April 18, 2025

ଆରମ୍ଭହେଲା ବିଧାନସଭା ବଜେଟ୍ ଅଧିବେଶନ: ‘ମୋ ସରକାର’କୁ ରାଜ୍ୟପାଳଙ୍କ ପ୍ରଶଂସା, କଂଗ୍ରେସ ସଦସ୍ୟଙ୍କ କକ୍ଷତ୍ୟାଗ

ଭୁବନେଶ୍ବର,୧୪/୨: ବିଧାନସଭା ବଜେଟ୍ ଅଧିବେଶନ ଶୁକ୍ରବାର ଆରମ୍ଭ ହୋଇଛି। ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍‌ଙ୍କ ଅଭିଭାଷଣରୁ ବଜେଟ ଅଧିବେଶନ ଆରମ୍ଭ ହୋଇଛି। ରାଜ୍ୟପାଳଙ୍କ ଅଭିଭାଷଣବେଳେ କଂଗ୍ରେସ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ଅଭିଭାଷଣ ପ୍ରାରମ୍ଭରୁ ସହିଦ ଓ ଦିବଂଗତ ନେତାଙ୍କ ବିୟୋଗରେ ରାଜ୍ୟପାଳ ଶୋକପ୍ରସ୍ତାବ ଆଗତ କରିଥିଲେ। ଏହାପରେ ବଜେଟ୍ ଅଭିଭାଷଣରେ ରାଜ୍ୟପାଳ ‘ମୋ ସରକାର’ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ‘ମୋ ସରକାର’ ଲୋକଙ୍କ ସୁବିଧା ପାଇଁ ଆରମ୍ଭ ହୋଇଥିବାବେଳେ ୫-ଟି ଜରିଆରେ ପ୍ରଶାସନକୁ ଅଧିକ କ୍ରିୟାଶୀଳ କରାଯାଇଥିବା ସେ ପ୍ରକାଶ କରିଥିଲେ। ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ମଧ୍ୟ ରାଜ୍ୟପାଳ ପ୍ରଶଂସା କରିଥିଲେ। ଛାତ୍ରଛାତ୍ରୀଙ୍କ ପାଇଁ କାଳିଆ ଛାତ୍ର ବୃତ୍ତି ଯୋଜନା ଲାଗୁ ହୋଇଛି ବୋଲି ସେ କହିଥିଲେ। ସେହିଭଳି ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ମୋ ସରକାର ଗୁରୁତ୍ବ ଦେଉଛନ୍ତି । ଶ୍ରୀମନ୍ଦିରର ବିକାଶ ପାଇଁ ସରକାର ଗୁରୁତ୍ୱ ଦେଉଥିବା ମନ୍ଦିରର ବିଭିନ୍ନ ସୌନ୍ଦର୍ଯ୍ୟକରଣ କାର୍ଯ୍ୟରୁ ଦେଖିବାକୁ ମିଳିଛି। ସେହିପରି ଶ୍ରୀଲିଙ୍ଗରାଜ ମନ୍ଦିର ବିକାଶ ପାଇଁ ସରକାର ପଦକ୍ଷେପ ନେଉଛନ୍ତି। ରାଜ୍ୟରେ ଦାରିଦ୍ର୍ୟ ଦୂର କରିବାକୁ ପଦକ୍ଷେପ ନିଆଯିବା ସହ ଉଠା ଜଳସେଚନ ଜରିଆରେ ଚାଷୀଙ୍କୁ ଜଳଯୋଗାଣ ଦିଗକୁ ଅଧିକ ଗୁରୁତ୍ୱ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି। ରାଜ୍ୟର ୧୧ଟି ଜିଲ୍ଲାର ୫୫ ବ୍ଲକରେ ‘ଓଡ଼ିଶା ମିଲେଟ୍ ମିସନ୍’ ଯୋଜନାର ଶୁଭାରମ୍ଭ ହୋଇଥିବା ରାଜ୍ୟପାଳ ଅଭିଭାଷଣରେ କହିଥିଲେ।

Spread the love