July 8, 2025

ଠେଙ୍ଗାରେ ପିଟିପିଟି ବଡ଼ଭାଇକୁ ହତ୍ୟା କଲେ ଦୁଇ ସାନଭାଇ

 

କୋଇଡା: ସାନ ଭାଇର ସ୍ତ୍ରୀକୁ ସାଂପ୍ରଦାୟିକ ଆକ୍ଷେପକୁ କେନ୍ଦ୍ର କରି ବଡ଼ଭାଇକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲେ ଦୁଇ ସାନଭାଇ।  ଏଭଳି ଏକ ଘଟଣା ଘଟିଛି କୋଇଡା ଥାନା ଅନ୍ତର୍ଗତ ଡେଙ୍ଗୁଳା ପଞ୍ଚାୟତ ବନ୍ଦଲ ଗ୍ରାମ ମୁଣ୍ଡା ବସ୍ତିରେ।

ଘଟଣାରୁ ପ୍ରକାଶ ଯେ ବଡ଼ଭାଇ ପାତ୍ରାସ ମୁଣ୍ଡା ( ୩୦ ) ନିଜ ତିନି ଭାଇ ଓ ଦୁଇ ଭଉଣୀଙ୍କ ସହ ବନ୍ଦଲ ଗ୍ରାମ ମୁଣ୍ଡା ବସ୍ତିରେ ରହି ଆସୁଥିଲେ। ଗତ ଚାରି ମାସ ପୂର୍ବେ ସାନ ଭାଇ ସମା ମୁଣ୍ଡା (୨୭ ) ନିକଟସ୍ଥ ଗ୍ରାମର ଜଣେ ଖ୍ରୀଷ୍ଟଧର୍ମର ଝିଅ ଯାତ୍ରୀକୁ ବିବାହ କରିଥିଲେ। ଏ ନେଇ ବଡ଼ଭାଇ ପାତ୍ରାସ ସବୁବେଳେ ଭାଇକୁ ସାଂପ୍ରଦାୟିକ ଆକ୍ଷେପ କରି ଅନ୍ୟ ଧର୍ମର ଝିଅ କାହିଁକି ବାହା ହେଲୁ ବୋଲି କହୁଥିଲେ।

ଗତକାଲି ମଧ୍ୟ ଯାତ୍ରୀ ଘରେ ଥିଲା ବେଳେ ବଡ଼ଭାଇ ତାଙ୍କୁ ସାଂପ୍ରଦାୟିକ ଆକ୍ଷେପ କରିଥିଲେ। ଏ ବିଷୟରେ ଯେତେବେଳେ ଯାତ୍ରୀ ନିଜ ସ୍ୱାମୀ ସମାଙ୍କୁ କହିଥିଲେ, ସେତେବେଳେ ରାଗିଯାଇ ସମା ଓ ତାଙ୍କ ସାନ ଭାଇ ବିଲ୍କାନ ମୁଣ୍ଡା (୨୦ ) ମିଶି ଘରେ ଥିବା ବଡ଼ଭାଇ ପାତ୍ରାସକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲେ । ପିଟିଲା ବେଳକୁ ଘରେ ଜଣେ ସାନ ଭଉଣୀ ବିର୍ସି ମୁଣ୍ଡା (୧୬ ) ପ୍ରତିବାଦ କରି ରକ୍ଷା କରିବାକୁ ଗଲେ। ହତ୍ୟାକାରୀ ଭାଇମାନେ ତାକୁ ମଧ୍ୟ ମାରିବା ପାଇଁ ଗୋଡାଇଥିଲେ। କିନ୍ତୁ ସେ ଦୌଡ଼ି ପଳେଇଯିବାରୁ ତାଙ୍କ କବଳରୁ ଅଳ୍ପକେ ବର୍ତ୍ତି ଯାଇଥିଲେ।

କୋଇଡା ଥାନା ଅଧିକାରୀ ଖବର ପାଇ ଦୁଇ ହତ୍ୟାକାରୀ ଭାଇ ସମା ଓ ବିଲ୍କାନ ମୁଣ୍ଡାକୁ ଅଟକ ରଖି ପଚରାଉଚରା କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ହେଲେ ଆଦିବାସୀ ଅଧ୍ୟୁଷିତ କୋଇଡା ଖଣି ଅଞ୍ଚଳ ମୁଣ୍ଡା ସମ୍ପ୍ରଦାୟରେ ଶିକ୍ଷା ଓ ସଚେତନତା ଅଭାବରୁ ବାରମ୍ବାର ଏମିତି ହତ୍ୟାକାଣ୍ଡ ଘଟି ଆସୁଥିଲେ ମଧ୍ୟ ପ୍ରଶାସନ ସଚେତନତା ଦିଗରେ ସାମାନ୍ୟତମ ପ୍ରଚେଷ୍ଟା କରୁନାହିଁ ବୋଲି ସାଧାରଣରେ ଆଲୋଚନା ଚାଲିଛି।

Spread the love