July 1, 2025

ଜର୍ମାନୀ-ଭାରତ ମହିଳା ପ୍ରୋ-ଲିଗ୍‌ ହକି : ଓଡ଼ିଶାରୁ ଦୀପ୍‌ ଗ୍ରେସ୍‌, ମାରିଆନା

 

ଭୁବନେଶ୍ବର : କଳିଙ୍ଗ ଷ୍ଟାଡ଼ିୟମରେ ମାର୍ଚ୍ଚ ୧୨ ଓ ୧୩ରେ ଭାରତ ଏଫ୍‌ଆଇଏଚ୍‌ ମହିଳା ପ୍ରୋ-ଲିଗ୍‌ ହକି-୨୦୨୨ର ୩ୟ ଚରଣ ମ୍ୟାଚ ଜର୍ମାନୀ ବିପକ୍ଷରେ ଖେଳିବ। ଏଥିପାଇଁ ହକି ଇଣ୍ଡିଆ ପକ୍ଷରୁ ୨୨ଜଣିଆ ଭାରତୀୟ ଦଳ ମନୋନୟନ କରାଯାଇଛି। ରାଣୀ ରାମପାଲଙ୍କ ଅନୁପସ୍ଥିତିରେ ସବିତା ଅଧିନାୟିକା ଓ ଓଡ଼ିଆ ରକ୍ଷଣାଭାଗ ଖେଳାଳି ଦୀପ୍‌ ଗ୍ରେସ ଏକ୍କା ଉପଅଧିନାୟିକା ଦାୟିତ୍ବ ତୁଲାଇବେ। ଦଳରେ ଓଡ଼ିଶାରୁ ୨ ଜଣ ଖେଳାଳି ଭାବେ ଦୀପ୍‌ ଗ୍ରେସଙ୍କ ସମେତ ମାରିଆନା କୁଜୁର ସ୍ଥାନ ପାଇଛନ୍ତି। ଅନ୍ୟତମ ଓଡ଼ିଆ ଖେଳାଳି ନମିତା ଟପ୍ପୋ ଷ୍ଟାଣ୍ଡବାଇ ରହିଛନ୍ତି। ସେହିପରି ଦଳରେ ନୂତନ ଭାବେ ଦୁଇ ଖେଳାଳି ଦୀପିକା ଓ ଆସ୍ଥା ଆବାସୋ ଧାକ୍‌ଲେଙ୍କୁ ସ୍ଥାନ ମିଳିଛି। ଦଳ କଳିଙ୍ଗ ଷ୍ଟାଡ଼ିୟମରେ ମୁଖ୍ୟ ପ୍ରଶିକ୍ଷକ ଜାନ୍‌କେ ସ୍କୋପମ୍ୟାନଙ୍କ ନେତୃତ୍ବରେ ଦଳର ପ୍ରଶିକ୍ଷଣ ଚଳାଇଛି। ଜର୍ମାନୀ ବିପକ୍ଷ ମ୍ୟାଚକୁ ନେଇ ମୁଖ୍ୟ ପ୍ରଶିକ୍ଷକ ଜାନ୍‌କେ ସ୍କୋପମ୍ୟାନ କହିଛନ୍ତି ଯେ, ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ହକିରେ ଭାରତୀୟ ଦଳ ଭଲ ଆରମ୍ଭ କରିଛି। ଚୀନ୍‌ ବିପକ୍ଷ ବିଜୟ ପରେ ସ୍ପେନ ସହିତ ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିଲୁ। ୨ୟ ମ୍ୟାଚରେ ଛୋଟ ଭୁଲ ପାଇଁ ମ୍ୟାଚ ହାତଛଡ଼ା କରିଥିଲୁ। ଜର୍ମାନୀ ବିପକ୍ଷ ମ୍ୟାଚରେ ଆମେ ପୂର୍ବ ତ୍ରୁଟିକୁ ସୁଧାରି ଖେଳିବୁ। ବିଜୟଧାରାକୁ ଫେରିବା ନେଇ ଆମେ ପ୍ରସ୍ତୁତ। ଭାରତ ପ୍ରଥମ ୨ଟି ମ୍ୟାଚରୁ ୩ଟି ବିଜୟ ସହ ୯ ପଏଣ୍ଟ ପାଇ ଗ୍ରୁପ୍‌ର ୩ୟ ସ୍ଥାନରେ ରହିଛି।
ଭାରତୀୟ ଦଳ: ସବିତା (ଅଧିନାୟିକା), ବିଚୁଦେବୀ ଖାରିବାମ୍ (ଗୋଲରକ୍ଷକ), ଦୀପ୍‌ ଗ୍ରେସ ଏକ୍କା (ଉପଅଧିନାୟିକା), ଗୁର୍‌ଜିତ କୌର, ନିକ୍କି ପ୍ରଧାନ, ଉଦିତା, ଆସ୍ଥା ଆବାସୋ ଧାକ୍‌ଲେ (ସମସ୍ତେ ରକ୍ଷଣାଭାଗ); ନିଶା, ସାଲିମା ଟେଟେ, ସୁଶୀଳା ଚାନୁ ପୋଖରିବାମ୍‌, ଜ୍ୟୋତି, ମୋନିକା, ନେହା, ନବଜୋତ କୌର, ସୋନିକା (ସମସ୍ତେ ମଧ୍ୟଭାଗ); ରାଜୱିନ୍ଦର କୌର, ଶର୍ମିଳା ଦେବୀ, ନବନିତ୍‌ କୌର, ଲାଲରେମସିଆମି, ସଙ୍ଗୀତା କୁମାରୀ, ମାରିଆନା କୁଜୁର, ଦୀପିକା(ସମସ୍ତେ ଅଗ୍ରଭାଗ)। ଷ୍ଟାଣ୍ଡବାଇ- ରଜନୀ ଇଥିମ୍ାରୁପ, ଇସିକା ଚୌଧୁରୀ ଓ ନମିତା ଟପ୍ପୋ।

Spread the love