September 14, 2025

ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟା: ତୃତୀୟ ଦିନରେ ଧାରଣା

ଭୁବନେଶ୍ବର: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ବର୍ଷା ସତ୍ତ୍ବେ ଆଜି ବି ଧାରଣା ଜାରି ରହିଛି। ତୃତୀୟ ଦିନରେ ପହଞ୍ଚିଛି ଏହି ଧାରଣା। ଝିଅକୁ ନ୍ୟାୟ ଦାବିରେ ବର୍ଷାରେ ଭିଜି ରାତିସାରା ରୁଚିକାଙ୍କ ମାଆ ଓ ବହୁ ଛାତ୍ରଛାତ୍ରୀ ଧାରଣାରେ ବସିଥିଲେ। ରୁଚିକାଙ୍କ ପରିବାରକୁ ନ୍ୟାୟ ଦାବିରେ ବିଭିନ୍ନ ଛାତ୍ର ସଂଗଠନ ମଧ୍ୟ ଏହି ଧାରଣାରେ ସାମିଲ ହୋଇଛନ୍ତି।

ଏଣେ ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟା ଘଟଣା ଦିନକୁ ଦିନ ରହସ୍ୟମୟ ହେବାରେ ଲାଗିଛି। ଆତ୍ମହତ୍ୟା ଘଟଣାର ତିନି ଦିନ ବିତିଗଲାଣି। ଏହାଭିତରେ ପୁଲିସ ୧୦୦ରୁ ଊର୍ଧ୍ବଙ୍କୁ ଜେରା କରିସାରିଲାଣି। ତଥାପି ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କ ଟେର୍ ପାଉନାହିଁ। ସେ ୩ ସିନିୟର କିଏ? କେଉଁଆଡ଼େ ଅନ୍ତର୍ଧାନ ହୋଇଗଲେ? ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ନପାଇବା ଘଟଣା ଭିନ୍ନ ମୋଡ଼ ନେଉଛି। ରୁଚିକାଙ୍କ ସୁଇସାଇଡ ନୋଟକୁ ଆଧାର କରି ତିନି ସିନିୟର କିଏ ତାଙ୍କୁ ଖୋଜାଚାଲିଛି।

ସନ୍ଦେହରେ ୩ଜଣଙ୍କୁ ଅଟକ ରଖିଥିଲେ ବି ପ୍ରକୃତ ଅଭିଯୁକ୍ତଙ୍କୁ ଚିହ୍ନଟ ନକରିବା ଯାଏ କୌଣସି ବି ଜଣେ ଛାତ୍ରୀ ହଷ୍ଟେଲ୍ ଛାଡ଼ି ନଯିବାକୁ ପୁଲିସ କହିଛି। ଏଥିପାଇଁ ହଷ୍ଟେଲକୁ ସିଲ କରାଯାଇଛି। ଆହୁରି ୩୦ଜଣଙ୍କୁ ପୁଲିସ ଜେରାକରିବ ବୋଲି ଜଣାପଡ଼ିଛି। ଏହାଛଡ଼ା ଆଜି ଜବତ ହୋଇଥିବା ସୁଇସାଇଡ୍ ନୋଟ୍ ଏବଂ ରୁଚିକାଙ୍କ ମୋବାଇଲ୍କୁ ରାଜ୍ୟ ଫରେନ୍ସିକ୍ ଲ୍ୟାବକୁ ପଠାଯାଇଛି।

Spread the love