April 11, 2025

ଏଣିକି ବର୍ଜ୍ୟ ପ୍ଲାଷ୍ଟିକ୍‌ରେ ତିଆରି ହେବ ସଡ଼କ

ମୁମ୍ବାଇ(ଏଜେନ୍ସି): ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଏକ ନୂତନ ପ୍ରକଳ୍ପର ଶୁଭାରମ୍ଭ ହୋଇଯାଇଛି । ସାରା ଦେଶରେ ଉତ୍ପନ୍ନ ହେଉଥିବା ବର୍ଜ୍ୟ ପ୍ଲାଷ୍ଟିକ୍‌କୁ ସଡ଼କ ନିର୍ମାଣରେ ଉପଯୋଗ କରିବାକୁ ଏହି ପ୍ରକଳ୍ପ କାର୍ଯ୍ୟ କରିବ। ଭାରତର ୧୩୦ କୋଟି ଜନସଂଖ୍ୟାକୁ ନେଇ ବର୍ଜ୍ୟ ପ୍ଲାଷ୍ଟିକ୍‌ର ସମସ୍ୟା ଉତ୍କଟ ହେଉଥିବାବେଳେ ପ୍ରଦୂଷଣ ମାତ୍ରା ମଧ୍ୟ ବଢ଼ିଚାଲିଛି। ସୂଚନା ଅନୁସାରେ ଭାରତରେ ବର୍ଷକୁ ପ୍ରାୟ ୧୪ ନିୟୁତ ଟନ୍ ପ୍ଲାଷ୍ଟିକ୍ ବ୍ୟବହାର କରାଯାଉଛି। କିନ୍ତୁ ବର୍ଜ୍ୟ ପ୍ଲାଷ୍ଟିକ୍ ପରିଚାଳନା ପାଇଁ ସୁସଂଗଠିତ ବ୍ୟବସ୍ଥା କରାଯାଇପାରୁନି। ଫଳରେ ବଡ଼ ସମସ୍ୟା ଦେଖାଦେଇଛି। ଏହାକୁ ଦୃଷ୍ଟିରେ ରଖି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ବିଭିନ୍ନ ପ୍ରକଳ୍ପ ହାତକୁ ନେଇଥିବା ବେଳେ ସଡ଼କ ନିର୍ମାଣରେ ବର୍ଜ୍ୟ ପ୍ଲାଷ୍ଟିକ୍ ଉପଯୋଗ କରିବାକୁ ନିଷ୍ପତ୍ତି ନେଇଛି।

ସମ୍ପ୍ରତି ଦେଶର ଭିତ୍ତିଭୂମି କ୍ଷେତ୍ରର ବିକାଶ ପାଇଁ ସଡ଼କ ନିର୍ମାଣକୁ ଗୁରୁତ୍ୱ ଦିଆଯାଉଛି । ତେବେ ସଡ଼କ ନିର୍ମାଣରେ ପ୍ଲାଷ୍ଟିକ୍‌-ଇନ୍‌ଫ୍ୟୁଜଡ୍ ମିକ୍ସ ବ୍ୟବହାର କରି ଏକ ନୂତନ ପ୍ରଣାଳୀ ପ୍ରସ୍ତୁତ କରିବାକୁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପକ୍ଷରୁ ଜାତୀୟ ରାଜପଥ ପ୍ରାଧିକରଣ ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ଜଣାପଡ଼ିଛି । ସାଧାରଣତଃ ହାଲୁକା ପ୍ଲାଷ୍ଟିକ୍ ସାମଗ୍ରୀ ଭାବେ କ୍ୟାରି ବ୍ୟାଗ୍ ଏବଂ ବିସ୍କୁଟ୍ କିମ୍ବା ଚକୋଲେଟ୍ ଜରି ମାଟିରେ ମିଶିନଥାଏ । ଯାହାକି ବର୍ଷ ବର୍ଷ ଧରି ମାଟିରେ କିମ୍ବା ସମୁଦ୍ରତଟରେ ପଡ଼ିରୁହେ । କିନ୍ତୁ ଏହି ସବୁ ଦ୍ରବ୍ୟ ସହ ବିଟୁମେନ୍‌ର ମିଶ୍ରଣ କରାଯାଇ ସେଥିରୁ ଉତ୍ପନ୍ନ ଯୌଗିକ ପଦାର୍ଥରେ ସଡ଼କ ନିର୍ମାଣ କରାଯାଇପାରିବ ଏବଂ ତାହା ଅଧିକ ସମୟ କାର୍ଯ୍ୟ କରିପାରିବ ବୋଲି ରିଲାଏନ୍ସ ପେଟ୍ରୋକେମିକାଲ ବିଭାଗର ସିଓଓ ବିପୁଲ ଶାହ କହିଛନ୍ତି । ୨୦୧୮ ବର୍ଷର ରିପୋର୍ଟ ଅନୁଯାୟୀ ବିଶ୍ୱର ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଭାରତର ୧୫ ରୁ ୨୦ ସହର ରହିଛି । ବିଶେଷକରି ରାଜଧାନୀ ସହର ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଉତ୍କଟ ହୋଇଥିବାରୁ ଏହିସବୁ ସହରରେ ଏଭଳି ଢାଞ୍ଚାରେ ସଡ଼କ ନିର୍ମାଣ ଆରମ୍ଭ କରାଯାଇପାରେ ବୋଲି କୁହାଯାଇଛି ।

Spread the love