July 13, 2025

ଜରୁରୀ ପରିସ୍ଥିତିର କଳା ଦିବସଗୁଡ଼ିକୁ ଭୁଲି ହେବନାହିଁ: ପ୍ରଧାନମନ୍ତ୍ରୀ ମୋଦୀ

 

ନୂଆଦିଲ୍ଲୀ: ଜରୁରୀକାଳୀନ ସମୟର କଳା ଦିବସଗୁଡ଼ିକୁ ଭୁଲି ହେବ ନାହିଁ ବୋଲି ଦେଶରେ ଜାରି ‌ହୋଇଥିବା ଜରୁରୀ ପରିସ୍ଥିତିର ୪୬ତମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

ଟୁଇଟ୍‌ କରି ସେ ଲେଖିଛନ୍ତି, ଜରୁରୀ ପରିସ୍ଥିତିର କଳା ଦିବସଗୁଡ଼ିକୁ କଦାପି ଭୁଲି ହେବନାହିଁ। ୧୯୭୫ରୁ ୧୯୭୭ ସମୟ ଖଣ୍ଡ ବିଭିନ୍ନ ପ୍ରତିଷ୍ଠାନର ଯୋଜନାବଦ୍ଧ ଧ୍ବଂସ ଦେଖିଛି। ଚାଲନ୍ତୁ, ଭାରତର ଗଣତନ୍ତ୍ରିକ ଉଚ୍ଛ୍ବାସକୁ ସୁଦୃଢ଼ କରିବା ଲାଗି ସାଧ୍ୟମତେ ଉଦ୍ୟମ କରିବା ଏବଂ ଆମ ସମ୍ବିଧାନରେ ଉ‌ଲ୍ଲିଖିତ ମୂଲ୍ୟବୋଧକୁ ପୂରଣ କରିବା।

କଂଗ୍ରେସ କିପରି ଦେଶର ଗଣତାନ୍ତ୍ରିକ ବୈଶିଷ୍ଟ୍ୟକୁ ନଷ୍ଟ କରିଥିଲା, ସେକଥା ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍‌ କରିଛନ୍ତି। ସେ ଲେଖିଛନ୍ତି, ଏହିଭଳି କଂଗ୍ରେସ ଆମର ଗଣତାନ୍ତ୍ରିକ ଦୈଶିଷ୍ଟ୍ୟଗୁଡ଼ିକୁ ଦମନ କରିଥିଲା। ଜରୁରୀ ପରିସ୍ଥିତିକୁ ବିରୋଧ କରି ଭାରତୀୟ ଗଣତନ୍ତ୍ରକୁ ସୁରକ୍ଷିତ ରଖିଥିବା ମହାନ୍‌ ବ୍ୟକ୍ତିତ୍ବଙ୍କୁ ଆମେ ସ୍ମରଣ କରିବା।

ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ କହିଛନ୍ତି ଯେ, ଗୋଟିଏ ମାତ୍ର ପରିବାର ବିରୋଧରେ ଉଠିଥିବା ସ୍ବରକୁ ଚପାଇ ଦେବା ଲାଗି ଜରୁରୀ ପରିସ୍ଥିତି ଜାରି ‌ହୋଇଥିଲା। ସ୍ବାଧୀନ ଭାରତର ଇତିହାସରେ ଏହା ଗୋଟାଏ ଅନ୍ଧକାରମୟ ଅଧ୍ୟାୟ ବୋଲି ସେ କହିଛନ୍ତି।

ସ୍ମରଣଯୋଗ୍ୟ ୧୯୭୫ ଜୁନ୍‌ ୨୫ ତାରିଖରୁ ୧୯୭୭ ମସିହା ମାର୍ଚ ୨୧ ତାରିଖ ପର୍ଯ୍ୟନ୍ତ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୨୧ ମାସ ଯାଏଁ ଦେଶରେ ଜରୁରୀ ପରିସ୍ଥିତି ଘୋ‌ଷଣା କରିଥିଲେ। ସମ୍ବିଧାନର ଧାରା ୨୫୨ ଆଧାରରେ ଏହାକୁ ଔପଚାରିକ ଭାବେ ଜାରି କରିଥିଲେ ତତ୍କାଳୀନ ରାଷ୍ଟ୍ରପତି ଫକିରୁଦ୍ଦୀନ ଅଲି ଅହମଦ।

Spread the love