December 21, 2024

ଦିବ୍ୟାଙ୍ଗ ରାଜୁଙ୍କ ପରିଚୟ ଏବେ ‘ରାଜୁ ପାମ୍ପଡ଼’

 

ପୁରୀ : ଦିବ୍ୟାଙ୍ଗ ବୋଲି କିଏ ତାଙ୍କ ଉପରେ ଦୟା ଦେଖାଏ ତ, କିଏ ଟାହିଟାପରା କରେ। ମାତ୍ର ପରିସ୍ଥିତି ଓ ଟାହିଟାପରା ହିଁ ତାଙ୍କୁ ମାଟି ଉପରେ ମଜ୍‌ବୁତ ହୋଇ ଛିଡ଼ା ହେବାକୁ ସାହସ ଦେଇଥିଲା। ଜୀବନ ଜିଇଁବା ‌ଯେତେବେଳେ ତାଙ୍କ ପାଇଁ ଆହ୍ବାନ ଥିଲା, ଏହାକୁ ସୁଯୋଗରେ ପରିଣତ କଲେ ସାତଶଙ୍ଖ କୁମାରଶ୍ବରର ରାଜକିଶୋର ସ୍ବାଇଁ। ପୋଲିଓ ଆକ୍ରାନ୍ତ ହେବା ଯୋଗୁ ଗୋଟିଏ ଗୋଡ଼ରେ ଚାଲିବାକୁ ପଡ଼ୁଥିଲେ ହେଁ ଚାରି ପ୍ରାଣୀର ପରିବାର ଚଳାଇବାକୁ ସେ ଆରମ୍ଭ କଲେ ନିଜର କ୍ଷୁଦ୍ର ବ୍ୟବସାୟ। ଘରେ ପାମ୍ପଡ଼, ମକା ପାମ୍ପଡ଼ ପ୍ରସ୍ତୁତ କରି ସେ ଏହାକୁ ଆଖପାଖ ଦୋକାନରେ ଲଗାଇଲେ। ଗୋଟିଏ ଗୋଡ଼ରେ ସାଇକେଲ୍‌ ପେଡାଲ୍‌ ମାରିମାରି ୧୦ କିଲୋମିଟର ପର୍ଯ୍ୟନ୍ତ ବୁଲିବୁଲି ସେ ବିଭିନ୍ନ ଦୋକାନରେ ଏହାକୁ ବିକ୍ରି କରୁଛନ୍ତି। ଏଥିରେ ସେ ଖାଲି ନିଜେ ସ୍ବାବଲମ୍ବୀ ହୋଇନାହାନ୍ତି, ବରଂ ଲୋକଙ୍କ ମୁହଁରେ ‘ରାଜୁ ପାମ୍ପଡ଼’ର ଚାହିଦା ବଢ଼ିଯାଇଛି। ଏହାଦ୍ବାରା ଜୀବନ ଯୁଦ୍ଧରେ ହାରି ଯାଉଥିବା ମଣିଷମାନଙ୍କ ପାଇଁ ସେ ପ୍ରେରଣା ପାଲଟିଛନ୍ତି। ତେଣୁ ଯେଉଁ ଟାହିଟାପରା ପାଇଁ ସେ ଦିନେ ଭାଙ୍ଗି ପଡ଼ିଥିଲେ, ସେଇମାନଙ୍କ ମୁହଁରୁ ପ୍ରଶଂସା ଶୁଣି ଏବେ ନୂଆ ଜୀବନ ଗଢ଼ୁଛନ୍ତି। ଝିଅ ପୁଅ ଦୁହିଁଙ୍କୁ ପାଠ ପଢ଼ାଇ ମଣିଷ କରିବାର ସ୍ବପ୍ନ ଦେଖୁଛନ୍ତି। ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।

ଯେତେବେଳେ ଅନେକ ଲୋକ ସବୁଦୃଷ୍ଟିରୁ ସକ୍ଷମ ଥାଇ ମଧ୍ୟ କର୍ମ ସଂସ୍ଥାନ ଖୋଜି ପାଉନାହାନ୍ତି, ସେତେବେଳେ ରାଜକିଶୋର ଗୋଟିଏ ଗୋଡ଼ରେ ପେଡାଲ୍‌ ମାରି ବ୍ୟବସାୟ କରି ସୂଚେଇ ଦେଉଛନ୍ତି ଯେ ଜୀବନକୁ ଜିଇଁବାର ବା‌ଟ ଖୋଲା ପଡ଼ିଛି। ଖାଲି ଆପଣାଇ ପାରିଲେ ହେଲା।

 

Spread the love