July 13, 2025

ଘରେ ଛାଡ଼ିବା ପରିବର୍ତ୍ତେ ଜଙ୍ଗଲରେ ଛାଡ଼ି ଚାଲିଗଲେ ଆମ୍ବୁଲାନ୍ସ ଡ୍ରାଇଭର

 

ଆନନ୍ଦପୁର: ସୁସ୍ଥ ହୋଇଥିବା ଜଣେ କୋଭିଡ୍‌ ଆକ୍ରାନ୍ତଙ୍କୁ ଘରେ ଛାଡ଼ିବା ପରିବର୍ତ୍ତେ ଜଙ୍ଗଲରେ ଛାଡ଼ି ଚାଲିଗଲେ ଆମ୍ବୁଲାନ୍ସ ଡ୍ରାଇଭର। ଦୀର୍ଘ ସମୟ ଅପେକ୍ଷା କରିବା ପରେ ଶେଷରେ ଅନ୍ୟ ଏକ ଆମ୍ବୁଲାନ୍ସରେ ଘରେ ପହଞ୍ଚିଲେ ସମ୍ପୃକ୍ତ ବ୍ୟକ୍ତି। କେନ୍ଦୁଝର ଜିଲ୍ଲା ଆନନ୍ଦପୁରରୁ ଏଭଳି ଅଭିଯୋଗ ଆସିଛି।

ସୂଚନା ଅନୁସାରେ, ଭାସ୍କର ସାହୁ ନାମକ ଜଣେ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ କେନ୍ଦୁଝର କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସୁସ୍ଥ ହେବା ପରେ ଗତକାଲି ତାଙ୍କୁ ଡିସ୍‌ଚାର୍ଜ କରାଯାଇ ଏକ ଆମ୍ବୁଲାନ୍ସ ଯୋଗେ ଘରକୁ ପଠା ଯାଇଥିଲା। ହେଲେ ଆମ୍ବୁଲାନ୍ସ ଡ୍ରାଇଭର ତାଙ୍କୁ ଘରେ ଛାଡ଼ିବା ପରିବର୍ତ୍ତେ ଜଙ୍ଗଲରେ ଛାଡ଼ି ଚାଲି ଯାଇଥିଲେ। ଡ୍ରାଇଭର ଜଣକ ରୋଗୀଙ୍କୁ ଘରେ ପହଞ୍ଚାଇବା ବାଟରେ ଆମ୍ବୁଲାନ୍ସ ଅଟକାଇ ମଦ୍ୟପାନ କରିଥିଲେ ବୋଲି ଅଭିଯୋଗ ହୋଇଛି। ଫଳରେ ଡ୍ରାଇଭର, ଭାସ୍କରଙ୍କୁ ଘରେ ଛାଡ଼ିବା ପରିବର୍ତ୍ତେ ୨୦ନଂ ଜାତୀୟ ରାଜପଥର ଅଟେଇ ଜଙ୍ଗଲ ଅଧିନ କୁମୁଡ ଛକ ନିକଟରେ ଛାଡ଼ି ଚାଲି ଯାଇଥିଲେ ବୋଲି ଅଭିଯୋଗ ହୋଇଛି। ଦୀର୍ଘ ସମୟ ଅପେକ୍ଷା କରିବା ପରେ ଶେଷରେ ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଅନ୍ୟ ଏକ ଆମ୍ବୁଲାନ୍ସ ଆସି ଭାସ୍କରଙ୍କୁ ଘରେ ପହଞ୍ଚାଇ ଥିଲା।

ଘଟଣାକୁ ନେଇ ଭାସ୍କର କହିଛନ୍ତି, ଗାଡ଼ି ଡ୍ରାଇଭର ବାଟରେ ନିଶାସକ୍ତ ହୋଇ ଶୋଇ ପଡ଼ିଲା। ବାରମ୍ବାର ତାକୁ ଡାକିବା ପରେ ମଧ୍ୟ ସେ ଶୁଣି ନଥିଲା। କିଛି ସମୟ ପରେ ଉଠିଲା।  ମୁଁ ଅପେକ୍ଷା କରିଛି, ହେଲେ ସେ ଗାଡ଼ି ଧରି ପଳାଇଥିଲା’।

ଭାସ୍କରଙ୍କୁ ଘରେ ପହଞ୍ଚାଇଥିବା ଅନ୍ୟ ଏକ ଆମ୍ବୁଲାନ୍ସ ଡ୍ରାଇଭର ଘଟଣାକୁ ନେଇ କହିଛନ୍ତି, ‘ମେଡିକାଲ୍‌ରୁ ଖବର ପାଇବା ପରେ ମୁଁ ରୋଗୀଙ୍କୁ ନେବାକୁ କୁମୁଡ ଛକ ନିକଟକୁ ଆସିଥିଲି। ତାଙ୍କୁ ନେଇ ତାଙ୍କ ଗାଁରେ ଛାଡ଼ି ଦେବ ବୋଲି କୁହାଯାଇଥିଲା’।

ସମ୍ପୃକ୍ତ ଡ୍ରାଇଭର ଡ୍ୟୁଟିରେ ଥାଇ କିଭଳି ମଦ୍ୟପାନ କଲେ ? ନିଶାସକ୍ତ ଅବସ୍ଥାରେ ରୋଗୀଙ୍କୁ କିଭଳି ଭାବରେ ଅଧା ବାଟରେ ଛାଡ଼ି ଚାଲିଗଲେ ? ଏନେଇ ଅନେକ ପ୍ରଶ୍ନ ଉଠୁଛି।

Spread the love