
ପୁରୀ : ରତ୍ନଭଣ୍ଡାର ଚାବି କେବେ ବି ପୁରୀ ଜିଲ୍ଲା ରେକର୍ଡ ରୁମ୍ରେ ନଥିଲା। ନା ଅସଲି ଥିଲା ନା ନକଲି। ରେକର୍ଡ ରୁମ୍ରୁ କେବେ ବି ରତ୍ନଭଣ୍ଡାର ଖୋଲିବାକୁ ଚାବି ଆସିନଥିଲା ନା କେବେ ଜିମା ଦିଆଯାଇଥିଲା। ସୂଚନା ଅଧିକାର ବଳରେ ମିଳିଥିବା ତଥ୍ୟ ଏହି ସତକୁ ଓଗାଳିଛି। ଜିଲ୍ଲା ରେକର୍ଡ ରୁମ୍ ପକ୍ଷରୁ ସିଧାସଳଖ କୁହାଯାଇଛି, ଏଭଳି କୌଣସି ରେକର୍ଡ ବା ତଥ୍ୟ ସେମାନଙ୍କ ପାଖରେ ନାହିଁ। ଫଳରେ, ତତ୍କାଳୀନ ଜିଲ୍ଲାପାଳ ଜିଲ୍ଲା ରେକର୍ଡ ରୁମ୍ରୁ ରତ୍ନଭଣ୍ଡାର ଚାବି ମିଳିଥିବାନେଇ ଯାହା କହିଥିଲେ, ତାହା ଭୁଲ୍ ବୋଲି ପ୍ରମାଣିତ ହୋଇଛି। ବିପଦପୂର୍ଣ୍ଣ ଅବସ୍ଥାରେ ଥିବା ରତ୍ନଭଣ୍ଡାରର ସୁରକ୍ଷା ଓ ଏଥିରେ ରହିଥିବା ରତ୍ନ ଅଳଙ୍କାରର ହିସାବ ବଦଳରେ କେମିତି ପ୍ରଶାସନିକ ଅଧିକାରୀଙ୍କୁ ସୁରକ୍ଷା ଦିଆଯାଇଛି, ଏହା ତାହାର ଆଉ ଏକ ଜ୍ବଳନ୍ତ ଉଦାହରଣ।
ସୂଚନା ଅଧିକାର ତଥ୍ୟରେ ଜିଲ୍ଲା ରେକର୍ଡ ରୁମ୍ କର୍ତ୍ତୃପକ୍ଷ(ଚିଠି ନଂ-୧୦୩/୧୭.୯.୨୦୨୧) ସ୍ପଷ୍ଟ କରି କହିଛନ୍ତି କି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାରର ଅସଲି କିମ୍ବା ନକଲି ଚାବି ପୁରୀ ଜିଲ୍ଲା ରେକର୍ଡ ରୁମ୍ରେ କେତେ ତାରିଖରେ ରଖାଯାଇଥିଲା, ତା’ର ତଥ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟାଳୟର ରେକର୍ଡରେ ନାହିଁ। ଅତୀତରେ ଜିଲ୍ଲା ରେକର୍ଡ ରୁମରୁ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲାଯିବା ପାଇଁ କେଉଁ କେଉଁ ତାରିଖରେ ଅସଲି କିମ୍ବା ନକଲି ଚାବି ନିଆଯାଇଥିଲା କି ପ୍ରଶ୍ନରେ ସେଭଳି କୌଣସି ସୂଚନା କାର୍ଯ୍ୟାଳୟ ପାଖରେ ନ ଥିବା କର୍ତ୍ତୃପକ୍ଷ କହିଛନ୍ତି। ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲା ସରିବା ପରେ କେଉଁ କେଉଁ ତାରିଖରେ ରତ୍ନଭଣ୍ଡାରର ଅସଲି କିମ୍ବା ନକଲି ଚାବି ଜିଲ୍ଲା ରେକର୍ଡ ରୁମ୍ରେ ଜମା ହୋଇଥିଲା ପ୍ରଶ୍ନରେ ସେଭଳି କୌଣସି ତଥ୍ୟ ଜିଲ୍ଲା ରେକର୍ଡ ରୁମ୍ରେ ନଥିବା ରେକର୍ଡ ରୁମ୍ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି। ଏଠି ପ୍ରଶ୍ନ ଉଠୁଛି, ଯଦି ତତ୍କାଳୀନ ଜିଲ୍ଲାପାଳ ସେ ସମୟରେ ଜିଲ୍ଲା ରେକର୍ଡ ରୁମ୍ରୁ ଚାବି ମିଳିବା କଥା କହିଥିଲେ, ତା’ହେଲେ ନିଶ୍ଚିତପକ୍ଷେ ଜିଲ୍ଲା ରେକର୍ଡ ରୁମ ରେଜିଷ୍ଟରରେ ଏହା ଉଲ୍ଲେଖ ହେବା କଥା। ଜିଲ୍ଲା ରେକର୍ଡ ରୁମର କେଉଁ ସ୍ଥାନରୁ ଏହି ଚାବି ମିଳିଲା, ତାହା ସ୍ପଷ୍ଟ ଉଲ୍ଲେଖ ହେବା କଥା। କିନ୍ତୁ ଚାବି ମିଳିବା କି ରହିବା ସଂପର୍କରେ କୌଣସି ତଥ୍ୟ ଜିଲ୍ଲା ରେକର୍ଡ ରୁମ ପାଖରେ ନ ରହିବା, ରତ୍ନଭଣ୍ଡାର ଚାବି ହଜିବା ଘଟଣାକୁ ଆହୁରି ରହସ୍ୟ ଘେରକୁ ନେଇଯାଇଛି। ସତରେ ଚାବି ମିଳିଛି ନା ମିଳିନି, ତାକୁ ନେଇ ବିଭିନ୍ନ ମହଲ ପ୍ରଶ୍ନ ଉଠାଇଛନ୍ତି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍