October 18, 2024

Satya News

odia news channel

ଭୟ ବଢ଼ାଇଲା କରୋନାର ତୃତୀୟ ଲହର

 

ଶିଶୁଭବନରେ ଖୋଲିବ ସ୍ବତନ୍ତ୍ର କୋଭିଡ୍ ହସପିଟାଲ୍ ; ୭ଟି ମେଡିକାଲ୍ କଲେଜରେ ବି ସ୍ବତନ୍ତ୍ର ୱାର୍ଡ ପାଇଁ ପ୍ରସ୍ତାବ

କରୋନାର ପ୍ରଥମ ଲହରରେ ଶିଶୁଭବନରେ ୨୦୨୦ ଏପ୍ରିଲ ପ୍ରଥମ ସପ୍ତାହରେ କରୋନା ସନ୍ଦେହ କରାଯାଉଥିବା ଶିଶୁଙ୍କ ପାଇଁ ସାରୀ ଓ୍ବାର୍ଡ ନାଁରେ ଏକ ଆସୋଲେସନ୍ କେନ୍ଦ୍ର ଖୋଲା ଯାଇଥିଲା। ମେଡିକାଲ୍ ଓ୍ବାର୍ଡ ୩ରେ ଡାଇରିଆ ଓ୍ବାର୍ଡର ଉପର ମହଲାରେ ୧୨ ବେଡ୍ ବିଶିଷ୍ଟ ଏହି ଆଇସୋଲେସନ୍ ଓ୍ବାର୍ଡ କାର୍ଯ୍ୟ କରୁଥିବା ବେଳେ ତାହାକୁ ବିଧିବଦ୍ଧ ଭାବେ କୋଭିଡ୍ ହସପିଟାଲ୍ ଭାବେ କାର୍ଯ୍ୟକାରୀ କରିବା ପାଇଁ ହସପିଟାଲ୍ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛନ୍ତି।

ସାରୀ ଓ୍ବାର୍ଡରେ କେବଳ ସନ୍ଦିଗ୍ଧ ରହୁଥିବା ବେଳେ କରୋନା ପରୀକ୍ଷାରୁ ସଂକ୍ରମିତ ଚିହ୍ନଟ ପରେ ସେମାନଙ୍କୁ ଅନ୍ୟ କୋଭିଡ୍ ହସପିଟାଲକୁ ସ୍ଥାନାନ୍ତର କରାଯାଉଥିଲା। ଏବେ କିନ୍ତୁ ଶିଶୁଭବନରେ ମୋଟ ୪୧୬ ବେଡ୍ ଥିବା ବେଳେ ସେହି ବେଡରୁ କୋଭିଡ୍ ହସପିଟାଲ୍ ପାଇଁ କିଛି ବେଡ୍ ଅଲଗା କରାଯିବ। ରାଜ୍ୟ ସରକାର ଏନେଇ ଖୁବଶୀଘ୍ର ନିଷ୍ପତ୍ତି ଗ୍ରହଣ କରିବାକୁ ଯାଉଛନ୍ତି ବୋଲି ଶିଶୁଭବନ ଅଧୀକ୍ଷକ ଡାକ୍ତର ପ୍ରଫେସର ଜ୍ଞାନେନ୍ଦ୍ର ନାଥ ବେହେରା ସୂଚନା ଦେଇଛନ୍ତି। ଶିଶୁଭବନ ସମେତ ୭ଟି ମେଡିକାଲ୍ କଲେଜରେ ମଧ୍ୟ ଶିଶୁରୋଗୀଙ୍କ ପାଇଁ ସ୍ବତନ୍ତ୍ର କୋଭିଡ୍ ହସପିଟାଲ୍ ଖୋଲାଯିବାର ଯୋଜନା ରହିଛି।

କଟକ ବଡ଼ ଡାକ୍ତରଖାନା ସମେତ ବ୍ରହ୍ମପୁର ଏମକେସିଜି, ବୁର୍ଲା ଭିଏସଏସ୍, ଏସଏଲଏନ ମେଡିକାଲ୍ କଲେଜ କୋରାପୁଟ, ସରକାରୀ ମେଡିକାଲ୍ କଲେଜ ଓ ହସପିଟାଲ୍ ବଲାଙ୍ଗୀର, ଫକିର ମୋହନ ମେଡିକାଲ୍ କଲେଜ ଏବଂ ହସପିଟାଲ୍ ବାଲେଶ୍ବର, ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜ ଓ ହସପିଟାଲ୍ ବାରିପଦାରେ କୋଭିଡ୍ ହସପିଟାଲ୍ ଖୋଲାଯିବାକୁ ପ୍ରସ୍ତାବ ରହିଛି। କଟକ ବଡ଼ ଡାକ୍ତରଖାନାରେ ଏବେ କରୋନାରେ ଆକ୍ରାନ୍ତ ଶିଶୁ ରୋଗୀଙ୍କ ପାଇଁ ୧୫ଟି ବେଡ୍ ରହିଛି। ୪ ଜଣ ଡାକ୍ତର, ୫ ଜଣ ନର୍ସ, ଆଟେଣ୍ଡାଣ୍ଟ ୩ ଜଣଙ୍କୁ ୮ ଘଣ୍ଟା ଲେଖାଏଁ ୨୪ ଘଣ୍ଟିଆ ଡ୍ୟୁଟିରେ ସେଠାରେ ନିୟୋଜିତ କରାଯାଇଛି। ସେହି ଅନୁଯାୟୀ, ଶିଶୁ ଭବନରେ ବେଡ୍ ସଂଖ୍ୟା ସ୍ଥିର କରାଗଲେ ଡାକ୍ତର, ନର୍ସ ଓ ଆଟେଣ୍ଡାଣ୍ଟଙ୍କ ସଂଖ୍ୟା ମଧ୍ୟ ସ୍ଥିର କରାଯିବ ବୋଲି ଶିଶୁଭବନ କର୍ତ୍ତୃପକ୍ଷଙ୍କ ସୂଚନା ଦେଇଛନ୍ତି।

Spread the love