October 23, 2024

Satya News

odia news channel

ଶ୍ବେତ ବିପ୍ଳବ ଆଣିବା ପାଇଁ ମିଳିମିଶି କାମ କର: ମୁଖ୍ୟମନ୍ତ୍ରୀ

 

କଟକ : ନରାଜର ଅରିଲୋଠାରେ ଓମ୍‌ଫେଡ୍‌ର ଅତ୍ୟାଧୁନିକ ଦୁଗ୍ଧ ପ୍ରକ୍ରିୟାକରଣ କାରଖାନା ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଉଦ୍‌ଘାଟିତ ହୋଇଯାଇଛି।
ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ରାଜ୍ୟକୁ ଦୁଗ୍ଧ ଉତ୍ପାଦନରେ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି। ଦୁଗ୍ଧଚାଷୀଙ୍କ ସମେତ ରାଜ୍ୟରେ ଡାଇରୀ ଫାର୍ମ ଓ ପ୍ରକ୍ରିୟାକରଣ ୟୁନିଟ୍‌ ପ୍ରତିଷ୍ଠା ପାଇଁ ସରକାର ୫୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିଆତି ଦେଉଛନ୍ତି। ଯୁବବର୍ଗ ଏହାର ସୁଯୋଗ ନେଇ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ସେ ଆହ୍ବାନ ଜଣାଇଥିଲେ। ଶ୍ବେତ ବିପ୍ଳବ ଆଣିବା ପାଇଁ ସେ ସମ​‌େ​‌ସ୍ତ ମିଳିମିଶି କାମ କରିବାକୁ ସେ ପରାମର୍ଶ ଦେଇଥିଲେ। ରାଜ୍ୟରେ ଓମ୍‌ଫେଡ୍‌ର ଦୁଗ୍ଧ ସଂଗ୍ରହ କ୍ଷମତା ଦୈନିକ ୧୦ ଲକ୍ଷ ଲିଟରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ। ଓମ୍‌ଫେଡ୍‌ ରାଜ୍ୟର ଲକ୍ଷ ଲକ୍ଷ ଦୁଗ୍ଧ ଚାଷୀଙ୍କ ନିଜର ଅନୁଷ୍ଠାନ। ଏହାର ବିକାଶରେ ସବୁ ଚାଷୀ ଭାଇଭଉଣୀଙ୍କର ଅବଦାନ ରହିଛି। ଓମ୍‌ଫେଡ୍‌ ମଧ୍ୟ ସବୁବେଳେ ଚାଷୀଙ୍କ ସ୍ବାର୍ଥର ସୁରକ୍ଷା ପାଇଁ କାମ କରିଆସୁଛି। ଆଜିର ଏହି ନୂଆ ପ୍ଲାଣ୍ଟ ଉଦ୍‌ଘାଟନ ଦ୍ବାରା ଚାଷୀଙ୍କର ରୋଜଗାର ବଢିବ। ପ୍ରାୟ ୬ ଲକ୍ଷ ଚାଷୀ ଉପକୃତ ହୋଇପାଇବେ।
କୃଷିମନ୍ତ୍ରୀ ଡ. ଅରୁଣ ସାହୁ ରାଜ୍ୟରେ କୃଷି ଓ ଆନୁଷଙ୍ଗିକ କୃଷିର ବିକାଶ କ୍ଷେତ୍ରରେ ସରକାର ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ। ସଂଗୃହୀତ ଦୁଗ୍ଧର ଉପଯୁକ୍ତ ବିକ୍ରି ଓ ଉଚିତ ମୂଲ୍ୟ ପାଇବା ହେତୁ ଦୁଗ୍ଧ ଚାଷୀଙ୍କ ଆୟରେ ଉଲ୍ଲେଖନୀୟ ବୃଦ୍ଧି ଘଟିବ ବୋଲି ସେ ଆଶା ପ୍ରକାଶ କରିଥିଲେ। ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ ସଚିବ ପ୍ରଦୀପ ଜେନା, ଓମ୍‌ଫେଡ ଅଧ୍ୟକ୍ଷ ଓ ବିଭାଗୀୟ ଶାସନ ସଚିବ ପ୍ରମୁଖ ଯୋଗ ଦେଇଥିଲେ।
ସୂଚନାଯୋଗ୍ୟ ଯେ ଦୁଇ ଦଶକରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ତିନିଗୁଣ ବୃଦ୍ଧି ପାଇଛି। ୨୦୦୦ ମସିହାରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନ ୮ଲକ୍ଷ ୭୫ ହଜାର ମେଟ୍ରିକ ଟନ୍‌ ଥିବାବେଳେ ୨୦୨୦ ରେ ଏହା ୨୩ ଲକ୍ଷ ୭୦ ହଜାର ମେଟ୍ରିକ ଟନ୍‌କୁ ବୃଦ୍ଧି ପାଇଛି। ବର୍ତ୍ତମାନ ଓମ୍‌ଫେଡ୍‌ ଦ୍ବାରା ଦୈନିକ ସଂଗୃହୀତ ୫ ଲକ୍ଷ ଲିଟର ଦୁଗ୍ଧ ଓମ୍‌ଫେଡ୍‌ର ୪୦୫ଟି ଶୀତଳୀକରଣ କେନ୍ଦ୍ରରେ କରାଯାଉଛି ଏବଂ ୧୩ଟି କାରଖାନାରେ ପ୍ରକ୍ରିୟାକରଣ କରାଯାଉଛି। ୨୬୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ପ୍ଲାଣ୍ଟରେ ଦୈନିକ ୫ ଲକ୍ଷ ଲିଟର କ୍ଷୀର ପ୍ରକ୍ରିୟା କରଣ କରାଯିବ। ଏଥିରୁ ଦୈନିକ ୨ ଲକ୍ଷ ଲିଟର ଦୁଗ୍ଧ ଗୁଣ୍ଡ ଉତ୍ପାଦିତ ହେବ। ଏହାସହିତ ଉଚ୍ଚମାନର ଦହି, ଦୁଗ୍ଧ, ଲହୁଣି, ଲସି, ଘିଅ, ପନିର ଉତ୍ପାଦନ କରାଯିବ।

Spread the love