July 12, 2025

ଗବେଷଣା ଆଗକୁ ବଢ଼ିବ କେମିତି? ପିଏଚ୍‌ଡି, ଏମ୍‌ଫିଲ୍‌ରେ କମୁଛନ୍ତି ବିଦ୍ୟାର୍ଥୀ

 

ଭୁବନେଶ୍ୱର : ସରକାରୀ ଉଚ୍ଚ ଶିକ୍ଷାନୁଷ୍ଠାନରେ ଗବେଷଣା ପାଇଁ କୋଟିକୋଟି ଟଙ୍କା ଆସୁଛି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏ ଦିଗରେ ହାତ ବଢ଼ାଇବା ସହ ରୁସା, ୟୁଜିସି, ବିଶ୍ୱବ୍ୟାଙ୍କରୁ ପ୍ରଚୁର ଅର୍ଥ ମିଳୁଛି। ତା’ପରେ ବି ସରକାରୀ ଶିକ୍ଷାନୁଷ୍ଠାନରେ ଆଗେଇ ପାରୁନି ଗବେଷଣା। କାଁ ଭାଁ ଗୋଟିଏ ଦୁଇଟି ବିଶ୍ବବିଦ୍ୟାଳୟ କେତେବେଳେ କେମିତି ଗବେଷଣା କ୍ଷେତ୍ରରେ ସଫଳ ହୋଉଛନ୍ତି। ସ୍ଥିତି ଏମିତି ହେଲାଣି କି ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ବବିଦ୍ୟାଳୟଗୁଡ଼ିକରେ ପିଏଚ୍‌ଡି ଓ ଏମ୍‌ ଫିଲ୍‌ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଧୀରେଧୀରେ କମିବାରେ ଲାଗିଛି। ୨୦୧୯-୨୦ ତୁଳନାରେ ୨୦୨୦-୨୧ରେ ଗବେଷଣାରତ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ହ୍ରାସ ପାଇଛି। କେବଳ ସେତିକି ନୁହେଁ, ଉକ୍ତ ଦୁଇ ଶିକ୍ଷାବର୍ଷରେ ସରକାରୀ ବିଶ୍ବବିଦ୍ୟାଳୟରେ ଜଣେ ବି ହେଲେ ବିଦେଶୀ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରିବାକୁ ଆସି ନ ଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଉଚ୍ଚଶିକ୍ଷା ପାଇଁ ଓଡ଼ିଶା ବିଦେଶୀ ଛାତ୍ରଛାତ୍ରୀଙ୍କ ପସନ୍ଦ ପାଲଟିଥିଲେ ମଧ୍ୟ ସରକାରୀ ବିଶ୍ବବିଦ୍ୟାଳୟରେ ସେମାନଙ୍କ ସ୍ଥିତି ନୈରାଶ୍ୟଜନକ ରହିଛି। ଅଲ୍‌ ଇଣ୍ଡିଆ ସର୍ଭେ ଅନ୍‌ ହାୟର ଏଜୁକେସନ (ଏଆଇଏସ୍‌ଏଚ୍‌ଇ) ରିପୋର୍ଟ ଅନୁଯାୟୀ ଦେଶରେ ପଢ଼ିବାକୁ ଆସୁଥିବା ବିଦେଶୀ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଦୁଇ ପ୍ରତିଶତରୁ ଅଧିକ ଓଡ଼ିଶାକୁ ଆସୁଛନ୍ତି। ୨୦୧୮-୧୯ତୁଳନାରେ ୨୦୧୯-୨୦ ଶିକ୍ଷାବର୍ଷରେ ଅଧିକ ସଂଖ୍ୟକ ପିଲା ଓଡ଼ିଶା ଆସିଛନ୍ତି। ସ୍ନାତକ ପାଠ୍ୟକ୍ରମଗୁଡ଼ିକରେ ଶିକ୍ଷା ଗ୍ରହଣ କରିବାକୁ ଛାତ୍ରଛାତ୍ରୀଙ୍କ ଆଗ୍ରହ ଅଧିକ ରହୁଛି। ପିଏଚ୍‌ଡି ପାଠ୍ୟକ୍ରମରେ ବି କିଛି ପିଲା ପଢ଼ୁଛନ୍ତି। ତେବେ ଏମ୍‌.ଫିଲ୍‌, ପିଜି ଡିପ୍ଲୋମା, ଡିପ୍ଲୋମା, ସାର୍ଟିଫିକେଟ୍‌ ଓ ଇଣ୍ଟିଗ୍ରେଟେଡ୍‌ ପାଠ୍ୟକ୍ରମରେ କେହି ବି ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରିବାକୁ ଆସୁନାହାନ୍ତି। ୨୦୧୬-୧୭ରେ ଓଡ଼ିଶାରେ ୩୦୯ଜଣ ବିଦେଶୀ ପଢ଼ୁଥିବା ବେଳେ ୨୦୧୮-୧୯ରେ ଏହି ସଂଖ୍ୟା ୫୩୬ରେ ପହଞ୍ଚିଥିଲା। ୨୦୧୯-୨୦ରେ ୧୧୫୯ ଜଣ ପଢ଼ୁଥିଲେ। ୫୮ଜଣ ପିଏଚ୍‌ଡି କରୁଥିଲେ। ଭୁବନେଶ୍ବରରେ ଥିବା ଘରୋଇ ଓ ଡିମଡ୍‌ ବିଶ୍ବବିଦ୍ୟାଳୟ, ଜାତୀୟ ଶିକ୍ଷାନୁଷ୍ଠାନରେ ବିଦେଶୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଅଧିକ ରହିଛି। ବିଦେଶୀ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଦୃଷ୍ଟିରୁ ଓଡ଼ିଶା ୨୦୧୮-୧୯ରେ ୧୬ରେ ଥିବା ବେଳେ ୨୦୧୯-୨୦ରେ ୧୪ତମ ସ୍ଥାନକୁ ଉଠିଥିଲା। କର୍ଣ୍ଣାଟକରେ ସର୍ବାଧିକ ୧୦ ହଜାର ୨୩୧ଜଣ ଅର୍ଥାତ୍‌ ୨୧% ବିଦେଶୀ ଛାତ୍ରଛାତ୍ରୀ ପଢ଼ୁଥିବା ରିପୋର୍ଟରେ ଉଲ୍ଲେଖ ହୋଇଥିଲା।

Spread the love