September 19, 2024

Satya News

odia news channel

ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନକୁ ଭାରତର କଡା ଚେତାବନୀ ; ଯିଏ ଏହାର ପୃଷ୍ଠପୋଷକତା କରିଛି ଏହା ତାହା ପାଖକୁ ଫେରିବ

 

ନୂର ସୁଲତାନ: ସଂପ୍ରତି ଆତଙ୍କବାଦ ସବୁଠାରୁ ବଡ ଚିନ୍ତାର କାରଣ ପାଲଟିଛି । ସମୁଦାୟ ବିଶ୍ୱ ଯେଉଁଭଳି ଭାବରେ ଜଳବାୟୁ ପରିବର୍ତ୍ତନ ଏବଂ କୋଭିଡ ମହାମାରୀ ବିରୁଦ୍ଧରେ ସମ୍ମିଳିତ ଲଢେଇ କରୁଛି, ଠିକ ସେହିଭଳି ଆତଙ୍କବାଦ ବିରୁଦ୍ଧରେ ମିଳିତ ଭାବରେ ଲଢେଇ କରିବାକୁ ଆଗେଇ ଆସିବା ସକାଶେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆହ୍ୱାନ ଦେଇଛନ୍ତି । ସୀମାପାର ଆତଙ୍କବାଦକୁ ନେଇ ପାକିସ୍ତାନକୁ ଆକ୍ଷେପ କରି ସେ କହିଛନ୍ତି ଆତଙ୍କବାଦି ଶକ୍ତି, ମୈାଳବାଦ ଏବଂ ହିଂସାକୁ ଯେଉଁମାନେ ପ୍ରଶ୍ରୟ ଦେଉଛନ୍ତି ଏବଂ ଏହାର ପୃଷ୍ଠପୋଷକତା କରୁଛନ୍ତି, ତାହା ପୁଣି ସେମାନଙ୍କ ନିକଟକୁ ଫେରିବ ।
କାଜାଖସ୍ତାନରେ କନଫରେନ୍ସ ଅଫ ଇଣ୍ଟରଆକ୍ସନ ଆଣ୍ଡ କନଫିଡେନ୍ସ ବିଲଡିଂ ମେଜର୍ସ ଇନ ଏସିଆ (ସିଆଇସିଏ) ବୈଦେଶିକ ମନ୍ତ୍ରୀମାନଙ୍କର ଷଷ୍ଠ ବୈଠକରେ ଉଦବୋଧନ ଦେଇ ଶ୍ରୀ ଜୟଶଙ୍କର ଏହା ମଧ୍ୟ କହିଥିଲେ ଯେ ଆତଙ୍କବାଦ ସାରା ବିଶ୍ୱ ପାଇଁ ସଂପ୍ରତି ଚିନ୍ତାର କାରଣ ପାଲଟିଛି । ସିଆଇସିଏ ସଦସ୍ୟ ରାଷ୍ଟ୍ରମାନଙ୍କ ପାଇଁ ଶାନ୍ତି ଓ ବିକାଶ ଲକ୍ଷ୍ୟ ହାସଲରେ ଆତଙ୍କବାଦ ସର୍ବବୃହତ ଶତ୍ରୁ ପାଲଟିଥିବା ପ୍ରକାଶ କରି ସେ ଏହା ବିରୁଦ୍ଧରେ ସମ୍ମିଳିତ ଲଢେଇ କରିବାକୁ ଆନ୍ତର୍ଜାତିକ ସମୁଦାୟଙ୍କୁ ଆହ୍ୱାନ ଦେଇଥିଲେ । ବିଶ୍ୱର ରାଷ୍ଟ୍ରସମୂହ ଯେଉଁଭଳି ଭାବରେ ଜଳବାୟୁ ପରିବର୍ତ୍ତନ ଏବଂ ମହାମାରୀର ମୁକାବିଲା କରୁଛନ୍ତି, ସେହିଭଳି ଭାବରେ ଏହା ବିରୁଦ୍ଧରେ ଲଢିବା ଆବଶ୍ୟକ ବୋଲି ସେ କହିଛନ୍ତି । ସାଂପ୍ରତିକ ସମୟରେ ଜଣେ ଏହାକୁ ଅନ୍ୟ ବିରୁଦ୍ଧରେ ଅପପ୍ରୟୋଗ କରିପାରିବ ନାହିଁ । ସୀମାପାର ଆତଙ୍କବାଦ କେବେହେଲେ ରାଷ୍ଟ୍ର ପ୍ରାୟୋଜିତ ହୋଇପାରିବ ନାହିଁ, ଏହ ଆଉ ଏକପ୍ରକାର ଆତଙ୍କବାଦ । ଯଦି କେହି ଆତଙ୍କବାଦ, ମୌଳବାଦ, ହିଂସା ଆଦିକୁ ନେଇ ଅନ୍ୟ କାହା ବିରୁଦ୍ଧରେ ପ୍ରୟୋଗ କରିବାକୁ ଚାହୁଁଥାଏ ତେବେ ତାହା ସମ୍ପୂର୍ଣ୍ଣ ଭାବରେ ଏକ ଭୁଲ ଆକଳନ । ସେସବୁ ପୁଣି ପୃୃଷ୍ଠପୋଷକତା କରିଥିବା ପକ୍ଷ ନିକଟକୁ ଫେରିବ । ଅସ୍ଥିର ପରିସ୍ଥିତି ଲାଗିରହିଲେ ତାହା ସମସ୍ତ ବିକାଶମୂଳକ କ୍ଷେତ୍ରରେ ସାମୂହିକ ପ୍ରୟାସକୁ କକ୍ଷଚ୍ୟୁତ କରିଦେବ ବୋଲି ଜୟଶଙ୍କର କହିଥିଲେ ।

Spread the love