July 13, 2025

ଗଁଦିଆ ଆଦର୍ଶ ବିଦ୍ୟାଳୟ ଏମିତି ଦଶା: ୧୬୦ବିଦ୍ୟାର୍ଥୀ, ଜଣେ ବି ଶିକ୍ଷକ ନାହାଁନ୍ତି

 

ଯୋରନ୍ଦା, (ଆନନ୍ଦ ଚନ୍ଦ୍ର ମହାନ୍ତି): ରାଜ୍ୟ ସରକାରଙ୍କର ଆଦର୍ଶ ବିଦ୍ୟାଳୟ। ଏ ସ୍କୁଲରେ ପାଠ ପଢ଼ିବା ପାଇଁ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ବିଦ୍ୟାର୍ଥୀଙ୍କ ମଧ୍ୟରେ ଗତବର୍ଷ ବେଶ୍ ଉତ୍ସାହ ଦେଖା ଦେଇଥିଲା। ଷଷ୍ଠ ଶ୍ରେଣୀ ପାଇଁ ପ୍ରବେଶିକା ପରୀକ୍ଷା ହେଲା। ଫଳ ବି ବାହାରିଲା। ବ୍ଲକର ୮୦ଜଣ ପିଲା ଷଷ୍ଠ ଶ୍ରେଣୀରେ ନାଁ ଲେଖାଇଲେ। କିନ୍ତୁ, ୮୦ଜଣ ବିଦ୍ୟାର୍ଥୀଙ୍କ ପାଇଁ ଜଣେ ହେଲେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଗଲା ନାହିଁ କି ପିଲାଙ୍କ ପାଠପଢ଼ା କେଉଁଠି ହେବ ଶ୍ରେଣୀ କକ୍ଷ ବି ଜିଲ୍ଲା ଶିକ୍ଷା ବିଭାଗ ଠିକ୍‌ କରି ପାରିଲା ନାହିଁ। ଠିକ୍‌ ଏହି ସମୟରେ କୋଭିଡ୍‌ ମହାମାରୀ ବ୍ୟାପିଲା। ପିଲାଙ୍କର ଅନ୍‌ଲାଇନ୍‌ ପାଠପଢ଼ା ବି ଆଦର୍ଶ ବିଦ୍ୟାଳୟ ପକ୍ଷରୁ ହୋଇପାରିଲା ନାହିଁ। ଫଳ ସ୍ବରୂପ, ନାମ ଲେଖାଇବାର କେଇଟା ଦିନ ପରେ ବିଦ୍ୟାର୍ଥୀମାନଙ୍କୁ ଆଦର୍ଶ ବିଦ୍ୟାଳୟରୁ ବିଦା କରାଗଲା। ‘ଟିସି’ ନେଇ ନିଜ ନିଜ ଅଞ୍ଚଳର ବିଦ୍ୟାଳୟରେ ନାମ ଲେଖାଇବା ପାଇଁ କୁହାଗଲା। ଗତବର୍ଷର ସ୍ଥିତି ଏ ବର୍ଷ ମଧ୍ୟ ଦୋହରିବା ଆଶଙ୍କା ଅଭିଭାବକଙ୍କୁ ଚିନ୍ତାରେ ପକାଇଛି। ଏ ବର୍ଷ ମଧ୍ୟ ଷଷ୍ଠ ଶ୍ରେଣୀ ପାଇଁ ଯଦିଓ ପ୍ରବେଶିକା ପରୀକ୍ଷା କରାଇ ଆଉ ୮୦ଜଣ ପିଲାଙ୍କର ନାମ ଆଦର୍ଶ ବିଦ୍ୟାଳୟରେ ଲେଖାଯାଇଛି, କିନ୍ତୁ ଏଯାବତ୍‌ ଏତେ ସଂଖ୍ୟକ ପିଲାଙ୍କୁ ଶ୍ରେଣୀ କକ୍ଷରେ ହେଉ ଅବା ଅନ୍‌ଲାଇନରେ ପାଠପଢ଼ାଇବା ପାଇଁ ଜଣେ ହେଲେ ଶିକ୍ଷକଙ୍କୁ ନିଯୁକ୍ତି ଦିଆନଯିବା ଘଟଣା ଅଭିଭାବକଙ୍କ ଚିନ୍ତା ବଢ଼ାଇଛି। ଅନ୍ୟାନ୍ୟ ଆଦର୍ଶ ବିଦ୍ୟାଳୟରେ ଅନ୍‌ଲାଇନ୍‌ ଶିକ୍ଷାଦାନ ଆରମ୍ଭ ହୋଇଯାଇଥିବା ବେଳେ ଗଁଦିଆରେ ଏଥର ପିଲାଙ୍କ ଭବିଷ୍ୟତ କ’ଣ ହେବ ତାହା ଅଭିଭାବକଙ୍କ ଚିନ୍ତାର କାରଣ ପାଲଟିଛି।

ପ୍ରାପ୍ତ ତଥ୍ୟ ମୁତାବକ, ଗଁଦିଆ ବ୍ଲକ ଦେଓଗାଁ ପଞ୍ଚାୟତ ବିଶ୍ବନାଥପୁରରେ ଗଁଦିଆ ବ୍ଲକ୍‌ର ଆଦର୍ଶ ବିଦ୍ୟାଳୟ ପ୍ରସ୍ତାବ ରହିଥିଲା। ବଡ଼ ବିଲ୍ଡ଼ିଂ ବି ନିର୍ମାଣ ଚାଲିଥିଲା। ବିଲ୍ଡ଼ିଂ ନିର୍ମାଣ ଶେଷ ନ ହେଉଣୁ ଗତବର୍ଷ ଷଷ୍ଠ ଶ୍ରେଣୀରେ ନାମ ଲେଖାଇବା ପାଇଁ ଶିକ୍ଷା ବିଭାଗ ବିଜ୍ଞାପନ ପ୍ରକାଶ କରିଥିଲା। ତଦନୁସାରେ, ବ୍ଲକ୍‌ରେ ଆୟୋଜନ ହୋଇଥିଲା ପ୍ରବେଶିକା ପରୀକ୍ଷା। ବହୁ ସଂଖ୍ୟାରେ ବିଦ୍ୟାର୍ଥୀ ଏଥିରେ ଭାଗ ନେଇଥିଲେ। ୮୦ଜଣଙ୍କୁ ଚୟନ କରାଯାଇଥିଲା। ଗତବର୍ଷ ସେହି ପିଲାମାନେ ଆଦର୍ଶ ବିଦ୍ୟାଳୟର ଷଷ୍ଠ ଶ୍ରେଣୀରେ ନାମ ଲେଖାଇଥିଲେ। କିନ୍ତୁ, ସ୍କୁଲ ବିଲ୍‌ଡ଼ିଂ ନିର୍ମାଣ ଶେଷ ହୋଇ ପାରିଲା ନାହିଁ। ୮୦ଜଣ ପିଲାଙ୍କ ପାଇଁ ଜଣେ ହେଲେ ଶିକ୍ଷକଙ୍କୁ ନିଯୁକ୍ତ କରାଗଲା ନାହିଁ କି ଅନ୍‌ଲାଇନ୍‌ କ୍ଲାସ୍‌ କରାଗଲା ନାହିଁ। ଓଲଟି ପିଲାମାନଙ୍କୁ ନାମ ଲେଖାଯିବାର କେଇଟା ଦିନ ପରେ ‘ଟିସି’ ଦେଇ ସ୍କୁଲରୁ ବିଦା କରାଗଲା। ନିଜ ନିଜ ଅଞ୍ଚଳର ସ୍କୁଲରେ ନାମ ଲେଖାଇବା ପାଇଁ ପରାମର୍ଶ ଦିଆଗଲା। ଚଳିତ ଶିକ୍ଷାବର୍ଷରେ ଗତବର୍ଷର ଷଷ୍ଠ ଶ୍ରେଣୀ ପିଲାମାନଙ୍କୁ ଡକାଇ ସପ୍ତମ ଶ୍ରେଣୀରେ ନାମ ଲେଖାଯାଇଛି। ଚଳିତବର୍ଷ ଷଷ୍ଠ ଶ୍ରେଣୀରେ ନାମ ଲେଖାଇବା ପାଇଁ ଗତ ମାର୍ଚ୍ଚ ୮ତାରିଖରେ ପ୍ରବେଶିକା ପରୀକ୍ଷା କରାଯାଇ ଏପ୍ରିଲ୍ ୮ତାରିଖରେ ପିଲାଙ୍କର ନାମ ଲେଖାଯାଇ ସେମାନଙ୍କୁ ପାଠ୍ୟ ପୁସ୍ତକ ବଣ୍ଟନ କରାଯାଇଛି। ଗଁଦିଆ ଆଦର୍ଶ ବିଦ୍ୟାଳୟରେ ଚଳିତବର୍ଷ ଷଷ୍ଠ ଓ ସପ୍ତମ ଶ୍ରେଣୀ ପାଇଁ ମୋଟ୍ ୧୬୦ଜଣ ପିଲା ନାମ ଲେଖାଇଥିବା ବେଳେ ଏଯାବତ୍‌ ଜଣେ ହେଲେ ବି ଶିକ୍ଷକ ନିଯୁକ୍ତି କରାନଯିବା ଘଟଣା ଅଭିଭାବକଙ୍କ ଚିନ୍ତାର କାରଣ ପାଲଟିଛି। କାମାକ୍ଷାନଗର ଭଳି ଜିଲ୍ଲାର ଅନ୍ୟାନ୍ୟ ଆଦର୍ଶ ବିଦ୍ୟାଳୟରେ ପିଲାଙ୍କର ଅନଲାଇନ୍‌ ପାଠପଢ଼ା ଗତ କିଛି ଦିନ ହେଲା ଆରମ୍ଭ ହୋଇଥିଲେ ହେଁ ଗଁଦିଆରେ ଏ ବର୍ଷ ତାହା ହେବ କି ନାହିଁ ସନ୍ଦେହ ପ୍ରକାଶ ପାଇଛି।

ଗଁଦିଆ ବ୍ଲକ ଶିକ୍ଷା ଅଧିକାରୀ ମୀନତି ଦେହୁରୀ ଶିକ୍ଷକ ନିଯୁକ୍ତି ହୋଇନଥିବା ଅଭିଯୋଗକୁ ସ୍ବୀକାର କରିଛନ୍ତି। କହିଛନ୍ତି, ବର୍ତ୍ତମାନ ଯାଏ ଆଦର୍ଶ ବିଦ୍ୟାଳୟ ପାଇଁ ଶିକ୍ଷକ ନିଯୁକ୍ତ ହୋଇନାହାନ୍ତି। ତଥାପି, ପିଲାଙ୍କର କେମିତି ଅନ୍‌ଲାଇନ୍‌ ପାଠପଢ଼ା ହେବ ଖୁବ୍‌ଶୀଘ୍ର ସେ ବ୍ୟବସ୍ଥା କରାଯିବ ବୋଲି ଶ୍ରୀମତୀ ଦେହୁରୀ ଆଶ୍ବାସନା ଦେଇଛନ୍ତି।

Spread the love