July 6, 2025

ଗୋବିନ୍ଦପୁର ସୂତାକଳ ଏବେ ଭୂତକୋଠି, ୧୯ ବର୍ଷ ଧରି ଝୁଲୁଛି ତାଲା

 

ଢେଙ୍କାନାଳ, (ପ୍ରସନ୍ନ ପଟ୍ଟନାୟକ): ଅତୀତରେ ଗହଳଚହଳରେ ଫାଟି ପଡୁଥିବା ଗୋବିନ୍ଦପୁର ସୂତାକଳ ଏବେ ଭୂତକୋଠିରେ ପରିଣତ ହୋଇଛି। ଆର୍ଥିକ ସଂକଟ, ପରିଚାଳନାଗତ ତ୍ରୁଟି ଏବଂ ଦଲାଲ୍ ରାଜ୍ ଚକ୍ରାନ୍ତରେ ଏହା ବନ୍ଦ ହୋଇଯାଇଛି। ଦୀର୍ଘ ୧୯ ବର୍ଷ ଧରି ଏଠାରେ ତାଲା ଝୁଲୁଛି। ଏହି କାରଖାନାକୁ ଜୀବିକା ଭାବେ ଗ୍ରହଣ କରି ପେଟ ପୋଷୁଥିବା ହଜାର ହଜାର ଶ୍ରମିକ ଓ କର୍ମଚାରୀ ବେରୋଜଗାର ହୋଇଯାଇଛନ୍ତି। ଭୋକ ଉପାସରେ ସେମାନେ ନିଜ ଭିଟାମାଟି ଛାଡି ମୂଲ ମଜୁରି ପାଇଁ ବାହାର ରାଜ୍ୟ ଉପରେ ନିର୍ଭର କରୁଛନ୍ତି। ସୂତାକଳ ପରିସର ଏବେ ଜଙ୍ଗଲରେ ପରିଣତ ହୋଇଥିବା ବେଳେ କାରଖାନା ଭିତରେ ଥିବା କୋଟି କୋଟି ଟଙ୍କାର ଯନ୍ତ୍ରପାତି ସବୁ କଳଙ୍କି ଲାଗି ଖତ ଖାଉଛି।

ସୂଚନାଯୋଗ୍ୟ, ସହରଠାରୁ ୭ କି.ମି. ଦୂର ସଦର ବ୍ଲକର ଗୋବିନ୍ଦପୁର ଓ ତାଳବରକୋଟ ସୀମାରେ ୫୨ ଏକର ଜମିରେ ଗଢି ଉଠିଥିଲା ଗୋବିନ୍ଦପୁର ସ୍ପିନିଂ ମିଲ୍ ବା କଳିଙ୍ଗ ବୁଣାକାର ସମବାୟ ସମିତି ସ୍ପିନିଂ ମିଲ୍। ୧୯୭୯ ମସିହାରେ ତତ୍କାଳୀନ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ସ୍ବର୍ଗତା ନନ୍ଦିନୀ ଶତପଥୀଙ୍କ ଉଦ୍ୟମରେ ଏହା ଆରମ୍ଭ ହେଇଥିଲା। ଏଥିରେ ଆଖପାଖ ଅଂଚଳର ଲୋକମାନେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ନିଯୁକ୍ତି ପାଇ ପରିବାର ପ୍ରତିପୋଷଣ କରୁଥିଲେ। ଏଠାରୁ ଉକ୍ତୃଷ୍ଟ ମାନର ସୂତା ଉତ୍ପାଦନ କରାଯାଇ ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାରକୁ ପଠାଯାଉଥିଲା। ଏହି ସୂତାକଳ ଉପରେ ନିର୍ଭର କରି ଆଖପାଖ ଅଞ୍ଚଳରେ ଛୋଟ ଛୋଟ ପାୱାର ଲୁମ୍ ୟୁନିଟ୍ ମଧ୍ୟ ଗଢି ଉଠିଥିଲା। ସୂତାର ଗୁଣବତ୍ତା ତଥା ମାନ ଦୃଷ୍ଟିରୁ ଦେଶର ବିଭିନ୍ନ ଭାଗରେ ଏହାର ଚାହିଦା ଦିନକୁ ଦିନ ବୃଦ୍ଧି ପାଇଥିଲା। ହେଲେ ପରବର୍ତ୍ତୀ କାଳରେ ଏଠାରେ କ୍ରମଶଃ ଦଲାଲରାଜ୍ ଦେଖିବାକୁ ମିଳିଥିଲା।

ସେମାନେ ଏହି ପ୍ରତିଷ୍ଠିତ ସୂତା କଳ ବନ୍ଦ କରିବାକୁ ଚକ୍ରବ୍ୟୂହ ରଚିବା ଆରମ୍ଭ କରିଦେଇଥିଲେ। ଦଲାଲ୍‌ଙ୍କ ଚକ୍ରାନ୍ତରେ କିଛି ଅଧିକାରୀ ଗୋବିନ୍ଦପୁର ସୂତାକଳ ପରିଚାଳନାରେ ବ୍ୟାପକ କ୍ଷତି ହେଉଥିବା ଦର୍ଶାଇ ଏହାକୁ ବନ୍ଦ କରିବାକୁ ଷଡ଼ଯନ୍ତ୍ର ଚଳାଇଥିଲେ। ଅନ୍ୟପକ୍ଷରେ ଅସାଧୁ ଅଧିକାରୀମାନେ କିଛି ଅଣଓଡ଼ିଆଙ୍କ ସହ ମିଶି ନିମ୍ନମାନର ସୂତା ଉତ୍ପାଦନ କଲେ। ଏହି ମଉକାରେ ଦଲାଲମାନେ ମଧ୍ୟ କମ୍ ଦରରେ କଲିକତାରୁ ସୂତା ଆଣି ଗୋବିନ୍ଦପୁର ନାଁରେ ଓଡ଼ିଶାରେ ବେପାର କଲେ। ପରେ ସ୍ପିନ୍‌ଫେଡ୍‌ର କେତେକ ଅଧିକାରୀ ଗୋବିନ୍ଦପୁର ସୂତାକଳକୁ କୋଲକତାର ଦଲାଲଙ୍କୁ ଚଳାଇବା ପାଇଁ ଟେଣ୍ତର ଦେଇଦେଲେ। ଫଳରେ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିଥିଲା। ୧୯୯୨ ମସିହା ପର୍ଯ୍ୟନ୍ତ ଦୀର୍ଘ ୧୩ବର୍ଷ ଧରି ଏହି ସୂତାକଳ ସୁନାମ ଅର୍ଜନ କରିଆସିଥିଲା। ତା ପରଠାରୁ ଏହାର ଦୁର୍ଦିନ ଆରମ୍ଭ ହୋଇଥିଲା। ବିକ୍ଷୋଭ, ଆନ୍ଦୋଳନ, ହରତାଲ ଏବଂ ଦଲାଲ୍ ଓ ସ୍ବାର୍ଥନ୍ବ୍ବେଷୀ ଅଧିକାରୀଙ୍କ ଚକ୍ରାନ୍ତରେ କାରଖାନାର ଅର୍ଥନୀତି ଭୁଶୁଡ଼ି ପଡିଥିଲା। ଫଳରେ ୨୦୦୨ ନଭେମ୍ବର ୧୬ ତାରିଖରେ ଆର୍ଥିକ ଦୁରବସ୍ଥା ଦର୍ଶାଇ ପତ୍ରସଂଖ୍ୟା ୧୦୯୨୧ ରେ ସରକାର ଏହି କାରଖାନାକୁ ବନ୍ଦ କରିଦେଇଥିଲେ। ସେହିଦିନ ଠାରୁ କାରଖାନାରେ ତାଲା ଝୁଲୁଛି। ଏହି ଜିଲ୍ଲାର ବିଭିନ୍ନ ସଂଗଠନ, ଅନୁଷ୍ଠାନ ଓ ବିରୋଧୀ ରାଜନୈତିକ ଦଳ ପକ୍ଷରୁ ଗୋବିନ୍ଦପୁର ସ୍ପିନିଂ ମିଲ୍ ପୁନରୁଦ୍ଧାର କରି କାର୍ଯ୍ୟକ୍ଷମ କରିବାକୁ ଅତୀତରେ ଥରକୁ ଥର ମୁଖ୍ୟମନ୍ତ୍ରୀଙ୍କ ଠାରେ ଦାବି ହୋଇଆସିଛି। ଜିଲ୍ଲାର ସାଂସଦ, ମନ୍ତ୍ରୀ, ବିଧାୟକଙ୍କୁ ମଧ୍ୟ ଏ ସଂପର୍କରେ ଅବଗତ କରାଯାଇଛି। ରାଜନୈତିକ ଇଚ୍ଛାଶକ୍ତିର ଅଭାବରୁ ଅଦ୍ୟାବଧି ଏହାର ପୁନରୁଦ୍ଧାର ନିମନ୍ତେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିନାହିଁ ।ବର୍ତ୍ତମାନ କୋଭିଡ୍–୧୯ ସଂକ୍ରମଣ ଯୋଗୁଁ ସବୁଆଡେ ଆର୍ଥିକ ଦୁରବସ୍ଥା ଲାଗିରହିଥିବା ବେଳେ ବହୁ କୁଶଳି, ଅର୍ଦ୍ଧ କୁଶଳି ଓ ଅଣ କୁଶଳି ଶ୍ରମିକ କର୍ମସଂସ୍ଥାନ ନପାଇଘରେ ପଡିରହିଛନ୍ତି। ରାଜ୍ୟରେ ବନ୍ଦ ହୋଇ ପଡିଥିବା ବିଭିନ୍ନ କଳକାରଖାନାକୁ ସରକାରଙ୍କ ପକ୍ଷରୁ ପୁନରୁଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀ‌ରେ ଗୋବିନ୍ଦପୁର ସୂତାକଳକୁ ପୁନରୁଦ୍ଧାର କରାଗଲେ ଜିଲ୍ଲାବାସୀ ଉପକୃତ ହୋଇପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

Spread the love