September 16, 2024

Satya News

odia news channel

ପରସ୍ପର ବିରୋଧରେ ହ୍ୟୁମାନ-ଶ୍ରୀୟା

କଟକ: ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ୍‌ ସାଗର ଥାନାରୁ ଫେରିଲା ପରେ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ମୋ ନାମରେ ଆସିଥିବା ଅଭିଯୋଗ ମିଛ ବୋଲି କହିଛନ୍ତି। ମୁଁ କାହିଁକି ହତ୍ୟା ଉଦ୍ୟମ କରିବି? ମୁଁ କଣ ମର୍ଡରର? ଧର୍ମ ପରିବର୍ତ୍ତନ ପାଇଁ ମୁଁ ଆଦୌ ଚାପ ପକାଇନି ବୋଲି କହିଛନ୍ତି। ମୁଁ କାହିଁକି ‌ଯୌତୁକ ମାଗିବି। ଲୋକଙ୍କ ଆଶୀର୍ବାଦରୁ ଭଲରେ ଅଛି।

ଅନ୍ୟପଟରେ ବୋହୂ ଶ୍ରେୟା ମିଶ୍ର ମଦ୍ୟପାନ କରନ୍ତି ବୋଲି ହ୍ୟୁମାନଙ୍କ ମା’ ଶେଫାଳି ସୁନା ଅଭିଯୋଗ ଆଣିଛନ୍ତି। ବୋହୂ ନାମରେ ସମସ୍ତ ଧନ ସମ୍ପତ୍ତି ରହିଛି। ବୋହୂର ସମସ୍ତ ପରିବାର ଲୋକେ ମଦ୍ୟପାନ କରନ୍ତି। ବୋହୂ ହ୍ୟୁମାନ ଓ ଶାଶୁଙ୍କର ଯତ୍ନ ନିଅନ୍ତିନାହିଁ ବୋଲି କାଉନିସିଲିଂ ପରେ କହିଛନ୍ତି ।

ହ୍ୟୁମାନ ସାଗରଙ୍କ ପାରିବାରିକ କଳି ନେଇ ଜୋନ-୨ ଏସିପି ଅମିତାଭ ମହାପାତ୍ର କହିଛନ୍ତି, ଆଜି ପ୍ରଥମ ପର୍ଯ୍ୟାୟରେ କାଉନସିଲିଂ ସୁରୁଖୁରୁରେ ଶେଷ ହୋଇଛି। ଉଭୟ ପକ୍ଷ ଦୁଇଦିନ ସମୟ ନେଇଛନ୍ତି। ଦୁଇଦିନ ପରେ ନିଜ ନିଷ୍ପତ୍ତି ଥାନାରେ ଜଣାଇବେ ପରେ ସେହି ଆଧାରରେ ସମସ୍ତ ତଦନ୍ତ ଚାଲିବ। ଦୁଇ ଦିନ ମଧ୍ୟରେ ଆପୋସ ସମାଧାନ ନହେଲେ ମାମଲା ରୁଜୁ ହେବ। ମାମଲା ରୁଜୁ ହୋଇ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଗାୟକ ହ୍ୟୁମାନ ସାଗର ପତ୍ନୀ ଶ୍ରେୟା ମିଶ୍ରଙ୍କୁ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରୁଥିଲେ ବୋଲି ଶ୍ରେୟାଙ୍କ ବାପା ଶ୍ରୀକାନ୍ତ ମିଶ୍ର ଅଭିଯୋଗ କରିଥିଲେ। ତାଙ୍କ କହିବା ମୁତାବକ ପରକୀୟା ପ୍ରୀତି ମଧ୍ୟ ରଖିଥିଲେ ହ୍ୟୁମାନ। ଝିଅ ସନ୍ତାନ ଜନ୍ମ ହେବାରୁ ଖୁସି ନ ଥିଲେ ହ୍ୟୁମାନ। ହ୍ୟୁମାନ ଯୌତୁକ ଦାବି କରିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୦ ଲକ୍ଷ ଓ ଦ୍ଵିତୀୟ ପର୍ଯ୍ୟାୟରେ ୫ ଲକ୍ଷ ଟଙ୍କା ଶ୍ରେୟା ମିଶ୍ରଙ୍କ ପରିବାର ପକ୍ଷରୁ ହ୍ୟୁମାନଙ୍କୁ ଦିଆଯାଇଥିଲା। ଏପରିରକି ପତ୍ନୀ ଶ୍ରେୟାଙ୍କୁ ମାଡ଼ ମାରୁଥିବା ଅଭିଯୋଗ କରିଛନ୍ତି ଶ୍ରେୟାଙ୍କ ବାପା ଶ୍ରୀକାନ୍ତ ମିଶ୍ର। କେତେ ଥର ଶ୍ରେୟାଙ୍କୁ ଜୀବନରୁ ମାରି ଦେବାକୁ ଉଦ୍ୟମ କରିଛନ୍ତି ହ୍ୟୁମାନ।

Spread the love