March 11, 2026

ଗାଁ ଗାଁ ବୁଲି ମାଲିକକୁ ଖୋଜୁଛି ଓଟ

 

ବୌଦ୍ଧ : କିଛିଦିନ ଧରି ବିଭିନ୍ନ ସ୍ଥାନରେ ବୁଲିବା ପରେ ଶନିବାର ସକାଳେ ଏକ ଓଟ ବୌଦ୍ଧ ସହରକୁ ଆସିଛି। ମୁଣ୍ଡ ଟେକି ୫୭ ନଂ ଜାତୀୟ ରାଜପଥରେ ବୁଲୁଥିବା ବେଳେ କେବଳ ଏପଟ ସେପଟକୁ ଅନାଇ ଚାଲିଥାଏ। ସତେ ଯେପରି ସେ କାହାକୁ ଖୋଜୁଛି ଭଳି ମନେ ହେଉଥିଲା।

ପ୍ରକାଶ ଯେ, କିଛି ମାସ ପୂର୍ବରୁ ଦୁଇଜଣ ଲୋକ ଦୁଇଟି ଓଟ ଧରି ବୌଦ୍ଧ ସହରରେ ବୁଲୁଥିବା ଦେଖାଯାଇଥିଲା। ଦୁଇ ଓଟ ମାଲିକ ଏକା ସାଙ୍ଗରେ ବୁଲୁଥିଲେ। ମରୁଭୂମିର ଜୀବକୁ ଦେଖାଇ ଘର ଓ ଦୋକାନରୁ ଟଙ୍କା ମାଗୁଥିଲେ। ସେ‌ତେବେଳେ ମାଲିକର ବୋଲ ମାନୁଥିଲା ଓଟ। ମାଲିକର ଭାଷା ବୁଝି ଚାଲୁଥିଲା, ଅଟକୁଥିଲା, ବସୁଥିଲା ଓ ଉଠୁଥିଲା। ତା ପଠିରେ ଲଦା ହୋଇଥିଲା ମାଲିକର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ। ଏବେ ବୁଲୁଥିବା ଅଣ୍ଡିରା ଓଟଟି ଗଳାରେ କେବଳ ଏକ ପତଳା ଦୌଡ଼ି ଲାଗିଛି। ସାଙ୍ଗରେ କେହି ନାହାନ୍ତି। ଏହାକୁ ନେଇ ‌‌ଲୋକଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ଆଲୋଚନା ହେଉଛି।

ଦୁଇଟି ଓଟ ଓ ଦୁଇଜଣ ବ୍ୟକ୍ତି ଏକା ସାଙ୍ଗରେ ବୁଲୁଥିବା ବେଳେ ଅନ୍ୟ ଓଟଟି ଓ ବ୍ୟକ୍ତି ଦୁଇଜଣ କୁଆଡ଼େ ଗଲେ? ଓଟର ମାଲିକ ସହ କିଛି ଅଘଟଣ ଘଟି ନାହିଁ ତ? ମାଲିକର କରୋନାରେ ମୃତ୍ୟୁ କିଂବା ଟଙ୍କା ପାଇଁ ହତ୍ୟା ହୋଇ ନାହିଁ ତ? ଯଦି ମାଲିକ ସହ କିଛି ଅଘଟଣ ଘଟିଥାଏ ସାଙ୍ଗରେ ଥିବା ଅନ୍ୟ ବ୍ୟକ୍ତି ଜଣକ କାହିଁକି ଓଟକୁ ସାଙ୍ଗରେ ନେଲା ନାହିଁ? ଏଭଳି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଛି। ତେବେ ଅସୁରକ୍ଷିତ ଭାବରେ ବୁଲୁଥିବା ଗୃହପାଳିତ ଓଟକୁ ବନ ବିଭାଗ ସୁରକ୍ଷା ଦେବା ଜରୁରି ହୋଇ ପଡ଼ିଛି।

Spread the love