September 19, 2024

Satya News

odia news channel

ଅଲଟିମେଟ ଖୋଖୋ ଲିଗ୍‌ : ଫାଇନାଲରେ ଓଡ଼ିଶା ଜଗରନଟ୍‌ସ

 

ପୁଣେ  : ଶ୍ରୀ ଛତ୍ରପତି ଶିବାଜୀ କ୍ରୀଡ଼ାଙ୍ଗନରେ ଚାଲିଥିବା ଅଲଟିମେଟ ଖୋଖୋ ଲିଗର ପ୍ରଥମ ସଂସ୍କରଣ ଫାଇନାଲରେ ଓଡ଼ିଶା ଭିତ୍ତିକ ଦଳ ଓଡ଼ିଶା ଜଗରନଟ୍‌ସ ପ୍ରବେଶ କରିଛି । ଶୁକ୍ରବାର ପ୍ରଥମ କ୍ବାଲିଫାୟରରେ ଓଡ଼ିଶା ଜଗରନଟ୍‌ସ ୧୪ ପଏଣ୍ଟ (୫୭-୪୩)ରେ ଗୁଜୁରାଟ ଗ୍ଳାଣ୍ଟ୍‌ସକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ରବିବାର ଓଡ଼ିଶା ଜଗରନଟ୍‌ସ ଫାଇନାଲରେ ଗୁଜୁରାଟ ଗ୍ଳାଣ୍ଟ୍‌ସ ଓ ତେଲୁୁଗୁ ଯୋଦ୍ଧାସ ମଧ୍ୟରେ ଖେଳାଯିବାକୁ ଥିବା ଦ୍ବିତୀୟ କ୍ବାଲିଫାୟାରର ବିଜେତା ଦଳକୁ ଭେଟିବ। ଗ୍ରୁପ ପର୍ଯ୍ୟାୟର ପ୍ରଥମ ସ୍ଥାନରେ ଥିବା ଗୁଜୁରାଟ ଗ୍ଳାଣ୍ଟ୍‌ସ ଓ ଦ୍ବିତୀୟ ସ୍ଥାନରେ ଥିବା ଓଡ଼ିଶା ଜଗରନଟ୍‌ସ ବିଜୟ ସହ ଫାଇନାଲରେ ପ୍ରବେଶ ଲକ୍ଷ୍ୟ ନେଇ ଖେଳିଥିଲେ।ଓଡ଼ିଶା ଜଗରନଟ୍‌ସ ପ୍ରଥମେ ଆଟାକ୍‌ କରିଥିଲା। ଦଳ ଆକ୍ରମଣାତ୍ମକ ଢଙ୍ଗରେ ଖେଳ ଆରମ୍ଭ କରିଥିଲା। ପ୍ରଥମ ଇନିଂସର ପ୍ରଥମ ଟର୍ନ ସୁଦ୍ଧା ଓଡ଼ିଶା ୨୩-୦ ପଏଣ୍ଟରେ ଆଗୁଆ ରହିଥିଲା। ଦ୍ବିତୀୟ ଟର୍ନ​ରେ‌ ମଧ୍ୟ ଓଡ଼ିଶା ଜଗରନଟ୍‌ସ ଉତ୍ତମ ଖେଳ ପ୍ରଦର୍ଶନ କରିଥିଲେ। ପ୍ରଥମ ଇନିଂସ ​‌େ​‌ଶଷ ସୁଦ୍ଧା ଓଡ଼ିଶା ଜଗରନଟ୍‌ସ ୪୮-୨୦ରେ ଆଗୁଆ ରହିଥିଲା। ଦ୍ବିତୀୟ ଇନିଂସ ପ୍ରଥମ ଟର୍ନରେ ଓଡ଼ିଶା ଡିଫେନ୍‌ସ କରିଥିଲା। ଗୁଜୁରାଟ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ଓଡ଼ିଶା ଜଗରନଟ୍‌ସ ଶେଷରେ ମ୍ୟାଚକୁ ୫୭- ୪୩ରେ ଜିତିବାରେ ସଫଳ ହୋଇଥିଲା। ଓଡ଼ିଶା ଜଗରନଟ୍‌ସ ସ୍କାଏ ଡ୍ରାଇଭରୁ ୨୪, ପୋଲ ଡ୍ରାଇଭରୁ ୩, ଡ୍ରାଇଭ ପଏଣ୍ଟରୁ ୬, ଟଚ୍‌ ପଏଣ୍ଟରୁ ୧୪ ଓ ୧୦ ବୋନସ ପଏଣ୍ଟ ପାଇଥିଲା। ସୂରଜ ଲାଣ୍ଡେ ୧୩ ପଏଣ୍ଟ କରିଥିଲେ।
ଏଲିମିନେଟର ମ୍ୟାଚରେ ତେଲୁଗୁ ଯୋଦ୍ଧାସ ୬୧-୪୩ ପଏଣ୍ଟରେ ଚେନ୍ନଇ କ୍ବିକ୍‌ଗନ୍‌ସକୁ ପରାସ୍ତ କରିଥିଲା। ଶନିବାର ଗୁଜୁରାଟ ଗ୍ଳାଣ୍ଟ୍‌ସ ଓ ତେଲୁଗୁ ଯୋଦ୍ଧାସ ମଧ୍ୟରେ ଦ୍ବିତୀୟ କ୍ବାଲିଫାୟର ମ୍ୟାଚ ଖେଳାଯିବ।

Spread the love