ମସ୍କୋ : ଋଷର ଜଣେ ଧନୀ ପରିବାରର ମହିଳା ବର୍ଷକ ମଧ୍ୟରେ ୨୦ ଶିଶୁ ଜନ୍ମ ଦେଇଛନ୍ତି । ଏବେ ସେ ୨୧ତମ ସନ୍ତାନର ମା’ ହୋଇଛନ୍ତି । ପିଲାଙ୍କ ଯତ୍ନ ନେବାକୁ ସେ ୧୬ ସ୍ଥାୟୀ ଧାଈ ରଖିଛନ୍ତି । ମହିଳା ଜଣକ ନିଜେ ମଧ୍ୟ ପିଲାଙ୍କ ଦେଖାଶୁଣାରେ ସବୁବେଳେ ବ୍ୟସ୍ତ ରହୁଛନ୍ତି । ପରିବାରକୁ ଆହୁରି ବଡ଼ କରିବାକୁ ଚାହୁଁଥିବା ସେ କହିଛନ୍ତି । ସେ ହେଉଛନ୍ତି କ୍ରିଷ୍ଟିନା ଓଜଟର୍କ । ୨୦ ପିଲାଙ୍କ ମା’ ହେବା ପାଇଁ ସେ ସରୋଗେସିର ସହାୟତା ନେଇଛନ୍ତି ।
୨୩ ବର୍ଷ ବୟସରେ ୨୧ ସନ୍ତାନର ମା’ କ୍ରିଷ୍ଟିନା କହନ୍ତି, ଜର୍ଜିୟା ଯାତ୍ରା ସମୟରେ କୋଟିପତି ସ୍ୱାମୀ ଗାଲିପଙ୍କୁ ଭେଟିଥିଲେ । ଏହା ପରେ ସେ ଏକ ବଡ଼ ପରିବାରର ସ୍ୱପ୍ନ ଦେଖିଥିଲେ । ତାଙ୍କର ୫୭ ବର୍ଷୀୟ ସ୍ୱାମୀ ଗାଲିପ ପୂର୍ବରୁ ବିବାହିତ ଥିଲେ । ବର୍ଷକ ପୂର୍ବେ ତାଙ୍କର ଗୋଟିଏ ସନ୍ତାନ ଥିଲା । ତା’ପରେ ତାଙ୍କର ଆଉ ୨୦ ସନ୍ତାନ ହେଲେ । ସରୋଗେସି ପାଇଁ ସେ ପ୍ରାୟ ୧ କୋଟି ୪୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ।
ଏହା ପରେ ତାଙ୍କ ପରିବାର କାୟା ବିସ୍ତାର ହେଲା । ପିଲାଙ୍କ ଦେଖାଶୁଣା ପାଇଁ ସେମାନଙ୍କ ପାଖରେ ଥିବା ସ୍ଥାୟୀ ଧାଈଙ୍କ ପାଇଁ ଏହି ଦମ୍ପତି ପ୍ରତି ବର୍ଷ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି । କ୍ର ିଷ୍ଟିନା ସବୁବେଳେ ନିଜ ପିଲାଙ୍କ ସହ ରହନ୍ତି । ଜଣେ ମା’ ସାଧାରଣତଃ ପିଲାଙ୍କ ଲାଗି ଯାହା କରନ୍ତି, କ୍ରିଷ୍ଟିନା ସେ ସବୁ କରନ୍ତି । ଗାଲିପ ଓ କ୍ରିଷ୍ଟିନାଙ୍କର ପୂର୍ବରୁ ଭିକ୍ଟୋରିଆ ନାମ୍ନୀ ଜଣେ ଝିଅ ଅଛି । ଏହା ପରେ ସେମାନେ ନିଜ ସରୋଗେଟ୍ଙ୍କୁ ପ୍ରତ୍ୟେକ ଗର୍ଭାବସ୍ଥା ପାଇଁ ପ୍ରାୟ ୮ ଲକ୍ଷ ଟଙ୍କା ଦେଲେ ।
ଗତ ବର୍ଷ ମାର୍ଚ୍ଚରେ ସେମାନେ ମୁସ୍ତଫା ନାମକ ଏକ ପୁଅକୁ ସରୋଗେସି ମାଧ୍ୟମରେ ଜନ୍ମ ଦେଇଛନ୍ତି । ଏବେ ସେମାନଙ୍କର ୪ ମାସଠୁ ଆରମ୍ଭ କରି ୧୪ ମାସ ପର୍ଯ୍ୟନ୍ତ ସନ୍ତାନ ଅଛନ୍ତି । ସବୁ ପିଲାଙ୍କ ପାଇଁ ଆବଶ୍ୟକ ସାମଗ୍ରୀ କିଣିବାରେ ପ୍ରତି ମାସ ୩-୪ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି ବୋଲି କ୍ରିଷ୍ଟିନା କହିଛନ୍ତି । କ୍ରିଷ୍ଟିନା ଭବିଷ୍ୟତରେ ଅଧିକ ଶିଶୁ ଜନ୍ମ କରିବାକୁ ଯୋଜନା କରୁନାହାନ୍ତି, କିନ୍ତୁ ସ୍ୱାଭାବିକ ରୂପେ ଅଧିକ ସନ୍ତାନର ମା’ ହେବାରେ ତାଙ୍କର କୌଣସି ସମସ୍ୟା ନାହିଁ ।
ଏବେ ସେ ସ୍ୱାଭାବିକ ଗର୍ଭାବସ୍ଥା ଲାଗି ଯୋଜନା କରୁଛନ୍ତି, କିନ୍ତୁ ଏତେ ତରବର ନାହାନ୍ତି । ଏବେ ପିଲାଙ୍କ ସହିତ ରହିବା ତାଙ୍କ ପାଇଁ ସବୁଠୁ ଜରୁରୀ । କ୍ରିଷ୍ଟିନାଙ୍କ ସ୍ୱାମୀ ଗାଲିପ ପର୍ଯ୍ୟଟନ, ପରିବହନ କ୍ଷେତ୍ରରେ କାମ କରୁଛନ୍ତି । ସେ ମୂଳତଃ ତୁର୍କୀ ବାସିନ୍ଦା, କିନ୍ତୁ ୨୦୧୩ରୁ ଜର୍ଜିୟାରେ ରହୁଛନ୍ତି । ଗାଲିପ ତୁର୍କୀର କମ୍ପାନି ମେଟ୍ରୋ ହୋଲ୍ଡିଂସର ସଂସ୍ଥାପକ । ଜର୍ଜିୟାରେ ସେ ୫୦୦ ମିଲିଅନ୍ ଡଲାର ନିବେଶ କରିଛନ୍ତି।
More Stories
୨ଟି ରାଜ୍ୟର ଅଧ୍ୟକ୍ଷ ଓ ୬ଟି ରାଜ୍ୟର ପ୍ରଭାରୀ ନିଯୁକ୍ତ କଲା ବିଜେପି
କୌଣସି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ନାହିଁ ବିଜେଡି
ଜୁନ ୨୫କୁ କଳା ଦିବସ ପାଳନ କରିବ ବିଜେପି