ ପ୍ରାଣ ହରାଇଥିଲେ। ଏହି ଦୁର୍ଘଟଣାର ମାସକ ପରେ କାମଚଟକା ଲେକ୍ରେ ପର୍ଯ୍ୟଟକଙ୍କୁ ବୁଲାଇନେଇଥିବା ଏକ ଏମଆଇ-୮ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁ ଚାଳକ ଦଳ ସଦସ୍ୟଙ୍କ ସମେତ ୧୬ ଜଣଙ୍କ ମଧ୍ୟରୁ ୮ ଜଣ ପ୍ରାଣ ହରାଇଥିଲେ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍